୪ କୋଭିଡ୍ ହସପିଟାଲରେ ଭର୍ତ୍ତି ହୋଇଥିଲେ ୧୧,୭୮୦ ରୋଗୀ
ରୋଗୀ ପିଛା ଖର୍ଚ୍ଚ ୧ ଲକ୍ଷ ୧୦ ହଜାର
ରାଉରକେଲା: ଜିଲ୍ଲାରେ କୋଭିଡ୍ ସଂକ୍ରମଣ ଏବେ ଆଖିଦୃଶିଆ କମିଛି। ତେବେ ଦ୍ୱିତୀୟ ଲହରରେ ଏହାର ତାଣ୍ଡବ ଭୋଗିଥିଲେ ଜିଲ୍ଲାବାସୀ। ବିଶେଷକରି ଗତ ଏପ୍ରିଲ ମାସରେ ଦୈନିକ ସଂକ୍ରମଣ ୨ ହଜାର ଟପିଥିଲା। ବହୁ ରୋଗୀଙ୍କ ଅକାଳ ବିୟୋଗ ହୋଇଥିବାବେଳେ ହଜାର ହଜାର ଲୋକ ହସପିଟାଲରେ ଭର୍ତ୍ତି ହୋଇଥିଲେ। ଜିଲ୍ଲାରେ ଥିବା ୪ଟି ସରକାରୀ କୋଭିଡ୍ ହସପିଟାଲରେ ମୋଟ୍ ୧୧ ହଜାର ୮ ଶହ ଜଣ ରୋଗୀ ଭର୍ତ୍ତି ହୋଇଥିଲେ। ଏମାନଙ୍କ ଚିକିତ୍ସା ବାବଦକୁ ସରକାରଙ୍କ ପକ୍ଷରୁ ୧୩୦ କୋଟି ୭୨ ଲକ୍ଷ ୮୦ ହଜାର ଟଙ୍କା ବ୍ୟୟ କରାଯାଇଥିବା ଜଣାପଡ଼ିଛି।
କୋଭିଡ୍ ରୋଗୀଙ୍କ ଚିକିତ୍ସା ପାଇଁ ଜିଲ୍ଲାରେ ୪ଟି କୋଭିଡ୍ ହସପିଟାଲ ସ୍ଥାପନ କରାଯାଇଛି। ସେଗୁଡ଼ିକ ହେଲା, ହାଇଟେକ୍ କୋଭିଡ୍ ହସପିଟାଲ, ଶାନ୍ତି ମେମୋରିଆଲ କୋଭିଡ୍ ହସପିଟାଲ, ଜୟ ପ୍ରକାଶ କୋଭିଡ ହସପିଟାଲ ଓ ସୁନ୍ଦରଗଡ଼ ଏନ୍ଟିପିସି କୋଭିଡ୍ ହସପିଟାଲ। ଗତ ଅକ୍ଟୋବର ମାସ ଶେଷ ସୁଦ୍ଧା ଏହି ୪ଟି ହସପିଟାଲରେ ଜିଲ୍ଲାର ମୋଟ୍ ୧୧ ହଜାର ୮୮୦ ଜଣ ରୋଗୀ ଚିକିତ୍ସିତ ହୋଇଛନ୍ତି। ଚିକିତ୍ସା ବାବଦକୁ ୧୩୦ କୋଟି ୭୨ ଲକ୍ଷ ୮୦ ହଜାର ଟଙ୍କା; ଅର୍ଥାତ୍ ଗୋଟିଏ ରୋଗୀ ପିଛା ହାରାହାରି ୧ ଲକ୍ଷ ୧୦ ହଜାର ୪୦ ଟଙ୍କା ବ୍ୟୟ ହୋଇଛି। ସର୍ବାଧିକ ବ୍ୟୟ ଜୟ ପ୍ରକାଶ କୋଭିଡ ହସପିଟାଲରେ ହୋଇଛି। ଏଠାରେ ମୋଟ୍ ୧୪୯୦ ଜଣ ରୋଗୀ ଚିକିତ୍ସତ ହୋଇଥିଲେ। ଚିକିତ୍ସା ଖର୍ଚ୍ଚ ବାବଦକୁ ୭୭ କୋଟି ୩୨ ଲକ୍ଷ ୬୪ ହଜାର ଟଙ୍କା ବ୍ୟୟ ହୋଇଛି। ସେହିଭଳି ହାଇଟେକ୍ କୋଭିଡ ହସପିଟାଲରେ ଚିକିତ୍ସିତ ହୋଇଥିବା ୪୭୯୩ ଜଣଙ୍କ ପାଇଁ ୨୮ କୋଟି ୭୪ ଲକ୍ଷ ୮୮ ହଜାର ଟଙ୍କା ବ୍ୟୟ ହୋଇଥିବାବେଳେ ଶାନ୍ତି ମେମୋରିଆଲ ହସପିଟାଲରେ ୧୪୧୭ ଜଣ ରୋଗୀଙ୍କ ପାଇଁ ୧୪ କୋଟି ୪୦ ଲକ୍ଷ ୪୨ ହଜାର ଓ ଏନ୍ଟିପିସି କୋଭିଡ ହସପିଟାଲ(ସୁନ୍ଦରଗଡ଼)ରେ ୪୧୮୦ ଜଣଙ୍କ ପାଇଁ ୧୦ କୋଟି ୨୪ ଲକ୍ଷ ୮୬ ହଜାର ଟଙ୍କା ବ୍ୟୟ ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/12/covid-hospital-rkl.jpg)