କାଳିଆପାଣି : ପ୍ରତିକୂଳ ପରିସ୍ଥିତି ଏବଂ ଅଭାବ ଅନଟନ ମଧ୍ୟରେ ବଢ଼ିଥିବା ରାଜ୍ୟର ୧୩ ଜଣ ଦୃଷ୍ଟିବାଧିତ ଓରିଏଣ୍ଟେସନ ଟୁ କମ୍ପ୍ୟୁଟର ଫଣ୍ଡାମେଣ୍ଟାଲ୍ ଡିଗ୍ରି ହାସଲ କରିଛନ୍ତି।
ସେମାନଙ୍କ ମଧ୍ୟରେ ୧୦ ଜଣ ଯାଜପୁରର ଦେବାଶିଷ ବେହେରା, ମୟୂରଭଞ୍ଜର ମନୋଜ କୁମାର କିସ୍କୁ, ନୟାଗଡ଼ର ପପୁ ଦୋରା, ନବରଙ୍ଗପୁରର ସନ୍ୟାସୀ ଗୌଡ଼, ଭୁବନେଶ୍ବରର ସୁନିଲ ଗୋଛାୟତ, ଗଞ୍ଜାମର ୟୁ ଲକ୍ଷ୍ମୀ ଓ ମାମି ସାହୁ, ପୁରୀର ବିଶ୍ବରୂପା ପୁଷ୍ପାଳକ, ଜଗତସିଂହପୁରର ଜ୍ଞାନରଞ୍ଜନ ଦଳାଇ ଓ ଭଦ୍ରକର ନୀଳାମ୍ବର ବେହେରା ଯୁକ୍ତ ୩ (ସ୍ନାତକ) ଶିକ୍ଷା ହାସଲ କରିଛନ୍ତି। ଅନ୍ୟ ୩ ଜଣ ଯାଜପୁରର କଳିଙ୍ଗ କିଶୋର ରାଉତ, କୋରାପୁଟର ଦ୍ରୁପ ଚନ୍ଦ୍ର ମାଝି ଓ କିଶୋର କୁମାର ଭାତ୍ରା ଯୁକ୍ତ ୨ ଶିକ୍ଷା ପରେ କମ୍ପ୍ୟୁଟର ପ୍ରଶିକ୍ଷଣ ନେଇଥିଲେ। ୪୫ ଦିନିଆ ପାଠ୍ୟକ୍ରମରେ ସମସ୍ତେ ୮୦ ରୁ ୯୦ ପ୍ରତିଶତ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇଛନ୍ତି। ସ୍ବତନ୍ତ୍ର ଏନ୍ଭିଡିଏ ଆପ୍ ଜରିଆରେ ପ୍ରଶିକ୍ଷଣ ନେଇଥିବା ସମସ୍ତ ପ୍ରଶିକ୍ଷାର୍ଥୀ ନିଜ ନିଜର ଦକ୍ଷତାକୁ ନେଇ କେହି କାହାଠାରୁ କମ୍ ନଥିଲେ ବୋଲି ପ୍ରଶିକ୍ଷକ ସୋନାଲି ଦଳାଇ ଓ ଅହମ୍ମଦ ସେକ୍ କହିଛନ୍ତି।
ବିଶ୍ବ ବ୍ରେଲ୍ ଦିବସରେ ଆଜି ସ୍ଥାନୀୟ ଟାଟାଷ୍ଟିଲ୍ ମାଇନିଂ(ଟିଏସ୍ଏମ୍ଏଲ୍) ସୁକିନ୍ଦା କ୍ରୋମାଇଟ୍ ଖଣି କଲୋନିର ସବଳ କେନ୍ଦ୍ରରେ ଅନୁଷ୍ଠିତ ଉତ୍ସବରେ ସମସ୍ତ ପ୍ରଶିକ୍ଷାର୍ଥୀଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯାଇଛି। ବରିଷ୍ଠ ଖଣି ପ୍ରବନ୍ଧକ ଇଂ. ସୁଶାନ୍ତ କୁମାର ମିଶ୍ର ମୁଖ୍ୟଅତିଥି, ଏଜିଏମ୍ ଗୌତମ ଚକ୍ରବର୍ତ୍ତୀ ଓ ଇଂ. ହରି ଦ୍ରୁମତ ବେହେରା, ଟାଟାଷ୍ଟିଲ୍ ଫାଉଣ୍ଡେସନ ସୁକିନ୍ଦା ମୁଖ୍ୟ ଦେବାଞ୍ଜନ ମୁଖାର୍ଜୀ ଅତିଥି ଭାବେ ଯୋଗଦେଇ ପ୍ରଶିକ୍ଷାର୍ଥୀଙ୍କ ସଫଳତା କାମନା କରିଥିଲେ। ପ୍ରବନ୍ଧକ ସୌମେନ ଶାହା ଓ ଭାରପ୍ରାପ୍ତ ଅଧିକାରୀ ଅମ୍ରିତ କୁମାର ଆଚାର୍ଯ୍ୟ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।