ଓଏମ୍‌ସି ଖଣିରୁ ଛଟେଇ ପରେ ଛଟେଇ, ୧୩୧ ଖଣି ଶ୍ରମିକଙ୍କୁ ବିଜିଆର୍ ପକ୍ଷରୁ ଛଟେଇ ନୋଟିସ୍

କାଳିଆପାଣି : କରୋନା ବେଳେ ରାଜ୍ୟର ସର୍ବାଧିକ ଲାଭ ପ୍ରଦାନକାରୀ ଉଦ୍ୟୋଗ ଓଡ଼ିଶା ଖଣି ନିଗମ(ଓଏମ୍‌ସି)‌ରେ ବଡ଼ ବ୍ୟତିକ୍ରମ ଦେଖିବାକୁ ମିଳିଛି। ଗତକାଲି ସଂଧ୍ୟାରେ ଓଏମ୍‌ସି ଦକ୍ଷିଣ କାଳିଆପାଣି କ୍ରୋମାଇଟ୍‌ ଖଣି ଡି’କ୍ବାରିରୁ ୧୩୧ ଜଣ ଠିକା ଖଣି ଶ୍ରମିକଙ୍କୁ ନିଯୁକ୍ତିଦାତା ବିଜିଆର୍ ମାଇନିଂ ଇନଫ୍ରା କମ୍ପାନି ପକ୍ଷରୁ ଛଟେଇ ନୋଟିସ୍ ଦିଆଯାଇଛି। ଉଦ୍ୟୋଗିକ ବିବାଦ ଧାରା ୨୫(ଏନ୍‌)(୧)-୧୯୪୭ ଆଧାରରେ ଏହି ବିଜ୍ଞପ୍ତି ଜାରି ହୋଇଥିବା କମ୍ପାନି ପକ୍ଷରୁ ଦର୍ଶାଯାଇଛି। ଗତ ୭ ମାସ ମଧ୍ୟରେ ଏହା କମ୍ପାନିର ଦ୍ବିତୀୟ ଛଟେଇ ନୋଟିସ୍ ହୋଇଥିବାରୁ ସାଧାରଣରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।

ସୂଚନାଯୋଗ୍ୟ ଯେ, ଗତ ଡିସେମ୍ବର ମାସ ୨୯ ତାରିଖରେ ବିଜିଆର୍ କମ୍ପାନି ପକ୍ଷରୁ ୧୨୬ ଜଣ ଖଣି ଶ୍ରମିକଙ୍କୁ ଛଟେଇ କରାଯାଇଥିଲା। ପୁନଃ ନିଯୁକ୍ତି ଦାବିରେ ଛଟେଇ ଶ୍ରମିକମାନେ ନିରବଛିନ୍ନ ଭାବେ ୫୪ ଦିନ ଧରି ଓଏମ୍‌ସି ଦକ୍ଷିଣ କାଳିଆପାଣି ଖଣି ପ୍ରବନ୍ଧକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣାରେ ବସିରହି କମ୍ପାନି ମନମାନିର ଦୃଢ଼ ପ୍ରତିବାଦ କରିଥିଲେ। ଶ୍ରମିକସଂଘ ପ୍ରତିଷ୍ଠାତା ପୂର୍ବତନ ମନ୍ତ୍ରୀ ପ୍ରଫୁଲ ଚନ୍ଦ୍ର ଘଡ଼ାଇ ଓ ବିଧାୟକ ଇଂ ପ୍ରୀତିରଞ୍ଜନ ଘଡ଼ାଇଙ୍କ ହସ୍ତକ୍ଷେପରୁ ଚଳିତମାସ ମାତ୍ର ୩୭ ଜଣ ଠିକା ଖଣି ଶ୍ରମିକଙ୍କୁ ଉକ୍ତ ଖଣି ଓ କମ୍ପାନିରେ ପୁନଃ ନିଯୁକ୍ତି ମିଳିଛି। ଏଯାବତ୍‌ ବେରୋଜଗାର ରହିଥିବା ୮୯ ଆଶାୟୀ ଅଭିଜ୍ଞ ଓ କୁଶଳୀ ଖଣି ଶ୍ରମିକ ପୁନଃ ନିଯୁକ୍ତି ଅପେକ୍ଷାରେ ରହିଥିବା ସ୍ଥଳେ କମ୍ପାନିର ଏତାଦୃଶ ଆଭିମୁଖ୍ୟ ଶ୍ରମିକଙ୍କ ସବୁ ଆଶା ଓ ଭରସା ଉପରେ ପୂର୍ଣ୍ଣଛେଦ ଟାଣି ଦେଇଛି।

କରୋନା ମହାମାରୀ ପରିସ୍ଥିତିରେ ଛଟେଇକୁ ନେଇ ସଂପୃକ୍ତ ପରିବାରରେ ନୈରାଶ୍ୟ ଛାଇ ଯାଇଛି। କମ୍ପାନିର ଏ ପ୍ରକାର ଆଭିମୁଖ୍ୟକୁ ଦୃଢ଼ ପ୍ରତିବାଦ କରି ଏଠାରେ ନିୟୋଜିତ ସମସ୍ତ ସ୍ଥାନୀୟ ଶ୍ରମିକ ବୁଧବାାର ଦିନ କାମରୁ ଓହରି ଯାଇଛନ୍ତି। ବୁଧବାର ସକାଳଠାରୁ ଖଣିରେ ଖନନ ଓ ଖଣିଜ ଉତ୍ପାଦନ ସଂପୂର୍ଣ୍ଣ ଠପ୍‌ ହୋଇରହିଛି। ସେହିପରି ବିପରୀତ ପରିସ୍ଥିତିରେ ଶହଶହ କୁଶଳୀ ଶ୍ରମିକଙ୍କ ଭାଗ୍ୟ ଓ ଭବିଷ୍ୟତ ଅନ୍ଧାରକୁ ଠେଲି ଦିଆଯିବା ଘଟଣାକୁ ସୁକିନ୍ଦା ରିଜିଅନ କ୍ରୋମାଇଟ୍‌ ଖାଦାନ ମଜଦୁର ସଂଘ ସଭାପତି ତଥା ବିଧାୟକ ଇଂ ପ୍ରୀତିରଞ୍ଜନ ଘଡ଼ାଇ ସହଜରେ ଗ୍ରହଣ କରିପାରି ନାହାନ୍ତି। କମ୍ପାନିର ଏତାଦୃଶ ଚିନ୍ତାଧାରା ଶ୍ରମଜୀବୀ ପରିପନ୍ଥୀ ବୋଲି ସେ କହିଛନ୍ତି। ଶ୍ରମିକମ‌ାନେ ଦୁଃଖରେ ଭାଙ୍ଗି ପଡ଼ିଥିବା ବେଳେ ବିଧାୟକ ଶ୍ରୀ ଘଡ଼ାଇ ବୁଧବାର କାଳିଆପାଣିସ୍ଥିତ ଶ୍ରମିକସଂଘ ମୁଖ୍ୟାଳୟ ପହଞ୍ଚିଥିଲେ। କେବଳ କେନ୍ଦ୍ରୀୟ କମିଟି ସଭ୍ୟଙ୍କ ଉପସ୍ଥିତିରେ ପ୍ରସଙ୍ଗକୁ ନେଇ ସେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ। ଏ ସଂପର୍କରେ ଶ୍ରମିକସଂଘ ସାଧାରଣ ସଂପାଦକ ନାରାୟଣ ଚନ୍ଦ୍ର ଧୀର ଓ ଛାମୁଆଁ ଶ୍ରମିକ ପ୍ରତିନିଧିମାନଙ୍କ ସହ ଖୋଲା ଆଲୋଚନା କରି ସେମାନଙ୍କ ମତାମତ ଲୋଡ଼ିଥିଲେ। ଛଟେଇ ଶ୍ରମିକଙ୍କ ପ୍ରତି ଏହା ନିଯୁକ୍ତିଦାତା ବିଜିଆର୍ କମ୍ପାନି ଓ ମୂଳ ନିଯୁକ୍ତିଦାତା ଓଏମ୍‌ସିର ସବୁଠୁ ବଡ଼ ଅବିଚାର ବୋଲି ସାଧାରଣରେ ମତ ପ୍ରକାଶ ପାଇଛି। ନିଷ୍ପତ୍ତିର ପୁନର୍ବିଚାର ନହେବା ପର୍ଯ୍ୟନ୍ତ କୌଣସି ଓଡ଼ିଆ ସ୍ଥାନୀୟ ଶ୍ରମିକ ଖଣି କାର୍ଯ୍ୟରେ ଯୋଗଦେବେ ନାହିଁ ବୋଲି ପ୍ରତିନିଧିମାନେ ରୋକ୍‌ଠୋକ୍‌ ମତ ରଖିଥିଲେ। କରୋନା ବେଳେ ଶ୍ରମିକ ମାରଣ ନୀତି ସଂପୂର୍ଣ୍ଣ ଅଯୌକ୍ତିକ ଓ ବେଆଇନ ବୋଲି କହିବା ସହ ଏ କ୍ଷେତ୍ର‌ରେ କମ୍ପାନିର ମନମାନିକୁ ବରଦାସ୍ତ କରାଯିବନି ବୋଲି ବିଧାୟକ ଶ୍ରୀ ଘଡ଼ାଇ କହିଛନ୍ତି।

ଅନ୍ୟ ପକ୍ଷରେ ଉକ୍ତ ଖଣିର ଚଳିତ ବର୍ଷ ବାର୍ଷିକ ଚୁକ୍ତିନାମାରେ ଖଣିର ଉତ୍ପାଦନ କ୍ଷମତା ୬୧ ଲକ୍ଷ ୪୬ ହଜାର ଘନ ମିଟରରୁ ୩୨ ଲକ୍ଷ ଘନ ମିଟରକୁ ହ୍ରାସ କରାଯାଇଥିବା କାରଣରୁ ଖଣିରେ ଶ୍ରମିକ ନିୟୋଜନ ସଂଖା ହ୍ରାସ ନିଷ୍ପତ୍ତି ନିଆଯାଇଛି ବୋଲି ବିଜିଆର୍ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର