ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲାର ଖଣି ଅଞ୍ଚଳ କୋଇଡ଼ା। ରାଜ୍ୟ ରାଜକୋଷକୁ ସର୍ବାଧିକ ରାଜସ୍ବ ଦେଇ ଆସୁଥିବା ଏହି ବ୍ଲକର ବିକାଶ କିନ୍ତୁ ସମସ୍ତେ ଭୁଲିଯାଇଛନ୍ତି। ଗତ ୧୦ ବର୍ଷ ମଧ୍ୟରେ ଏହି ଅଞ୍ଚଳରୁ ଜିଲ୍ଲା ଖଣିଜ ପ୍ରତି‌‌ଷ୍ଠାନ (ଡିଏମ୍‌ଏଫ୍‌) ପାଣ୍ଠିକୁ ଆସିଛି ୭ ହଜାର ୬୫୦ କୋଟି ୩୮ ଲକ୍ଷ। ପ୍ରତି ବର୍ଷ ହଜାର ହଜାର କୋଟି ରୟାଲିଟି ଦେଉଥିବା କୋଇଡା ଅଞ୍ଚଳବାସୀ ଆଜି ଅବହେଳିତ। ସ୍ବାଧୀନତାର ୭୭ ବର୍ଷ ପରେ ମଧ୍ୟ ବ୍ଲକର ପ୍ରାୟ ଅଧିକାଂଶ ଅଞ୍ଚଳର ବିକାଶର ପାଦ ଚିହ୍ନ ପଡ଼ିନି। ମୌଳିକ ସୁବିଧା ମଳୁନି। ଖଣିର ଆଁରେ ଭିଟାମାଟି ହରାଇଥିବା ପ୍ରାୟ ୧୦ ହଜାର ଲୋକ ବ୍ଲକ ଛାଡିଦେଇ ସାରିଲେଣି। ଅବଶ୍ୟ ଗତ ୧୦ ବର୍ଷ ମଧ୍ୟରେ ବ୍ଲକରେ ୧୩୦୯ କୋଟି ୨୫ ଲକ୍ଷ ଟଙ୍କା ଖର୍ଚ୍ଚ କରିଛି। ହେଲେ ଯୋଗାଯୋଗ, ପାନୀୟ ଜଳ, ଶିକ୍ଷା, ସ୍ବାସ୍ଥ୍ୟ, ଜଳସେଚନ, ଦକ୍ଷତା ବିକାଶ, ମହିଳା ଓ ଶିଶୁଙ୍କ ବିକାଶ ସବୁଥିରେ ବହୁ ପଛରେ ରହିଛି। ବ୍ଲକର ବିଭିନ୍ନ ଖଣିରୁ ଆଦାୟ ରୟାଲିଟି ଅର୍ଥ ସ୍ଥାନୀୟ ଅଞ୍ଚଳ ପରିବର୍ତ୍ତେ ଅନ୍ୟାନ୍ୟ ଅଞ୍ଚଳରେ ବେଆଇନ ଭାବେ ପାଣି ବୋହିଲା ପରି ଖର୍ଚ୍ଚ କରାଯାଇଛି। ଆଜି ବି କୋଇଡା ବ୍ଲକ ପ୍ରାୟ ୩୦% ଲୋକ ମୌଳିକ ସୁବିଧା ବଞ୍ଚିତ।

Advertisment

ରାସ୍ତା ମରାମତି ଓ ଗାଁ ରାସ୍ତା ନିର୍ମାଣରେ ମୋଟ ୧୨୦ କୋଟି ୮୨ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଛି। ମିଥିର୍ଡାରୁ କଦଳିଆ, କଦଳିଆରୁ ମଣ୍ଡକୋଡା, ପାନପୋଷିରୁ ଗଣୁଆ, କୋଇଡାରୁ କଳମଙ୍ଗ, କୋଇଡାରୁ ତେହେରାଇ ଗ୍ରାମ୍ୟ ରାସ୍ତାରେ କୋଟି କୋଟି ଟଙ୍କା ଡିଏମ୍‌ଏଫ୍‌ ପାଣ୍ଠି ବିନିଯୋଗ କରାଯାଇଛି। ଠିକାସଂସ୍ଥାମାନଙ୍କ ଦ୍ବାରା ଏମିତି କାମ କରାଯାଇଛି ଯେ, କିଛି ମାସ ପରେ ରାସ୍ତାରେ ଚିହ୍ନବର୍ଣ୍ଣ ଦେଖିବାକୁ ମିଳୁନି। ମୁଖ୍ୟ ରାସ୍ତାରୁ ବସ୍ତିକୁ ସଂଯୋଗ କରୁଥିବା ରାସ୍ତାର ସ୍ଥିତି ଆହୁରି ସଙ୍ଗୀନ। ଏମିତି ଅନେକ ରାସ୍ତା ରହିଛି। ପାନୀୟ ଜଳ ବାବଦରେ ୧ କୋଟି ୯୮ ଟଙ୍କା ଖର୍ଚ୍ଚ କରାଯାଇଛି। ବର୍ଷ ବର୍ଷ ଧରି ୩ ପଞ୍ଚାୟତବାସିନ୍ଦାଙ୍କ ‌ଶୋଷ ମେଣ୍ଟାଉଛି ବିଷାକ୍ତ ସୁନା ନାଳ। ପାଟମୁଣ୍ଡା, ‌ମାଲଦା, କୋଇଡା ପଞ୍ଚାୟତର ପ୍ରାୟ ୫ ହଜାର ଲୋକ ନଦୀ ପାଣିକୁ ପିଇବା ସହ ନିତ୍ୟବ୍ୟବହାର୍ଯ୍ୟ କାମରେ ବ୍ୟବହାର କରୁଛନ୍ତି। ଏଥିପ୍ରତି କାହାର ନଜର ନାହିଁ। ଶିକ୍ଷାରେ ୨୬୫ କୋଟି ୫୬ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଛି। ଅଧିକାଂଶ ସ୍କୁଲରେ ଶିକ୍ଷକ ପଦବୀ ଖାଲି ପଡ଼ିଛି। କଲେଜରେ ମଧ୍ୟ ସେହି ସମାନ ସ୍ଥିତି। ବିଜୁଳି ବ୍ୟବସ୍ଥାରେ ୨୧ କୋଟି ୬୧ ଲକ୍ଷ ଖର୍ଚ୍ଚ ହୋଇଛି। କୋଇଡା ବ୍ଲକ ପାର୍ଶ୍ବବର୍ତ୍ତୀ ଆଜି ଯାଏଁ ବିଜୁଳି ଆଲୋକ ଦେଖିନାହାନ୍ତି। କେବେ ଦେଖିବେ, କାହାରି ପାଖରେ ଉତ୍ତର ନାହିଁ। ପରିବେଶ ସୁରକ୍ଷାରେ ୨୩ କୋଟି ୯୦ ଲକ୍ଷ ଓ ସ୍ବାସ୍ଥ୍ୟ କ୍ଷେତ୍ରରେ ସର୍ବାଧିକ ୫୩୭ କୋଟି ୯୯ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି। ଏଠାରେ ପିଏଚ୍‌ସି ଓ ସିଏଚ୍‌ସିରେ ଡାକ୍ତରୀ ପଦବୀ ଖାଲି ପଡିଛି। ଆନୁଷଙ୍ଗିକ ବ୍ୟବସ୍ଥା ନାହିଁ। ଜଳସେଚନରେ ୧୨ କୋଟି ୬୧ ଲକ୍ଷ, ଜୀବନଜୀବିକାରେ ୮୫ କୋଟି ୮୪ ଲକ୍ଷ, ପରିମଳ ବ୍ୟବସ୍ଥାରେ ୧୬ କୋଟି ୫୭ ଲକ୍ଷ, ଦକ୍ଷତା ବିକାଶରେ ୪୪ ‌କୋଟି ୮୭ ଲକ୍ଷ ଓ ମହିଳା ଓ ଶିଶୁ ବିକାଶରେ ୬୬ କୋଟି ୮୬ କୋଟି ଟଙ୍କା ଡିଏମ୍‌ଏଫ୍‌ ପାଣ୍ଠିରୁ ବିନିଯୋଗ ହୋଇଛି।