ସ୍ପଷ୍ଟ କଲା ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ : କରୋନା କାମରେ ୧୩ ଶିକ୍ଷକ ମୃତ

କରୋନା କାର୍ଯ୍ୟରେ ୬୨ ହଜାର ଶିକ୍ଷକ ଶିକ୍ଷୟିତ୍ରୀ ନିୟୋଜିତ

ଭୁବନେଶ୍ୱର : କରୋନା ମହାମାରୀ ସମୟରେ ଗଞ୍ଜାମ ଜିଲ୍ଲାର ୧୩ ଜଣ ଶିକ୍ଷକ ମୃତ୍ୟୁବରଣ କରିଛନ୍ତି। ସେମାନଙ୍କ ସମ୍ପର୍କରେ ସବିଶେଷ ବିବରଣୀ ସଂଗ୍ରହ କରି ତାଙ୍କ ପରିବାରକୁ ସରକାରୀ ସହାୟତା ଦିଆଯିବା ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ପଦକ୍ଷେପ ନିଆଯାଇଛି। ପରଲୋକଗତ ଶିକ୍ଷକଙ୍କ ବାସଭବନକୁ ଯାଇ ସେମାନଙ୍କର ପରିବାରଙ୍କୁ ସାକ୍ଷାତ କରି ତଥ୍ୟ ସଂଗ୍ରହ ଓ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ପାଇଁ ବିଭାଗୀୟ ପ୍ରମୁଖ ଶାସନ ସଚିବ ସତ୍ୟବ୍ରତ ସାହୁ ଜିଲ୍ଲା ଶିକ୍ଷା ଅଧିକାରୀ(ଡିଇଓ)ଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଦିଆଯାଇଥିବା ତଥ୍ୟ ଅନୁଯାୟୀ କରୋନା ସଂକ୍ରମିତଙ୍କ ଜୀବନ ରକ୍ଷା ପାଇଁ କର୍ତ୍ତବ୍ୟ ସମ୍ପାଦନ କରୁଥିବା ବେଳେ ଗଞ୍ଜାମ ଜିଲ୍ଲା ଏଚ୍‌ଏସ୍‌ ପ୍ରାଥମିକ ବିଦ୍ୟାଳୟ(କବିସୂର୍ଯ୍ୟନଗର)ର ସହକାରୀ ଶିକ୍ଷକ ସୀମାଞ୍ଚଳ ଶତପଥୀ, ତକରଡା(ବୁଗୁଡା)ର ସହକାରୀ ଶିକ୍ଷକ ରବୀନ୍ଦ୍ରନାଥ ସେନାପତି, ସରବାଦୀ ଗ୍ରାମ ପଞ୍ଚାୟତ ହାଇସ୍କୁଲ(ସୋରଡା)ର ସଙ୍ଗୀତ ଶିକ୍ଷକ ଭାସ୍କର ସାହୁ, ଥୁରୁବୁରାଇ(ଶେରଗଡ) ପ୍ରାଥମିକ ବିଦ୍ୟାଳୟର ସହକାରୀ ଶିକ୍ଷକ ବଶିଷ୍ଠ କୁମାର ପ୍ରହରାଜ, ଭୂତ ସରସିଙ୍ଗା(ପୁରୁଷୋତ୍ତମପୁର) ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଲକ୍ଷ୍ମୀ ନାରାୟଣ ଶତପଥୀ, ରିପିଟିପଲ୍ଲୀ(ଭଞ୍ଜନଗର) ପ୍ରାଥମିକ ବିଦ୍ୟାଳୟର ଗଣଶିକ୍ଷକ କୁଶଧ୍ୱଜ ସେଠୀ, ସିଆଳିଆ(କବିସୂର୍ଯ୍ୟନଗର) ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସହକାରୀ ଶିକ୍ଷକ କୃଷ୍ଣଚରଣ ସେଠୀ, କନକା(ପୁରୁଷୋତ୍ତମପୁର) ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଟି ବିଜୟଲକ୍ଷ୍ମୀ, ଡେଙ୍ଗାପଦର ଇନ୍ଦିରା ଆବାସ ପ୍ରାଥମିକ ବିଦ୍ୟାଳୟର ସହକାରୀ ଶିକ୍ଷୟିତ୍ରୀ ସବିତା ପଟ୍ଟନାୟକ, ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ(କେ. ସାମନ୍ତରାପୁର)ର ସହକାରୀ ଶିକ୍ଷକ ବଂଶୀଧର ବେହେରା, ସିଙ୍ଗିପୁର ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଗୌରହରି ବେହେରା, କେ.ରାଇସିଙ୍ଗା(ଆସ୍କା) ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସହକାରୀ ଶିକ୍ଷକ ସୁଦ୍ଧାର୍ଥ ଶଙ୍କର ପାଢୀ ଓ ଗଙ୍ଗାଧର(କବିସୂର୍ଯ୍ୟନଗର)ର ସହକାରୀ ଶିକ୍ଷକ ରାମେଶ୍ୱର ଆଚାରୀ ପ୍ରାଣ ହରାଇଛନ୍ତି।

ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି ଯେ ୬୨ ହଜାର ଶିକ୍ଷକ ଶିକ୍ଷୟିତ୍ରୀ କରୋନା କାର୍ଯ୍ୟରେ ନିୟୋଜିତ ଅଛନ୍ତି। ଏପର୍ଯ୍ୟନ୍ତ ୧୩ ଜଣ ଶିକ୍ଷକଙ୍କର କରୋନା କାର୍ଯ୍ୟ ବେଳେ ମୃତ୍ୟୁ ଘଟିଛି। ଅର୍ଥ ବିଭାଗ ପକ୍ଷରୁ ୪ ତାରିଖରେ ଜାରି ନିୟମାବଳୀ ଅନୁସାରେ ସେମାନଙ୍କୁ ଅନୁକମ୍ପା ରାଶି ଦିଆଯିବ। ଶିକ୍ଷକ ସୀମାଞ୍ଚଳ ଶତପଥୀଙ୍କ ମୃତ୍ୟୁ ପରେ ତାଙ୍କ ବାପା ଓ ମା’ ଆତ୍ମହତ୍ୟା କରିଥିଲେ। ତେଣୁ ତାଙ୍କ ପରିବାରର କେହି ନଥିବାରୁ କିଭଳି ଭାବେ ସହାୟତା ଦିଆଯିବ ସେ ଦିଗରେ ସରକାର ଚିନ୍ତା କରୁଛନ୍ତି।

 

ସମ୍ବନ୍ଧିତ ଖବର