ରୋଷଘର ଚୁଲି ଭାଙ୍ଗିଲା ପରେ ଏବେ ଶ୍ରୀମନ୍ଦିରରେ ଲାଗିବ ଉଚ୍ଚ କ୍ଷମତାସଂପନ୍ନ ୧୩୫ ସିସିଟିଭି

ପୁରୀ: ଶ୍ରୀମନ୍ଦିର ରୋଷଘରେ ଚୁଲି ଭଙ୍ଗା ଘଟଣା ପରେ ଶ୍ରୀମନ୍ଦିର ପ୍ରଶାସନ, ଜିଲ୍ଲା ପ୍ରଶାସନ ଓ ପୁଲିସ ପ୍ରଶାସନର ନିଦ ଭାଙ୍ଗିଛି। ଶ୍ରୀମନ୍ଦିର ସୁରକ୍ଷା ଏସଓପିକୁ କଡ଼ାକଡ଼ି କରିବାକୁ ଶ୍ରୀମନ୍ଦିର ପରିଚାଳନା କମିଟି, ଜିଲ୍ଲା ପ୍ରଶାସନ ଓ ପୁଲିସ ପ୍ରଶାସନର ଏକ ଗୁରୁତ୍ବପୂର୍ଣ୍ଣ ମିଳିତ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥାକୁ ଆହୁରି କଡ଼ାକଡ଼ି କରିବାକୁ ଯାଇ ଉଚ୍ଚ କ୍ଷମତାସଂପନ୍ନ ସିସିଟିଭି ସହ ଅନ୍ୟାନ୍ୟ ବ୍ୟବସ୍ଥା କରିବାକୁ ଯୋଜନା କରାଯାଇଛି। ପ୍ରତିଦିନ ଜେଟିପିଙ୍କ ସହ ଓଡ଼ିଶା ପୁଲିସ ବି ଶ୍ରୀମନ୍ଦିର ଶୋଧ କରିବେ। ରୋଷଘରେ ଅନୁପ୍ରବେଶ ରୋକିବା ପାଇଁ ୪ ସିସି କ୍ୟାମେରା ଲାଗିବ।

ଏ ସଂପର୍କରେ ସୂଚନା ଦେଇ ଜିଲ୍ଲାପାଳ ଶ୍ରୀ ବର୍ମା କହିଛନ୍ତି, ଶ୍ରୀମନ୍ଦିରରେ ଉଚ୍ଚ କ୍ଷମତାସଂପନ୍ନ ୧୩୫ଟି ସିସିଟିଭି କ୍ୟାମେରା ଲାଗିବ। ପୂର୍ବରୁ ଶ୍ରୀମନ୍ଦିର ପାଇଁ ଯେଉଁ ସୁରକ୍ଷା ଏସଓପି ଥିଲା, ସେଥିରେ ସାମାନ୍ୟ ପରିବର୍ତ୍ତନ କରାଯାଇଛି। ପୂର୍ବରୁ ପ୍ରତିମାସରେ ସୁରକ୍ଷା ସଂପର୍କିତ ସମୀକ୍ଷା ବୈଠକ ବସୁଥିଲା। ଏବେ ପ୍ରତି ସପ୍ତାହରେ ଏହି ବୈଠକ କରିବାକୁ ନିଷ୍ପତ୍ତି ହୋଇଛି। ପ୍ରତି ବୈଠକରେ ଶ୍ରୀମନ୍ଦିର ପ୍ରଶାସନ, ପରିଚାଳନା କମିଟି ସଦସ୍ୟ, ଜିଲ୍ଲା ପ୍ରଶାସନ ଓ ପୁଲିସ ପ୍ରଶାସନର ଅଧିକାରୀମାନେ ରହିବେ। ସାପ୍ତାହିକ ତ୍ରୁଟି ବିଚ୍ୟୁତିର ସମୀକ୍ଷା କରାଯିବ। ଯାହା ବି ଛୋଟବଡ଼ ସମସ୍ୟା ରହିଥିବା ସମାଧାନ କରାଯିବ। କେଉଁ କେଉଁ ଜାଗାରେ ସିସିଟିଭି ଲଗାଯିବ, ତାହା ଚିହ୍ନଟ ସରିଛି।

ସିସିଟିଭିର ଫୁଟେଜ୍ ବ୍ୟାକଅପ ପ୍ରାୟ ୨ ମାସ ପର୍ଯ୍ୟନ୍ତ ରହିବ। ସବୁ ସିସିଟିଭି ୱାୟାରଲେସ୍ ରହିବ। ପୂର୍ବରୁ ଜେଟିପିମାନେ ଶୋଧ କାର୍ଯ୍ୟ କରୁଥିଲେ। ରାତ୍ର ପହୁଡ଼ ପୂର୍ବରୁ ଭକ୍ତ, ସେବାୟତଙ୍କୁ ଶ୍ରୀମନ୍ଦିରରୁ ବାହାର କରୁଥିଲେ। କିନ୍ତୁ ଆଗକୁ ଜେଟିପିଙ୍କ ସହ ଓଡ଼ିଶା ପୁଲିସ ବି ଶୋଧ କାର୍ଯ୍ୟ କରିବେ। ପୁଲିସର ଜନୈକ ବରିଷ୍ଠ ଅଧିକାରୀ ଏହାର ନେତୃତ୍ବ ନେବେ। ଶୋଧ ଠିକ୍‌ରେ ହେଲା କି ନାହିଁ, ସେ ଉତ୍ତରଦାୟୀ ରହିବେ। ଶ୍ରୀମନ୍ଦିରରେ ବହୁ ଜେଟିପି ଓ ଅନ୍ୟ ଅଧିକାରୀ ପଦବି ଖାଲି ପଡ଼ିଛି। ଖାଲି ଥିବା ପଦବି ତୁରନ୍ତ ପୂରଣ କରାଯିବ। ରୋଷଘର ଉପରେ କଡ଼ା ନଜର ରହିବ। ପ୍ରବେଶପଥରେ ୪ଟି ସିସିଟିଭି ବିଭିନ୍ନ ପାର୍ଶ୍ବରୁ ଲାଗିବ। ଠିକ୍ ଭାବେ ତାଲା ପଡ଼ିବ ଓ ଗାରଦରେ ଏହି ଜମା କରାଯିବ।

ସମ୍ବନ୍ଧିତ ଖବର