ରାଜ୍ୟରେ ୧୩୫୧ ବିଶେଷଜ୍ଞ ଡାକ୍ତର ପଦବି ଖାଲି

ଖାଲି ପଡ଼ିଛି ୪୩୨ ଏଲ୍‌ଟି ପଦବି

ଭୁବନେଶ୍ବର : ରାଜ୍ୟରେ ୧୩୫୧ ବିଶେଷଜ୍ଞ ଡାକ୍ତର ପଦବି ଖାଲି ରହିଛି। ରାଜ୍ୟରେ ୨୦ଟି କ୍ଷେତ୍ରରେ ମୋଟ ବିଶେଷଜ୍ଞ ଡାକ୍ତରଙ୍କ ମଞ୍ଜୁରିପ୍ରାପ୍ତ ପଦବି ସଂଖ୍ୟା ୨୭୩୭ ରହିଥିବା ସୂଚନା ଦେଇଛନ୍ତି ସ୍ବାସ୍ଥ୍ୟ ମନ୍ତ୍ରୀ ନବକିଶୋର ଦାସ। ବିଧାୟକ ମନୋହର ରନ୍ଧାରୀଙ୍କ ଏକ ପ୍ରଶ୍ନର ଉତ୍ତରରେ ଶ୍ରୀ ଦାସ କହିଛନ୍ତି ଯେ ଧାର୍ଯ୍ୟ ପଦବିରେ ୧୩୨୪ ଜଣ ନିୟମିତ ଡାକ୍ତର ରହିଛନ୍ତି। ଏହାବାଦ୍ ୧୦୭ଜଣ ଚୁକ୍ତିଭିତ୍ତିକ ବିଶେଷଜ୍ଞ ଡାକ୍ତରଙ୍କୁ ମଧ୍ୟ ନିଯୁକ୍ତି ଦିଆଯାଇଛି। ଏହାକୁ ମିଶାଇ ମୋଟ ସଂଖ୍ୟା ୧୪୩୨ ରହିଛି। ଏହାସହ ରାଜ୍ୟରେ ମୋଟ ମଞ୍ଜୁରିପ୍ରାପ୍ତ ଡାକ୍ତରଙ୍କ ସଂଖ୍ୟା ରହିଛି ୮୭୫୦। ତହିଁରୁ ୬୭୭୫ଜଣ ନିୟମିତ ଡାକ୍ତର କାର୍ଯ୍ୟରତ ଥିବା ବେଳେ ୧୯୭୫ଟି ପଦବି ଖାଲି ରହିଛି।

ଖାଲିଥିବା ପଦବିଗୁଡ଼ିକରେ ୩୫ଜଣ ଡାକ୍ତରଙ୍କୁ ଆଡହକ୍ ନିଯୁକ୍ତି ଦିଆଯାଇଛି। ୧୦୫୪ ଜଣ ଡାକ୍ତରଙ୍କୁ ଠିକା ଓ ୩ଜଣ ଡାକ୍ତରଙ୍କୁ କର୍ପସ ପାଣ୍ଠି, ୭୮ଜଣ ଡାକ୍ତର ଜିଲ୍ଲା ଖଣିଜ ପାଣ୍ଠି ଓ ୧୦୨ଜଣ ଡାକ୍ତରଙ୍କୁ ପିଜି ପରବର୍ତ୍ତୀ ବଣ୍ଡ ନିଯୁକ୍ତି ଦିଆଯାଇଛି। ଖାଲିଥିବା ଡାକ୍ତରୀ ପଦବିକୁ ଓଡ଼ିଶା ଲୋକସେବା ଆୟୋଗ, ବିଭାଗୀୟ ପଦୋନ୍ନତି, ଆଡହକ୍ ତଥା ଚୁକ୍ତିଭିତ୍ତିକ ନିଯୁକ୍ତି ଦ୍ବା‌ରା ପୂରଣ କରିବା ପାଇଁ ସରକାର ପଦକ୍ଷେପ ଗ୍ରହଣ କରୁଛନ୍ତି।

ଖାଲି ପଡ଼ିଛି ୪୩୨ ଏଲ୍‌ଟି ପଦବି

ଭୁବନେଶ୍ବର : ରାଜ୍ୟରେ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରଠାରୁ ଆରମ୍ଭ କରି ଜିଲ୍ଲା ମହକୁମା ହସ୍ପିଟାଲରେ ସମୁଦାୟ ୧୫୫୯ଟି ଲାବୋରେଟାରି ଟେକ୍‌ନିସିଆନ୍ ବା ଏଲ୍‌ଟିର ମଞ୍ଜୁରିପ୍ରାପ୍ତ ପଦବି ରହିଛି। ଏଥିରେ ୧୦୯୭ଟି ପଦବିରେ ଏଲ୍‌ଟି କାର୍ଯ୍ୟରତ ଥିବା ବେଳେ ୪୬୨ଟି ପଦବି ଖାଲି ପଡ଼ିଥିବା ସୂଚନା ଦେଇଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ। ବିଧାୟକ ସୌମ୍ୟରଂଜନ ପଟ୍ଟନାୟକଙ୍କ ଏକ ପ୍ରଶ୍ନର ଉତ୍ତରରେ ଶ୍ରୀ ଦାସ କହିଛନ୍ତି ଯେ ରାଜ୍ୟରେ ଏହିସବୁ ଚିକିତ୍ସାଳୟରେ ମୋଟ ୪୯୪ଟି ରେଡିଓଗ୍ରାଫର ମଞ୍ଜୁରିପ୍ରାପ୍ତ ପଦବି ଥିବା ବେଳେ ୨୨୨ଟି ପଦବିରେ ରେଡିଓଗ୍ରାଫର କାର୍ଯ୍ୟରତ ଅଛନ୍ତି ଓ ୨୭୨ଟି ପଦବି ଖାଲି ପଡ଼ିଛି। ଖାଲିଥିବା ରେଡିଓଗ୍ରାଫର ଓ ଏଲ୍‌ଟି ପଦବିଗୁଡ଼ିକ ଓଡ଼ିଶା ଅଧସ୍ତନ କର୍ମଚାରୀ ଚୟନ ଆୟୋଗ ଦ୍ବାରା ପୂରଣ କରାଯିବା ପାଇଁ ସରକାର ଆବଶ୍ୟକ ପଦକ୍ଷେପ ଗ୍ରହଣ କରୁଛନ୍ତି। ଏହାବାଦ୍ ଏବେ ଓଡ଼ିଶା ଅଧସ୍ତନ କର୍ମଚାରୀ ଚୟନ ଆୟୋଗ ଦ୍ବାରା ମନୋନୀତ ୫୫୦ଜଣ ଏଲ୍‌ଟିମାନଙ୍କୁ ବିଭିନ୍ନ ସିଡିଏମ୍‌ଓ ଓ ମେଡିକାଲ କଲେଜ ଅଧୀକ୍ଷକଙ୍କ ଅଧୀନରେ ନିଯୁକ୍ତି ଦେବା ପାଇଁ ବ୍ୟବସ୍ଥା କରାଯାଉଛି।

ସମ୍ବନ୍ଧିତ ଖବର