ଓଡ଼ିଶା ପର୍ଯ୍ୟଟନର ପୁନରୁଦ୍ଧାର ପାଇଁ ୧୩ ପ୍ରସ୍ତାବ, କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀଙ୍କ ସହ ହାରୋର ଆଲୋଚନା

ପୁରୀ, ଚିଲିକା ପାଇଁ ସ୍ବତନ୍ତ୍ର ଯୋଜନା ପ୍ରସ୍ତୁତ ହେଉ ‘ଅତୁଲ୍ୟ ଭାରତ’ରେ ଓଡ଼ିଶାକୁ ତୁରନ୍ତ ସାମିଲ କରାଯାଉ

ଭୁବନେଶ୍ବର: କରୋନା ସମୟରେ ପର୍ଯ୍ୟଟନ ଶିଳ୍ପ ସାଂଘାତିକ କ୍ଷତିଗ୍ରସ୍ତ ହୋଇଛି। ଏହି ଶିଳ୍ପ ସହ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ଜଡ଼ିତ ହଜାର ହଜାର ଲୋକ ବର୍ତ୍ତମାନ ରୋଜଗାର ହରାଇଛନ୍ତି। କରୋନା ପରବର୍ତ୍ତୀ ସମୟରେ ପର୍ଯ୍ୟଟନକୁ କିପରି ପୁନରୁଦ୍ଧାର କରାଯିବ, ସେଥି ପାଇଁ କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ ପ୍ରହ୍ଲାଦ ସିଂହ ପଟେଲଙ୍କ ସହ ଓଡ଼ିଶା ‌େହାଟେଲ୍‌ ଆଣ୍ଡ୍‌ ରେସ୍ତୋରାଁ ସଂଘ(ହାରୋ) ଆଲୋଚନା କରିଛି। ଓଡ଼ିଶାରେ ପର୍ଯ୍ୟଟନର ପୁନରୁଦ୍ଧାର ସହ ଭବିଷ୍ୟତକୁ ଦୃଷ୍ଟିରେ ରଖି ହାରୋ ପକ୍ଷରୁ ୧୩ଟି ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବ ଦିଆଯାଇଛି।

ପ୍ରସ୍ତାବଗୁଡ଼ିକ ସମ୍ପର୍କରେ ସୂଚନା ଦେଇ ହାରୋର ଅଧ୍ୟକ୍ଷ ତଥା ସ୍ବସ୍ତି ଗ୍ରୁପ୍ ସିଏମ୍‌ଡି ଜେ କେ ମହାନ୍ତି କହିଛନ୍ତି ଯେ ଓଡ଼ିଶାର ପର୍ଯ୍ୟଟନ ରାଜଧାନୀ ହେଉଛି ପୁରୀ ଏବଂ ହିନ୍ଦୁ ସଂସ୍କୃତିରେ ଏହା ଏକ ଗୁରୁତ୍ବପୂର୍ଣ୍ଣ ଧାମ। କିନ୍ତୁ ବିଭିନ୍ନ ସମୟରେ ବାତ୍ୟା ଯୋଗୁ ସମୁଦ୍ରକୂଳ ନିକଟରେ ବହୁ ସମ୍ପତ୍ତି ନଷ୍ଟ ହେଉଛି। ତେଣୁ ବେଳାଭୂମିକୁ ସୌନ୍ଦର୍ଯ୍ୟକୁ ଅକ୍ଷୂର୍ଣ୍ଣ ରଖି ଅତ୍ୟାଧୁନିକ ଜ୍ଞାନକୌଶଳ ସହାୟତାରେ କମ୍ ଉଚ୍ଚତାର ସାମୁଦ୍ରିକ ପ୍ରାଚୀର ନିର୍ମାଣ କରାଯାଉ। ୧୧୦୦ କିମି ବ୍ୟାପୀ ଥିବା ଚିଲିକା ‌ହ୍ରଦ ପର୍ଯ୍ୟଟନ ଦୃଷ୍ଟିକୋଣରୁ ସର୍ବାଧିକ ଗୁରୁତ୍ବପୂର୍ଣ୍ଣ। କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରଣାଳୟ ପକ୍ଷରୁ ଏହାକୁ ପ୍ରୋତ୍ସାହନ ଦେବାର ଆବଶ୍ୟକତା ରହିଛି। ଏଠାରେ ଜଳ କ୍ରୀଡ଼ାକୁ ପ୍ରାଧାନ୍ୟ ଦିଆଯାଉ। ଚିଲିକା ହ୍ରଦକୁ ଦେଶର ଏକ ପ୍ରମୁଖ ପର୍ଯ୍ୟଟନ ସ୍ଥଳୀରେ ପରିଣତ କରିବା ପାଇଁ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରି ଏହାର ସୌନ୍ଦର୍ଯ୍ୟକରଣ ଓ ବିକାଶ ପାଇଁ ଆକ୍ସନ ପ୍ଲାନ୍ ପ୍ରସ୍ତୁତ ହେଉ। ପର୍ଯ୍ୟଟନ ମନ୍ତ୍ରଣାଳୟ ପକ୍ଷରୁ ଓଡ଼ିଶାର ପର୍ଯ୍ୟଟନର ଠିକ୍ ଭାବେ ପ୍ରଚାର କରାଯାଉ ନ ଥିବାରୁ ଓଡ଼ିଶାକୁ ପର୍ଯ୍ୟଟକଙ୍କ ଆଗମନ କମ୍ ରହିଛି। ଓଡ଼ିଶାର ପର୍ଯ୍ୟଟନସ୍ଥଳୀ ଓ ପରିବେଶ ପର୍ଯ୍ୟଟନର ପ୍ରଚାର ପାଇଁ ମନ୍ତ୍ରଣାଳୟ ପକ୍ଷରୁ ୩୦ଟି ଉଚ୍ଚମାନର ୩ଡି ଭିଡିଓ ପ୍ରସ୍ତୁତ କରାଯାଉ ଏବଂ ‘ଅତୁଲ୍ୟ ଭାରତ’ କ୍ୟାମ୍ପେନ୍‌ରେ ଏହାକୁ ସ୍ଥାନ ଦିଆଯାଉ।

