ରାଜ୍ୟରେ ୧୩୮ ଜଣ ଶିଶୁ ଓ କିଶୋର କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ବର:କରୋନାର ଦୈନିକ ସଂକ୍ରମଣକୁ ନେଇ ସ୍ୱାସ୍ଥ୍ୟ ବିଭାଗ ଆଜି ଯେଉଁ ତଥ୍ୟ ଦେଇଛି ତାହା ଚିନ୍ତାଜନକ। କାରଣ ପ୍ରଥମ ଥର ପାଇଁ ଦୈନିକ କୋଭିଡ ତଥ୍ୟରେ ୧୮ ବର୍ଷରୁ କମ୍ ବୟସର କରୋନା ସଂକ୍ରମିତଙ୍କ ତଥ୍ୟ ଦିଆଯାଇଛି। ୧୩୮ ଜଣ ଶିଶୁ ଓ କିଶୋର କରୋନା ପଜିଟିଭ ଚିହ୍ନଟ ହୋଇଥିବା ପ୍ରଥମ ଥର ପାଇଁ ସୂଚନା ଦେଇଛନ୍ତି ରାଜ୍ୟ ସରକାର। ତେବେ ୨୪ ଘଣ୍ଟାରେ ୧୩୮ ଜଣ ଶିଶୁ ଓ କିଶୋର କରୋନା ପଜିଟିଭ ଚିହ୍ନଟ ହେବା ନିହାତି ଚିନ୍ତାର ବିଷୟ। କାରଣ ଅନ୍ୟାନ୍ୟ ରାଜ୍ୟରେ ପିଲାଙ୍କୁ କରୋନା ହେବାର ଦେଖାଯାଉଛି। ଏହାରି ଭିତରେ ଆମ ରାଜ୍ୟରେ ମଧ୍ୟ ଏଭଳି ଟ୍ରେଣ୍ଡ ଆରମ୍ଭ ହୋଇଥିବା ନେଇ ଆଶଙ୍କା ପ୍ରକାଶ ପାଉଛି।

ଅନ୍ୟପଟେ ରାଜ୍ୟରେ ହଜାରେ ତଳକୁ ଖସୁନି କରୋନା ସଂକ୍ରମଣ । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୦୫୮ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୬୧୬ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବାବେଳେ ସ୍ଥାନୀୟ ସଂକ୍ରମଣରୁ ୪୪୨ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩୭୬ ଜଣ ଆକ୍ରାନ୍ତ ଥିବା ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ତଥ୍ୟ ପ୍ରଦାନ କରାଯାଇଛି।

ଗତ ୨୪ ଘଣ୍ଟା ମଧ୍ୟରେ ଅନୁଗୁଳରୁ ୩୨ ଜଣ, ବାଲେଶ୍ୱରରୁ ୩୮ ଜଣ, ବରଗଡ଼ରୁ ୧୧ ଜଣ, ଭଦ୍ରକରୁ ୩୨ ଜଣ, ବଲାଙ୍ଗୀରରୁ ୨ ଜଣ, କଟକରୁ ୧୬୨ ଜଣ, ଦେବଗଡ଼ରୁ ୫ ଜଣ, ଢେଙ୍କାନାଳରୁ ୧୮ ଜଣ, ଗଞ୍ଜାମରୁ ୫ ଜଣ, ଜଗତସିଂହପୁରରୁ ୩୭ ଜଣ, ଯାଜପୁରରୁ ୭୭ ଜଣ, ଝାରସୁଗୁଡ଼ାରୁ ୫ ଜଣ, କଳାହାଣ୍ଡିରୁ ୮ ଜଣ, କନ୍ଧମାଳରୁ ୪ ଜଣ, କେନ୍ଦ୍ରାପଡ଼ାରୁ ୩୨ ଜଣ, କେଉଁଝରରୁ ୪ ଜଣ, ଖୋର୍ଦ୍ଧାରୁ ୩୭୬ ଜଣ, କୋରାପୁଟରୁ ୪ ଜଣ, ମାଲକାନଗିରିରୁ ୫ ଜଣ, ମୟୁରଭଞ୍ଜରୁ ୩୭ ଜଣ, ନବରଙ୍ଗପୁରରୁ ଜଣେ, ନୟାଗଡ଼ରୁ ୧୭ ଜଣ, ନୂଆପଡ଼ାରୁ ୫ ଜଣ, ପୁରୀରୁ ୨୬ ଜଣ, ରାୟଗଡ଼ାରୁ ୪ ଜଣ, ସମ୍ୱଲପୁରରୁ ୬ ଜଣ, ସୋନପୁରରୁ ୩ ଜଣ, ସୁନ୍ଦରଗଡ଼ରୁ ୧୭ ଜଣ ଓ ଷ୍ଟେଟ ପୁଲରୁ ୮୨ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।

ସମ୍ବନ୍ଧିତ ଖବର