ସ୍କୁଲ ରୂପାନ୍ତରଣ ପର୍ବର ଦ୍ୱିତୀୟ ଦିବସ: ଶିଶୁ ଦିବସରେ ୧୩୮ ସ୍କୁଲ ଲୋକାର୍ପଣ

ମୁଁ ଚାହେଁ ମୋ ରାଜ୍ୟର ପିଲା ଆଗୁଆ ହୁଅନ୍ତୁ: ମୁଖ୍ୟମନ୍ତ୍ରୀ

‘ମୋ ସ୍କୁଲ’ କାର୍ଯ୍ୟକ୍ରମକୁ ପୂରିଲା ୪ ବର୍ଷ
କଫି ଟେବୁଲ୍‌ ବୁକ୍‌ ‘ବ୍ୟାକ୍‌ ଟୁ ସ୍କୁଲ’ ଉନ୍ମୋଚିତ

ଭୁବନେଶ୍ୱର : ସ୍କୁଲ ରୂପାନ୍ତରଣ ପର୍ବର ଦ୍ବିତୀୟ ଦିବସରେ ବୌଦ୍ଧ, ସୋନପୁର, ଭଦ୍ରକ ଓ କେନ୍ଦୁଝର ଜିଲ୍ଲାର ୧୩୮ଟି ବିଦ୍ୟାଳୟ ନୂଆ ରୂପ ପାଇଛି। ୫-ଟି ଟ୍ରାନ୍ସଫର୍ମେସନ କାର୍ଯ୍ୟକ୍ରମରେ ଚାଲିଥିବା ରୂପାନ୍ତର କାର୍ଯ୍ୟକ୍ରମ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରବିବାର ଏହାକୁ ଲୋକାର୍ପିତ କରିଛନ୍ତି। କେବଳ କେନ୍ଦୁଝର ଜିଲ୍ଲାର ଶହେ ସ୍କୁଲ ରୂପାନ୍ତରିତ ହୋଇଥିବା ବେଳେ ବୌଦ୍ଧର ୧୦, ସୋନପୁରର ୧୧ ଓ ଭଦ୍ରକର ୧୭ଟି ବିଦ୍ୟାଳୟ ରହିଛି।

ଶିଶୁ ଦିବସ ଅବସରରେ ପିଲାମାନଙ୍କୁ ଶୁଭେଚ୍ଛା ଜଣାଇ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଲେ ଯେ ଶିକ୍ଷା କ୍ଷେତ୍ରରେ ଓଡ଼ିଶାରେ ଏକ ନୂଆ ଯୁଗ ଆରମ୍ଭ ହୋଇଛି। ଶିକ୍ଷା ଭିତ୍ତିଭୂମିର ପରିବର୍ତନ ପିଲାଙ୍କ ମନରେ ଅନେକ ପ୍ରେରଣା ଓ ଉତ୍ସାହ ଭରି ଦେଇଛି। ସ୍କୁଲ ସମୟ ପିଲାଙ୍କ ଜୀବନର ସବୁଠାରୁ ଗୁରୁତ୍ବପୂର୍ଣ୍ଣ ସମୟ। ଏହି ସମୟରେ ପିଲାଙ୍କୁ ସେମାନଙ୍କ ପ୍ରତିଭାର ବିକାଶ ପାଇଁ ସୁଯୋଗ ସୃଷ୍ଟି କରିବା ଆମ ଦାୟିତ୍ବ। ମୁଁ ଚାହେଁ ମୋ ରାଜ୍ୟର ପିଲା ସବୁ କ୍ଷେତ୍ରରେ ଆଗୁଆ ହୁଅନ୍ତୁ। ପାଠ ସହ କ୍ରୀଡ଼ା, ସଙ୍ଗୀତ କ୍ଷେତ୍ରରେ ଓଡ଼ିଶାର ଗୌରବ ବଢାନ୍ତୁ। ନୂଆ ନୂଆ ଜ୍ଞାନକୌଶଳ ବିଷୟରେ ଜାଣନ୍ତୁ। ଜୀବନର ସବୁ ଆହ୍ବାନକୁ ସାମ୍ନା କରି ଆତ୍ମବିଶ୍ବାସର ସହ ଆଗକୁ ବଢନ୍ତୁ। ଏହା ହିଁ ସ୍କୁଲ ରୂପାନ୍ତରର ଲକ୍ଷ୍ୟ।

ଉକ୍ତ ୪ଟି ଜିଲ୍ଲାର ଛାତ୍ରଛାତ୍ରୀ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରି ବିଦ୍ୟାଳୟ ରୂପାନ୍ତର ସମ୍ପର୍କରେ ନିଜର ମନ କଥା କହିଥିଲେ। କାର୍ଯ୍ୟକ୍ରମରେ ମନ୍ତ୍ରୀ ନିରଞ୍ଜନ ପୂଜାରୀ, ପ୍ରେମାନନ୍ଦ ନାୟକ, ବିଧାୟକ ପ୍ରଦୀପ ଅମାତ, ବ୍ୟୋମକେଶ ରାୟ ପ୍ରମୁଖ ଯୋଗଦେଇ ବିଦ୍ୟାଳୟ ରୂପାନ୍ତର କାର୍ଯ୍ୟକ୍ରମର ଉଚ୍ଚପ୍ରଶଂସା କରିଥିଲେ। ଶିକ୍ଷା କ୍ଷେତ୍ରରେ ଏହା ଏକ ବୈପ୍ଳବିକ ପରିବର୍ତ୍ତନ ଆଣିବ ବୋଲି ପ୍ରକାଶ କରି ସେମାନେ ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କ ଦୂରଦର୍ଶିତାର ପ୍ରଶଂସା କରିଥିଲେ। କାର୍ଯ୍ୟକ୍ରମକୁ ମୁଖ୍ୟମନ୍ତ୍ରୀଙ୍କ ସଚିବ(୫-ଟି) ଭି କେ ପାଣ୍ଡିଆନ ପରିଚାଳନା କରିଥିଲେ। ମୋ ସ୍କୁଲ ଅଧ୍ୟକ୍ଷା ସୁସ୍ମିତା ବାଗ୍‌ଚୀ, ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଏବଂ ବିଭିନ୍ନ ବିଭାଗର ପ୍ରମୁଖ ସଚିବ ଓ ସଚିବମାନେ ଉପସ୍ଥିତ ଥିଲେ। ସ୍କୁଲ ରୂପାନ୍ତର କାର୍ଯ୍ୟକ୍ରମ ସମ୍ପର୍କରେ ଭିଡିଓ ଚଳଚ୍ଚିତ୍ର ପ୍ରଦର୍ଶନ କରାଯାଇଥିଲା।

ଇତିମଧ୍ୟରେ ‘ମୋ ସ୍କୁଲ’ କାର୍ଯ୍ୟକ୍ରମ ୪ ବର୍ଷ ପୂରଣ କରିଛି। ଏହି ଅବସରରେ ଏକ କଫି ଟେବୁଲ୍‌ ବୁକ୍‌ ଓ ପୁରାତନ ଛାତ୍ରଛାତ୍ରୀଙ୍କ ଉପରେ ପର୍ଯ୍ୟବସିତ ‘ବ୍ୟାକ୍‌ ଟୁ ସ୍କୁଲ’ ନାମକ ସ୍ବତନ୍ତ୍ର ପୁସ୍ତିକାକୁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କ ସମେତ ଉପସ୍ଥିତ ଅତିଥିମାନେ ଉନ୍ମୋଚନ କରିଥିଲେ। ‘ମୋ ସ୍କୁଲ’ ଅଧ୍ୟକ୍ଷା ସୁସ୍ମିତା ବାଗ୍‌ଚୀ କାର୍ଯ୍ୟକ୍ରମରେ ଯୋଗଦେଇ କହିଲେ ମୋ ସ୍କୁଲ କାର୍ଯ୍ୟକ୍ରମ ଆଜି ଯେଉଁ ସ୍ତରରେ ପହଞ୍ଚିଛି ତାହାର ସମସ୍ତ ଶ୍ରେୟ ପୁରାତନ ଛାତ୍ରଛାତ୍ରୀଙ୍କର। ସେମାନଙ୍କ ପାଇଁ ବିଦ୍ୟାଳୟ ରୂପ ପରିବର୍ତନ ହେଉଛି। ଆଗାମୀ ଦିନରେ ମୋ ସ୍କୁଲ କାର୍ଯ୍ୟକ୍ରମ ସମସ୍ତ ବିଦ୍ୟାଳୟରେ ପହଞ୍ଚିବ। ପୁରାତନ ଛାତ୍ରଛାତ୍ରୀଙ୍କ ସହଯୋଗରେ ସରକାରୀ ସ୍କୁଲଗୁଡ଼ିକ ଯେପରି ବିଶ୍ବସ୍ତରୀୟ ହୋଇପାରିବ ସେଦିଗରେ ଏକାଧିକ କାର୍ଯ୍ୟକ୍ରମ ହାତକୁ ନିଆଯାଉଛି। ମୋ ସ୍କୁଲ କାର୍ଯ୍ୟକ୍ରମ ରାଜ୍ୟର ୩୩,୧୪୨ ସ୍କୁଲର ୪୦ଲକ୍ଷରୁ ଅଧିକ ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କ ନିକଟରେ ପହଞ୍ଚଛି। ବିଭିନ୍ନ ବିଦ୍ୟାଳୟ ଲାଗି ୯୧ ହଜାରରୁ ଅଧିକ ପ୍ରକଳ୍ପ ଅନୁମୋଦନ ହୋଇଛି। ଏଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ୧୧୯୨.୨୧ କୋଟି ଟଙ୍କା ପ୍ରଦାନ କରାଯାଇଛି।

ସୂଚନାଯୋଗ୍ୟ ଯେ ସ୍କୁଲ ରୂପାନ୍ତରର ପ୍ରଥମ ଦିନରେ ୫ଟି ଜିଲ୍ଲାର ୧୪୨ଟି ସ୍କୁଲ ଲୋକାର୍ପିତ ହୋଇଥିଲା। ଆଜି ସୁଦ୍ଧା ୩୩୦ଟି ସ୍କୁଲ ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ ଲୋକାର୍ପିତ ହୋଇଛି। ଏଥିରେ ହିଞ୍ଜିଳି ଓ ଶେରଗଡ଼ର ୫୦ଟି ସ୍କୁଲ ମଧ୍ୟ ସାମିଲ ରହିଛି। ପ୍ରଥମ ପର୍ଯ୍ୟାୟରେ ନଭେମ୍ବର ୨୪ ସୁଦ୍ଧା ରାଜ୍ୟର ୧୦୭୫ଟି ସ୍କୁଲ ଲୋକାର୍ପଣ କାର୍ଯ୍ୟକ୍ରମ ଚାଲିବ।

ସମ୍ବନ୍ଧିତ ଖବର