ଦେଶୀୟ ପର୍ଯ୍ୟଟନକୁ ଅଗ୍ରାଧିକାର ପାଇଁ ଦିଆଯାଇଥିବା ପ୍ରସ୍ତାବରେ କୁହାଯାଇଛି, କରୋନା ପରବର୍ତ୍ତୀ ସମୟରେ କେବଳ ଦେଶୀୟ ପର୍ଯ୍ୟଟନ ହିଁ ପର୍ଯ୍ୟଟନ ଶିଳ୍ପକୁ ଉଦ୍ଧାର କରିପାରିବ। ଦେଶୀୟ ଏମ୍‌ଆଇସିଇ ବ୍ୟବସାୟକୁ ‌ପ୍ରୋତ୍ସାହନ ଦେବା ପାଇଁ ହୋଟେଲ୍‌ ଶିଳ୍ପକୁ ସରକାର ପ୍ରୋତ୍ସାହନ ଦେବାର ଆବଶ୍ୟକତା ରହିଛି। ସରକାରୀ କର୍ମଚାରୀ, ପିଏସ୍‌ୟୁ ଓ କର୍ପୋରେଟ୍‌ କ୍ଷେତ୍ରର କର୍ମଚାରୀଙ୍କୁ ଦେଶ ଭିତରେ ଭ୍ରମଣ କରିବା ପାଇଁ ଏଲ୍‌ଟିସି ଛୁଟି ଓ ପ୍ରୋତ୍ସାହନ ଦିଆଯାଉ। ପ୍ରତି ବର୍ଷ ୨୨ ଲକ୍ଷ ଭାରତୀୟ ବିଦେଶକୁ ବୁଲିବା ପାଇଁ ଯାଉଛନ୍ତି। ସେମାନେ ପ୍ରାୟ ୧.୬୫ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ଭାରତରେ ବିଶ୍ବ ସ୍ତରୀୟ ହୋଟେଲ୍‌ ନିର୍ମାଣ ପାଇଁ ସରକାର ପ୍ରୋତ୍ସାହନ ଦିଅନ୍ତୁ। ଫଳରେ ଭାରତୀୟ ପର୍ଯ୍ୟଟକମାନେ ଭାରତ ଭିତରେ ବୁଲିବେ ଓ ଦେଶର ଅର୍ଥନୀତି ଗତିଶୀଳ ହୋଇପାରିବ। ବିଦେଶରେ ପର୍ଯ୍ୟଟନର ପ୍ରଚାର ପାଇଁ ବଜେଟ୍‌ ସୀମିତ ରଖାଯାଇ ଦେଶ ଭିତରର ପର୍ଯ୍ୟଟନସ୍ଥଳୀର ଅଧିକ ପ୍ରଚାର କରାଯାଉ।

