ଗସ୍‌ମାହା ଅପରେସନ୍‌କୁ ୧୩ ବର୍ଷ, ବିକାଶର ଚିହ୍ନ ନାହିଁ

ଭଞ୍ଜନଗର : ଓଡ଼ିଶାରେ ନକ୍ସଲ ହମ୍‌ଲା ଇତିହାସର ବର୍ବରତାର ବିଶାଳ ଅଧ୍ୟାୟ ଥିଲା ଗସ୍‌ମାହା ଅପରେସନ୍। ସାରା ରାଜ୍ୟକୁ ଦୋହଲାଇ ଦେଲା ଭଳି ମାଓବାଦୀଙ୍କ ‘ଅପରେସନ୍‌ ରୋପ୍‌ୱେ’ରେ ସିରିଜ୍‌ ଆକ୍ରମଣ, ଲୁଟ୍‌ ଓ ପୁଲିସ ସହ ଗୁଳି ବିନିମୟ ଏଭଳି ଏକ ଲୋମହର୍ଷଣକାରୀ ଘଟଣାକୁ ଆଜି ପୂରିଛି ୧୩ ବର୍ଷ। ୨୦୦୮ ନୟାଗଡ ଅସ୍ତ୍ରାଗାର ଲୁଟ୍‌ ଘଟଣା ଓଡ଼ିଶା ଇତିହାସର ଭୟଙ୍କର ଦିନ। ଯାହାକି ଲାଲବାହିନୀ କାର୍ଯ୍ୟକଳାପର ସବୁ ସୀମା ଟପି ଯାଇଥିଲା। ଅସ୍ତ୍ରାଗାର ଲୁଟ ପରେ ଖସି ପଳାଇବାକୁ ଚେଷ୍ଟା କରୁଥିବା ବେଳେ ଗଞ୍ଜାମ ସୀମାନ୍ତ ଗସ୍‌ମାହା ଠାରେ ପୁଲିସ ସହ ହୋଇଥିଲା ସମ୍ମୁଖ ଯୁଦ୍ଧ। ସେହି ସମୟର ଭୟର ବାଦଲ ଏବେ ବି ଘୁରି ବୁଲୁଛି ଗସ୍‌ମାହା ଆକାଶରେ। ଯେଉଁଠିକୁ ଦିନେ ରାଜ୍ୟର ପୁଲିସ ମୁଖିଆ ଠାରୁ ଆରମ୍ଭ କରି ଶହଶହ ଯବାନ ଗସ୍‌ମାହା ଦେଇ ଜଙ୍ଗଲ ମଧ୍ୟରେ ମାଓବାଦୀକୁ ମୁକାବିଲା କରିବା ପାଇଁ ଦିନରାତି ପଇଁତରା ମାରୁଥିଲେ ଆଜି ସେହି ଗସ୍‌ମାହା ଏକ ଅଜଣା ଭୂଖଣ୍ଡ ପାଲଟିଛି। ଅପହଞ୍ଚ ଇଲାକା ହୋଇଥିବାରୁ ଏହି ବାଟଦେଇ ଖସିଯିବାକୁ ନକ୍ସଲମାନେ ବାଛିଥିବା ବେଳେ ତାକୁ ବିକାଶର ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ୧୨ ବର୍ଷ ପରେ ମଧ୍ୟ ରାଜ୍ୟ ସରକାର ସକ୍ଷମ ହୋଇପାରି ନାହାନ୍ତି। ପୂର୍ବଭଳି ଗୁଳି ବାରୁଦର ଶବ୍ଦ ଶୁଣିବାକୁ ମିଳୁନି କିନ୍ତୁ ଘଞ୍ଚ ବନାନୀ ଘେରରେ ପକ୍ଷୀଙ୍କ ଶବ୍ଦ ଗୁଞ୍ଜରଣ ହେଉଛି। ଶିକ୍ଷା ଠାରୁ ଆରମ୍ଭ କରି ଗମନାଗମନ, ବିଦ୍ୟୁତ, ପାନୀୟଜଳ ଓ ସ୍ବାସ୍ଥ୍ୟ ଭଳି ‌ମୌଳିକ ସୁବିଧା ଯୋଗାଇବାରେ ରାଜ୍ୟ ସରକାର ସଫଳ ହୋଇପାରି ନାହାନ୍ତି। ଫଳକରେ ବିକାଶ ସୀମିତ ଥିବା ଗସମାହା ଗ୍ରାମ ଆଜି ବି ଅପହଞ୍ଚ ହୋଇ ରହିଛି।

ଗସ୍‌ମାହା ସମେତ ସେତେବେଳେ ମାଓବାଦୀମାନେ ଯେଉଁ ଜଙ୍ଗଲରେ ଆତ୍ମଗୋପନ କରିବାର ସୂଚନା ରହିଥିଲା ସେହି ଅଞ୍ଚଳକୁ ପୁଲିସ କିମ୍ବା ପ୍ରାଶାସନିକ ଅଧିକାରୀଙ୍କ ପାଦ ପଡୁନି। ଗଞ୍ଜାମ କନ୍ଧମାଳ ଜିଲ୍ଲା ସୀମାନ୍ତରେ ଥିବା ଗସ୍‌ମାହା ଭଞ୍ଜନଗର ଠାରୁ ନିକଟତର ହେଲେ ମଧ୍ୟ ଏହା କନ୍ଧମାଳ ଜିଲ୍ଲାରେ ରହିଛି। କନ୍ଧମାଳ ଜିଲ୍ଲା ଚକାପାଦ ବ୍ଲକ ଅନ୍ତର୍ଗତ ଚାହାଳି ପଞ୍ଚାୟତର ଅନୁନ୍ନତ ଓ ଅବହେଳିତ ଗ୍ରାମ ଗସ୍‌ମାହା ପ୍ରତି ସରକାରଙ୍କ ଦୃଷ୍ଟି ରହିଥିଲେ ମଧ୍ୟ ବିକାଶ ସମ୍ଭବପର ହୋଇପାରିନି। ପାଦ ପକାଇବାକୁ ଭୟ କରନ୍ତି ସରକାରୀ ଅଧିକାରୀ, ଠିକାଦାର ଓ ପୁଲିସ। ଅଞ୍ଚଳର ବିକାଶ ନାମରେ ମାଓ ଅପରସେନ୍ ପରେ ଗ୍ରାମରେ କିଛି ରାସ୍ତା କଂକ୍ରିଟ ହୋଇଥିବା ବେଳେ ତାହା ମଧ୍ୟ ଏବେ ଭାଙ୍ଗିଯାଇଛି। ସଞ୍ଜ ହେଉହେଉ ଗାଁରେ ଅନ୍ଧାର ମାଡିଯାଉଛି। ପଞ୍ଚାୟତ ପକ୍ଷରୁ ମିଳିଥିବା ଗୋଟିଏ ସୋଲାର ଲାଇଟରେ ଗାଁ ଆଲୋକିତ ହେଉଛି। ବହୁ ବର୍ଷରୁ ଗାଁକୁ ବିଦ୍ୟୁତ ସଂଯୋଗ ପାଇଁ ଖୁଣ୍ଟ ପୋତାଯାଇଛି କିନ୍ତୁ ସେଥିରେ ତାର ଲମ୍ବିନଥିବା ବେଳେ ବିଦ୍ୟୁତ ସେବା ପାଇପାରି ନାହାନ୍ତି। ଗାଁରେ ବିଜୁଳି ପହଞ୍ଚିବା ପାଇଁ ସରକାର କେତେ ଯୋଜନା କରିଛନ୍ତି ତାହା ସେମାନଙ୍କ ପାଇଁ ସ୍ବପ୍ନଟିଏ ପାଲଟିଛି।  ପାନୀୟ ଜଳ ପାଇଁ ନଳକୂପ ଖୋଳାଯାଇଥିବା ବେଳେ ସେଥିରୁ ବାହାରୁଥିବା ପାଣି ବ୍ୟବହାର ଯୋଗ୍ୟ ହୋଇପାରୁ ନାହିଁ। ଯାହାଫଳରେ କୁଲାପଥର ପାହାଡରୁ ଆସୁଥିବା ନାଳ ପାଣି ଉପରେ ଭରସା କରନ୍ତି।

ଏମିତି କିଛି ଅସଜଡା ବିକାଶ ବ୍ୟତିତ ଆଉ କିଛି ବିକାଶର ଛାପ ଏଠି ଦେଖିବାକୁ ମିଳିନାହିଁ। ଗ୍ରାମର କୋଠ ଘରେ ଚାଲିଥିବା ପ୍ରାଥମିକ ଶିକ୍ଷା ମଧ୍ୟ ଗତବର୍ଷ ଠାରୁ ବନ୍ଦ କରାଯାଇଥିବାରୁ ପିଲାଙ୍କ ଭବିଷ୍ୟତ ଅନ୍ଧାରମୟ ହୋଇଯାଇଛି। ଲୋକଙ୍କ ସ୍ବାସ୍ଥ୍ୟ ଖରାପ ହେଲେ ୧୦ କିଲୋମିଟର ଦୂର ଗଞ୍ଜାମ ଜିଲ୍ଲା ଗାଲେରୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଉପରେ ନିର୍ଭର କରନ୍ତି। କିନ୍ତୁ ସ୍ବାସ୍ଥ୍ୟବସ୍ଥା ଗୁରୁତର ହେଲେ ସୁଦୂର ବ୍ରହ୍ମପୁର ଯିବାପାଇଁ ଘୋର ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି। ଆଦିବାସୀ ବହୁଳ ଗ୍ରାମର ଲୋକ ଜଙ୍ଗଲ ଓ ଜଙ୍ଗଲ ଜମି ଉପରେ ନିର୍ଭର କରି ଜୀବିକା ନିର୍ବାହ କରୁଥିବା ବେଳେ କିଛି ବ୍ୟକ୍ତି ଚାଷ କାମ କରି ଗୁଜୁରାଣ ମେଣ୍ଟାଇଥାନ୍ତି। ଚାଉଳ ଓ ଭତ୍ତା ଆଣିବା ପାଇଁ ହିତାଧିକାରୀମାନେ ୧୦ରୁ ଅଧିକା କି.ମି ଦୂର ଚାହାଳି ଠାରେ ପଞ୍ଚାୟତ କାର୍ଯ୍ୟାଳୟକୁ ଜଙ୍ଗଲ ପାହାଡ ରାସ୍ତା ଦେଇ ଚାଲି ଚାଲି ଯାଇଥାନ୍ତି। ସେଭଳି ବ୍ଲକ କାର୍ଯ୍ୟାଳୟ ସହିତ ସିଧାସଳଖ ମଧ୍ୟ ଯୋଗାଯୋଗ ନାହିଁ। ଗ୍ରାମରେ ଅଙ୍ଗନବାଡ଼ି କେନ୍ଦ୍ରଟିଏ ନଥିବା ବେଳେ ନିଧିଆବେଣିଆ ଗ୍ରାମକୁ ଶିଶୁମାନଙ୍କୁ ଯିବାକୁ ପଡୁଛି। ସମସ୍ତେ ବିପିଏଲ୍‌ ଅନ୍ତର୍ଭୁକ୍ତ ହୋଇଥିଲେ ମଧ୍ୟ ହାତଗଣତି କେତୋଟି ପରିବାରକୁ ଛାଡିଦଲେ ଆବାସ ଯୋଜନାରେ ଘର ଖଣ୍ତିଏ ମିଳୁପାରିନାହିଁ। ମାଟି ତିଆରି କାନ୍ଥ ଓ ଚାଳ ଛପର ଘରେ ଲୋକ ବସବାସ କରୁଛନ୍ତି। କେନ୍ଦ୍ର ଓ ରାଜ୍ୟ ସ‌ରକାରଙ୍କ ବହୁ ଯୋଜନା ରହିଥିବା ବେଳେ ତାହା ସ୍ବପ୍ନ ହୋଇ ରହିଛି ବୋଲି ଗ୍ରାମବାସୀ ପ୍ରକାଶ କରିଛନ୍ତି।

ଗତ ୨୦୦୮ ମସିହା ଫେବ୍ରୁଆରି ୧୫ ତାରିଖ ରାତିରେ ନୟାଗଡ ଥାନା, ପୁଲିସ ରିଜର୍ଭ ଅସ୍ତ୍ରାଗାର, ପିଟିଏସ ଅସ୍ତ୍ରାଗାର, ନୂଆଁଗା ଓ ଦଶପଲ୍ଲା ଥାନା ଉପରେ ନକ୍ସଲ ହାମଲା କରିଥିଲେ। ନକ୍ସଲଙ୍କ ଗୁଳିରେ ପୁଲିସ ଓ ସାଧାରଣ ବ୍ୟକ୍ତି ପ୍ରାଣ ଚାଲିଯାଇଥିଲା। ନକ୍ସଲମାନେ ଲୁଟି ନେଲେ ବନ୍ଧୁକ ଓ ଲକ୍ଷାଧିକ ଗୁଳିଗୋଳା। ଏହି ଅପରସେନର ନାଁ ଦେଇଥିଲେ ‘ଅପରେସନ୍ ରୋପୱେ’ ଯାହାର କି ରଣକ୍ଷେତ୍ର ପାଲଟିଥିଲା ଗସ୍‌ମାହା। ନୟାଗଡ଼ ଜିଲ୍ଲାରୁ ସୁରକ୍ଷିତ ସ୍ଥାନ ଖୋଜି ପଶି ଆସିଥ‌ିଲେ ଗଞ୍ଜାମ ଜିଲ୍ଲାକୁ। ଭଞ୍ଜନଗର ବ୍ଲକ ଅଧୀନ ଗାଲେରୀ ଫାଣ୍ଡିକୁ ଉଡାଇ ଦେଇଥିଲେ। ଫେବ୍ରୁଆରି ୧୬ ତାରିଖରେ ପୁଲିସ ଓ ମାଓବାଦୀଙ୍କ ସହ ମୁହାଁମୁହିଁ ହୋଇଥିଲା ଗସ୍‌ମାହା ଜଙ୍ଗଲରେ। ଏଥିରେ ଏସ୍‌ଓଜି  ଆସିଷ୍ଟାଣ୍ଡ କମାଣ୍ଡାଣ୍ଟ ପ୍ରମୋଦ ଶତପଥୀଙ୍କ ସମେତ ୩ ପୁଲିସ କର୍ମଚାରୀଙ୍କ ସହିଦ ହୋଇଥିଲେ। ଏଥିରେ କିଛି ମାଓବାଦୀ ମୃତ୍ୟୁବରଣ କରିଥିବା ନେଇ ସରକାର ଦାବି କରିଥିଲେ। ଏହାପରେ ୧୭ ତାରିଖରେ ଆରମ୍ଭ ହୋଇଥିଲା ପୁଲିସ ବାହିନୀର ବିଶାଳ ଅପରେସନ। ଦିଲ୍ଲୀରୁ ବାୟୁସେନାର ହେଲିକେପ୍ଟର ଯୋଗେ ସିଆରପିଏଫ୍‌ ବାହିନୀ  ଓ ଆନ୍ଧ୍ରପ୍ରଦେଶର ଗ୍ରେହାଉଣ୍ଡ ଆସି ଅପରସେନ୍‌ରେ ସାମିଲ ହୋଇଥିଲେ। ୧୮ ତାରିଖ ଠାରୁ ଗସ୍‌ମାହା ଜଙ୍ଗଲରୁ ବିପୁଳ ମାତ୍ରାରେ ଲୁଟ ଅସ୍ତ୍ରଶସ୍ତ୍ର ଉଦ୍ଧାର କରାଯାଇଥିଲା। ଗସ୍‌ମାହା ଜଙ୍ଗଲ ଅପରସେନରେ ଛାନଭିନ୍‌ ହୋଇଥିବା ବେଳେ ଏବେ ସେଠାରେ ନୀରବତା ଖେଳିଯାଇଛି।

ବେଳେ ବେଳେ ଯବାନଙ୍କ ଗତିବିଧି ରହୁଥିବା  ସେହି ଅଞ୍ଚଳକୁ ଯାଇ ବୁଲି ଆସୁଥିବା ନେଇ ଗ୍ରାମବାସୀ ପ୍ରକାଶ କରିଛନ୍ତି। ସେଠାରେ ପଡିରହିଥିବା ପୋଡା ଗାଡି ମୁକସାକ୍ଷୀ ପାଲଟି ରହିଛି। କିନ୍ତୁ ବାହାର ଦୁନିଆରୁ ଦେଖ‌ିଲେ ସତେ ଯେମିତ ସେଠାରେ କିଛି ହୋଇନଥିବା ଭଳି ମନେହେଉଛି। ଦୁର୍ଗମ ରାସ୍ତା ଘଞ୍ଚ ଜଙ୍ଗଲ ସହିତ ସୀମାନ୍ତ ଅଞ୍ଚଳ ହୋଇଥିବା ବେଳେ ଲୋକଙ୍କ ନୀରକ୍ଷରତା ମାଓବାଦୀମାନଙ୍କୁ ତାଙ୍କ କାର୍ଯ୍ୟକାଳପ ବୃଦ୍ଧି କରିବାରେ ସହାୟ ହେଉଛି। କନ୍ଧମାଳ, ଗଞ୍ଜାମ ଓ ନୟାଗଡକୁ ଯୋଗାଯୋଗ ପାଇଁ ଏବେ ବି ମାଓ କରିଡର ଭାବେ ଏହି ଅଞ୍ଚଳ ବ୍ୟବହୃତ ହେଉଥିବା କଥାକୁ ଅସ୍ବୀକାର କରାଯାଇ ନପାରେ।

ସମ୍ବନ୍ଧିତ ଖବର