ଜଳେଶ୍ବର: ସୁବର୍ଣ୍ଣରେଖାର ବନ୍ୟା ବିପତ୍ତି ଟଳି ଯାଇଥିବା ବେଳେ ବନ୍ୟା ଯୋଗୁ ପ୍ରଭାବିତ ହୋଇଥିବା ଜଳେଶ୍ବର ବ୍ଲକର ୨୮ଟି ପଞ୍ଚାୟତର ୧୩୪ଟି ଗାଁର ଅଧିବାସୀଙ୍କ ଦୁର୍ଦ୍ଦଶା ବଢ଼ିଯାଇଛି। ବିଶେଷ କରି ଆଜି ଦିନତମାମ ଲଗାଣ ବର୍ଷାରେ ଜଳବନ୍ଦି ଓ ବାସହରା ପରିବାରଗୁଡ଼ିକ ଅତି ଦୟନୀୟ ଅବସ୍ଥାରେ କାଳାତିପାତ କରୁଛନ୍ତି। ଏହି ବିପନ୍ନ ପରିବାରଗୁଡ଼ିକୁ ଯୁଦ୍ଧକାଳୀନ ଭିତ୍ତିରେ ରିଲିଫ ସହାୟତା ସହ ପଲିଥିନ ଓ ଅନ୍ୟାନ୍ୟ ସହାୟତା ଯୋଗାଇଦେବାକୁ ସବୁ ମହଲରେ ଦାବି ହୋଇଛି। ସବୁଠାରୁ ଅଧିକ ସମସ୍ୟା ଭୋଗୁଛନ୍ତି ଦିନମଜୁରିଆ ଓ କୃଷି ଶ୍ରମିକମାନେ। ବନ୍ୟା ଯୋଗୁ ସେମାନଙ୍କ ହାତରେ କାମଧନ୍ଦା ନଥିବା ବେଳେ ପରିସ୍ଥିତି କେବେ ସ୍ବାଭାବିକ ହେବ ଓ ସେତେଦିନ ଯାଏ ପରିବାର କିପରି ପ୍ରତିପୋଷଣ ହେବ ସେନେଇ ଚିନ୍ତାରେ ରହିଛନ୍ତି।
ଅନ୍ୟପକ୍ଷରେ ହଜାର ହଜାର ହେକ୍ଟର ଚାଷଜମି ଉଜୁଡ଼ି ଯାଇଥିବାରୁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ଚାଷ କରିଥିବା ଚାଷୀ ମଧ୍ୟ ମୁଣ୍ଡରେ ହାତଦେଇ ବସିଛନ୍ତି।
ବନ୍ୟାରେ ସହସ୍ରାଧିକ ପରିବାର ବାସହରା ହୋଇଥିବା ବେଳେ କ୍ଷତିଗ୍ରସ୍ତ ପରିବାରକୁ ଚିହ୍ନଟ ପାଇଁ ରାଜସ୍ୱ ବିଭାଗ ତରଫରୁ ଗତକାଲିଠାରୁ ସର୍ଭେ ଆରମ୍ଭ ହୋଇଛି। ଗତକାଲି ପ୍ରଥମ ଦିନରେ ୪ଟି ଘର ସମ୍ପୂର୍ଣ୍ଣ ଓ ୪୪ଟି ଘର ଆଂଶିକ କ୍ଷତିଗ୍ରସ୍ତ ହୋଇଥିବା ସର୍ଭେରୁ ଜଣା ପଡ଼ିଛି। ସୁବର୍ଣ୍ଣରେଖାରେ ଜଳସ୍ତର ହ୍ରାସ ପାଇଥିଲେ ମଧ୍ୟ ଏବେ ବି କିଛି ଗାଁ ଆଂଶିକ ଜଳବନ୍ଦି ହୋଇ ରହିଛି। ଜଳବନ୍ଦି ଅବସ୍ଥାରେ ଥିବା ପରିବାରଗୁଡ଼ିକ ନିକଟରେ ଅଦ୍ୟାବଧି ପ୍ରଶାସନ ପହଞ୍ଚି ନଥିବା ଅଭିଯୋଗ ହୋଇଛି। ପଶ୍ଚିମବାଡ଼ ପଞ୍ଚାୟତର ଦେବକୁମାର ଦଳେଇ ସାହିରେ ଆଜି ବି ଅବସ୍ଥା ସଙ୍ଗିନ। ଦେବକୁମାର ବାରିଖିଆ ସାହିର ୧୬ଟି ପରିବାର ସମ୍ପୂର୍ଣ୍ଣ ଜଳବନ୍ଦି ହୋଇ ରହିଛନ୍ତି। ବାଇଧର ଦଳାଇ, ଗଣେଶ ଗାଣ, ପଞ୍ଚାନନ ମହାଳିକଙ୍କ ଘର ବନ୍ୟାରେ ଭାଙ୍ଗିଯାଇଛି ବୋଲି ଗ୍ରାମର ବଂଶୀଧର ଜେନା ସୂଚନା ଦେଇଛନ୍ତି। ବନ୍ୟାରେ ଜଳେଶ୍ବର ବ୍ଲକର ୪୭ଟି ସ୍କୁଲ କ୍ଷତିଗ୍ରସ୍ତ ହୋଇଛି।
୫୦ରୁ ଊର୍ଦ୍ଧ୍ବ ନଳକୂପ ବନ୍ୟାପାଣିରେ ବୁଡ଼ି ଯାଇଥିବା ବେଳେ ଏସବୁ ନଳକୂପର ପାଣି ପୁଣି ବ୍ୟବହାର ଉପଯୋଗୀ କରିବା ପାଇଁ ଗ୍ରାମ୍ୟ ପାନୀୟଜଳ ଯୋଗାଣ ବିଭାଗ ପକ୍ଷରୁ ପଦକ୍ଷେପ ନିଆଯାଉଛି। ଜଳେଶ୍ବର ବ୍ଲକରେ ମୋଟ ୬୧ ହଜାର ଗୃହପାଳିତ ପଶୁ ରହିଥିବା ବେଳେ ସବୁଠାରୁ ଅଧିକ ପ୍ରଭାବିତ ହୋଇଥିବା ୬ ପଞ୍ଚାୟତ ଯଥା ବାଇଗଣବାଡ଼ିଆ, ପଶ୍ଚିମବାଡ଼, ଝାଡ଼ପିପଳ, ପାଇକସିଦା, ଗଡ଼ସାହି ବାଲିଆପାଳ ଓ ରାୟାଁରାମଚନ୍ଦ୍ରପୁର ପଞ୍ଚାୟତର ୧୨୦୩୦ ଟି ଗୋରୁଗାଈଙ୍କୁ ୨୫ ମେଟ୍ରିକ୍ ଟନ୍ ଗୋଖାଦ୍ୟ ପ୍ରାଣୀ ଚିକିତ୍ସା ବିଭାଗ ତରଫରୁ ଯୋଗାଇ ଦିଆଯାଇଛି।
ସମ୍ପତ୍ତିଆ, ଖାଲିନା, ଖୁଲୁଡ଼ା ଓ ବର୍ତ୍ତନା ଆଦି ପଞ୍ଚାୟତକୁ ବାଦ ଦିଆଯାଇଥିବାରୁ ଗୋରୁଗାଈ ଭୋକ ଉପାସରେ ରହିଛନ୍ତି ବୋଲି ଅଭିଯୋଗ ଆସିଛି। ସେହିପରି ବନ୍ୟା ପରେ ବିଭାଗ ପକ୍ଷରୁ ମଧ୍ୟ ଗୋରୁଗାଈଙ୍କୁ ଟିକାକରଣ ସହ ଚିକିତ୍ସା ଶିବିର ଆରମ୍ଭ ହୋଇଛି। ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଅଶ୍ବିନୀ କୁମାର ପାତ୍ର, ବ୍ଲକ ଅଧ୍ୟକ୍ଷ ମାନସ କୁମାର ଜେନା, ମଧୁସୂଦନ ସେନାପତି, ପିସିସି ମୁଖପାତ୍ର ସୁଦର୍ଶନ ଦାସ, ପୂର୍ବତନ ବ୍ଲକ ଉପାଧ୍ୟକ୍ଷ ବ୍ରଜମୋହନ ପ୍ରଧାନ, ବିଜେପି ନେତା ଫାଲଗୁନୀ ପାଣିଗ୍ରାହୀ ଓ ଜଗନ୍ନାଥ ଗୋଚ୍ଛାୟତ ପ୍ରମୁଖ ବନ୍ୟାଞ୍ଚଳ ପରିଦର୍ଶନ କରି ଦୁର୍ଗତଙ୍କ ଅବସ୍ଥା ସଂପର୍କରେ ପଚାରି ବୁଝିଛନ୍ତି।