ପର୍ଯ୍ୟଟନ ଶିଳ୍ପର ପ୍ରମୁଖ ଅଂଶ ହେଉଛି ହୋଟେଲ୍‌। ତେଣୁ ହୋଟେଲ୍‌ ଶିଳ୍ପର ପୁନରୁଦ୍ଧାର ପାଇଁ ହାରୋ ପ୍ରସ୍ତାବ ଦେଇଛି ଯେ ଦେଶର ପ୍ରମୁଖ ପର୍ଯ୍ୟଟନସ୍ଥଳୀରେ ନୂଆ ହୋଟେଲ୍‌ ନିର୍ମାଣ ପାଇଁ ମୂଳ ପୁଞ୍ଜିନିବେଶ ଉପରେ ପର୍ଯ୍ୟଟନ ମନ୍ତ୍ରଣାଳୟ ପକ୍ଷରୁ ୫% ସବ୍‌ସିଡି ଦିଆଯାଉ। ଏହି ଯୋଜନା ପୂର୍ବରୁ କାର୍ଯ୍ୟକାରୀ ହେଉଥିଲା। ବର୍ତ୍ତମାନ ବାହାଘର, ବ୍ରତଘର ଆଦି ସାମାଜିକ କାର୍ଯ୍ୟ ପାଇଁ ୫୦ ଲୋକଙ୍କୁ ଅନୁମତି ଦିଆଯାଉଛି। ୫୦ ଲୋକଙ୍କୁ ନେଇ ହୋଟେଲ୍‌ରେ ଏପରି କାର୍ଯ୍ୟକ୍ରମ କଲେ ଇଲେକ୍ଟ୍ରି ବିଲ୍‌ ଓ କର୍ମଚାରୀଙ୍କ ଦରମା ଉଠିବା ବି କଷ୍ଟ। ତେଣୁ ହୋଟେଲ୍‌ଗୁଡ଼ିକରେ ହଲ୍‌ର ଆକାର ହିସାବରେ ଲୋକଙ୍କୁ ଅନୁମତି ମିଳୁ। ପ୍ରତି ୧୦ ବର୍ଗଫୁଟରେ ଜଣଙ୍କୁ ହିସାବରେ ନିଆଯାଇ ଅନୁମତି ଦିଆଯାଉ। ଯଦି ଗୋଟିଏ ହୋଟେଲ୍‌ରେ ବାହାଘର, ଭୋଜି, ସମ୍ମିଳନୀ, ପ୍ରଦର୍ଶନୀ ପାଇଁ ଏକାଧିକ ସ୍ଥାନ ରହିଛି, ତେବେ ଏକାଧିକ କାର୍ଯ୍ୟକ୍ରମକୁ ମଧ୍ୟ ଅନୁମତି ମିଳୁ। ହୋଟେଲ୍‌ ଶିଳ୍ପକୁ ପୁନରୁଦ୍ଧାର କରିବାକୁ ଇପିଏଫ୍‌ରେ ନିଯୁକ୍ତିଦାତାଙ୍କର ଥିବା ଅଂଶରୁ ୫୦ ପ୍ରତିଶତ ସଫ୍ଟ ଲୋନ୍‌ ଆକାରରେ ଦେବା ପାଇଁ ଶ୍ରମ ମନ୍ତ୍ରଣାଳୟକୁ ପର୍ଯ୍ୟଟନ ମନ୍ତ୍ରଣାଳୟ ସୁପାରିସ୍ କରୁ। ହୋଟେଲ୍‌ ଶିଳ୍ପକୁ ବିଦ୍ୟୁତ ଦେୟ, ବାର୍‌ ଲାଇସେନ୍ସ ଦେୟ, ପୌର ଟିକସ, ହୋଲ୍ଡିଂ ଟିକସ ଆଦିର ସର୍ବନିମ୍ନ ଦେୟ ଦେବାକୁ ପଡ଼ୁଛି। ଅତି କମ୍‌ରେ ଆସନ୍ତା ଦୁଇ ବର୍ଷ ପାଇଁ ଛାଡ଼ କରିବାକୁ ରାଜ୍ୟ ସରକାରଙ୍କୁ ସୁପାରିସ୍ କରାଯାଉ। ହୋଟେଲ୍‌ଗୁଡ଼ିକ ସଂଗ୍ରହ କରୁଥିବା ସିଜିଏସ୍‌ଟି ଓ ଜିଏସ୍‌ଟିକୁ ଆସନ୍ତା ଦୁଇ ବର୍ଷ ପାଇଁ କାର୍ଯ୍ୟକାରୀ ପୁଞ୍ଜି ଭାବେ ବ୍ୟବହାର କରିବାକୁ ଅନୁମତି ଦେବାକୁ ହାରୋ ପ୍ରସ୍ତାବ ଦେଇଛି ବୋଲି ଶ୍ରୀ ମହାନ୍ତି ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର