ଦୀର୍ଘଦିନ ଛୁଟିରେ ଅଛନ୍ତି ୧୩୮ ଡାକ୍ତର

ଭୁବନେଶ୍ବର : ରାଜ୍ୟରେ ବିଗତ ୫ବର୍ଷରେ ୬୪୮୧ ଏମ୍‌ବିବିଏସ୍‌ ଓ ୩୬୧୪ ପିଜି ଡାକ୍ତର ଚିକିତ୍ସା ପାଇଁ ପଞ୍ଜିକୃତ ହୋଇଛନ୍ତି। ଏହି ଡାକ୍ତରମାନେ ରାଜ୍ୟ ବାହାରକୁ ଯିବା ପୂର୍ବରୁ ସରକାରଙ୍କ ଅନୁମତି ନେଉ ନ ଥିବାରୁ ରାଜ୍ୟ ଭିତରେ ଓ ରାଜ୍ୟ ବାହାରେ କାର୍ଯ୍ୟରତ ଡାକ୍ତରଙ୍କ ତଥ୍ୟ ଉପଲବ୍ଧ ନ ଥିବା ସୂଚନା ଦେଇଛନ୍ତି ରାଜ୍ୟ ସ୍ବାସ୍ଥ୍ୟ ମନ୍ତ୍ରୀ ନିରଞ୍ଜନ ପୂଜାରୀ।

ବିଧାୟକ ସୌମ୍ୟରଂଜନ ପଟ୍ଟନାୟକଙ୍କ ଏକ ପ୍ରଶ୍ନର ଉତ୍ତରରେ ଶ୍ରୀ ପୂଜାରୀ କହିଛନ୍ତି, ରାଜ୍ୟରେ ସମୁଦାୟ ମଞ୍ଜୁରିପ୍ରାପ୍ତ ଡାକ୍ତର ପଦବି ସଂଖ୍ୟା ୧୦,୭୭୪ ରହିଛି। ଏଥିରେ ନିୟମିତ ୩୬୩୭, ଆଡହକ୍ ୩୭, ଠିକା ୯୧୮, ଡିଏମ୍‌ଏଫ୍‌ ପାଣ୍ଠିରୁ ୭୧, କର୍ପସ ପାଣ୍ଠିରେ ୭ଙ୍କୁ ମିଶାଇ ସମୁଦାୟ ୪୫୯୧ଜଣ କାର୍ଯ୍ୟ କରୁଛନ୍ତି। ୬୦୭୮ ପଦବି ଖାଲି ପଡ଼ିଛି। ଖାଲି ପଡ଼ିଥିବା ଡାକ୍ତରଙ୍କ ପଦବି ହାର ୫୬.୬୫ ପ୍ରତିଶତ ରହିଛି। ନିୟମିତ ଥିବା ୩୬୩୭ ଡାକ୍ତରଙ୍କ ମଧ୍ୟରୁ ୬୮ଜଣ ରିଲିଭ୍ ହୋଇଥିଲେ ବି କାର୍ଯ୍ୟରେ ଯୋଗ ଦେଇ ନାହାନ୍ତି। ଏହାସହ ବେଆଇନ/ଦୀର୍ଘଦିନ ଧରି ୧୩୮ଜଣ ଡାକ୍ତର ଦୀର୍ଘଦିନ ଛୁଟିରେ ଅଛନ୍ତି। ସେହିପରି କେବିକେର ୧୩ଟି ଜିଲ୍ଲାରେ ସମୁଦାୟ ୪୫୫୨ ନର୍ସିଂ ପଦବି ରହିଛି। ଏଥିରେ ୨୯୭୪ଜଣ କାର୍ଯ୍ୟ କରୁଥିବା ବେଳେ ୧୫୭୮ ପଦବି ଖାଲି ପଡ଼ିଛି। କୋରାପୁଟ ଜିଲ୍ଲାରେ ସର୍ବାଧିକ ପଦବି ଖାଲି ରହିଛି। ଜିଲ୍ଲାରେ ସମୁଦାୟ ୮୪୧ ପଦବି ଥିବା ବେଳେ ୫୩୩ ପଦବି ଖାଲି ରହିଛି।

ସେହିପରି ରାଜ୍ୟରେ ଏବେ ୧୦ଟି ସରକାରୀ ମେଡିକାଲ କଲେଜ କାର୍ଯ୍ୟକ୍ଷମ ରହିଛି। ଏଥିରେ ସମୁଦାୟ ୨୯୦ ପ୍ରଫେସର ପଦବି ଥିବା ବେଳେ ୧୦୧ ଖାଲି ରହିଛି। ୪୬୨ ଆସୋସିଏଟ୍‌ ପ୍ରଫେସରଙ୍କ ମଧ୍ୟରୁ ୧୮୦ ପଦବି ଖାଲି, ସହକାରୀ ପ୍ରଫେସରଙ୍କ ସମୁଦାୟ ୮୭୪ ମଞ୍ଜୁରିପ୍ରାପ୍ତ ପଦବି ଥିବା ବେଳେ ୧୪୨ ଖାଲି, ଟ୍ୟୁଟରଙ୍କ ମଧ୍ୟରୁ ୧୬୪, ସିନିୟର ରେସିଡେଣ୍ଟରେ ୪୩୯, ଜୁନିଅର ରେସେଡେଣ୍ଟରେ ୧୨୧ ପଦବି ଖାଲି ପଡ଼ିଛି। ସେହିପରି ଏମ୍‌ପିଏଚ୍‌ଏସ୍‌ ଓ ଏମ୍‌ପିଏଚ୍‌ଡବ୍ଲୁ(ମହିଳା), ଷ୍ଟାଟିଷ୍ଟିକାଲ ଇନଭେଷ୍ଟିଗେଟର ଓ ଷ୍ଟାଟିଷ୍ଟିକାଲ ଆସିଷ୍ଟାଣ୍ଟଙ୍କୁ ମିଶାଇ ୨୦୨୪ ପଦବି ଖାଲି ରହିଛି। ଖାଲି ପଡ଼ିଥିବା ପଦବି ପୂରଣ ପାଇଁ ପ୍ରକ୍ରିୟା ଚାଲୁ ରହିଥିବା ଶ୍ରୀ ପୂଜାରୀ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର