ଭୁବନେଶ୍ବର: ହେଜେକ୍ସ ଫଣ୍ଡ ନେଟ୍ଵର୍କ ମାର୍କେଟିଂ ନାଁରେ ଓଡ଼ିଶାର ୧୩୯ କୋଟି ଟଙ୍କା ଠକେଇ ହୋଇଥିବା କ୍ରାଇମବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖାରେ ଅଭିଯୋଗ ହୋଇଛି। ୧୩ ମାସରେ ଅର୍ଥ ଦୁଇଗୁଣା ହେବ ଓ ୬ ଲକ୍ଷ ଟଙ୍କାର ଟାର୍ଗେଟ୍ ପୂରଣ କଲେ ବିଦେଶ ଭ୍ରମଣ ଲୋଭ ଦେଖାଇ ୧୫ହଜାରରୁ ଅଧିକ ଜମାକାରୀଙ୍କଠାରୁ ଟଙ୍କା ଲୁଟ୍ କରାଯାଇଛି। ଧରା ନପଡ଼ିବା ପାଇଁ ଗୋଟିଏ ପରେ ଗୋଟିଏ ନୂଆ କମ୍ପାନି ନାଁରେ ନିବେଶକମାନଙ୍କୁ ଠକିଛନ୍ତି। ସଂସ୍ଥାକୁ ପରିଚାଳନା କରୁଥିବା ରାଜସ୍ଥାନ ସମେତ ଓଡ଼ିଶାର କିଛି ପ୍ରମୁଖ ବ୍ୟକ୍ତି ଏହି କାରବାର ପଛରେ ସଂପୃକ୍ତ ଥିବା ନେଇ ଠକେଇର ଶିକାର ବ୍ୟକ୍ତିମାନେ ଆଜି କ୍ରାଇମ୍ବ୍ରାଞ୍ଚ୍ର ଅର୍ଥନୈତିକ ଶାଖା(ଇଓଡବ୍ଲ୍ୟୁ)ରେ ଅଭିଯୋଗ କରିଛନ୍ତି।
କେନ୍ଦ୍ରାପଡ଼ାର ଦୁଷ୍ମନ୍ତ ପଣ୍ଡା ସୈନ୍ୟବାହିନୀରୁ ସେବାନିବୃତ୍ତ ହେବା ପରେ ପାଇଥିବା ଅବସରକାଳୀନ ଟଙ୍କାରୁ ୧୩ ଲକ୍ଷ ଏହି ନେଟ୍ଵର୍କ ସଂସ୍ଥାରେ ବିନିଯୋଗ କରିଥିଲେ। ଗୋଟିଏ ମାସରେ ୧ ଲକ୍ଷ ୫୭ ହଜାର ଟଙ୍କା କମିସନ ବାବଦକୁ ପାଇଥିଲେ। ହେଲେ ତା ପରଠାରୁ ସଂସ୍ଥା ବନ୍ଦ। ସେହିପରି ତୀର୍ଥ ପରିଡ଼ା ନାମକ ଆଉଜଣେ ବ୍ୟକ୍ତି ସୈନ୍ୟବାହିନୀରୁ ସେବାନିବୃତ୍ତ ହେବା ପରେ ପାଇଥିବା ଅବସରକାଳୀନ ଟଙ୍କାରୁ ୨ ଲକ୍ଷ ଟଙ୍କା ବିନିଯୋଗ କରିଥିଲେ। ୪ ମାସରେ ୫୫ହଜାର ଟଙ୍କା ପାଇଛନ୍ତି। ତା ପରଠାରୁ ସଂସ୍ଥା ବନ୍ଦ। ସେହିପରି ଚାନ୍ଦବାଲିର ବିଶ୍ବଜିତ ବେହେରା ୧୩ ମାସରେ ଅର୍ଥ ଦୁଇଗୁଣା, ବିଦେଶ ଭ୍ରମଣ ଲୋଭରେ ପଡ଼ି ୧ଲକ୍ଷ ଟଙ୍କା ବିନିଯୋଗ କରିଥିଲେ। କିଛି ଟଙ୍କା ପାଇବା ପରେ ସଂସ୍ଥା ବନ୍ଦ।
କେବଳ ହେଜେକ୍ସ ଫଣ୍ଡ ନେଟ୍ଵର୍କ ନୁହେଁ, ସଂସ୍ଥା ଭୁଆଁ ବୁଲାଇବା ପାଇଁ ପୂର୍ବ ନା ବଦଳାଇ ‘ଲୁକାସ୍ ଇଣ୍ଟର୍ନାସନାଲ୍’ ଓ ପରେ ‘ଫ୍ରିକ୍’ ନାଁରେ ଲୋକଙ୍କ ଅର୍ଥ ହଡ଼ପ କରିଛି। ସଂସ୍ଥା କଟକ, ଭୁବନେଶ୍ବର, ପୁରୀ, ଯାଜପୁର, ଭଦ୍ରକ, ବାଲେଶ୍ବର, ବ୍ରହ୍ମପୁର, କେନ୍ଦ୍ରାପଡ଼ା ଓ ରାୟଗଡ଼ା ଭଳି ବିଭିନ୍ନ ଜିଲ୍ଲାରୁ ଅର୍ଥ ହଡ଼ପ କରିଥିବା ଜମାକାରୀମାନେ ଅଭିଯୋଗ କରିଛନ୍ତି। କର୍ପୋରେଟ୍ ବ୍ୟାପାର ମନ୍ତ୍ରଣାଳୟରୁ ପଞ୍ଜୀକରଣ କରାଇ ରାଜସ୍ଥାନର ଦିନେଶ ଜୈନ, କୁଲଦୀପ ସିଂହ ପନ୍ବର, ରାମ ଶର୍ମାଙ୍କ ସମେତ ଓଡ଼ିଶାର ୮ ଜଣ ଏହି ବ୍ୟବସାୟ ଚଳାଉଥିଲେ। ବେକାର ଯୁବକଯୁବତୀଙ୍କୁ ଅଧିକ ଆୟ ଲୋଭ ଦେଖାଇ ଟ୍ରେଡିଂ କରାଉଥିଲେ ଏବଂ ପରେ କୋଟି କୋଟି ଟଙ୍କା ଲୁଟି ନେଇଥିଲେ। ଏ ସମ୍ପର୍କରେ ଇଓଡବ୍ଲ୍ୟୁ ଏସ୍ପି ଦିଲୀପ ତ୍ରିପାଠୀ କହିଛନ୍ତି ଯେ ଅଭିଯୋଗ ମିଳିବା ପରେ ଆମେ ତଦନ୍ତ ଆରମ୍ଭ କରିଛୁ। ଏଥିରେ ଅନ୍ତଃରାଜ୍ୟ ଅପରାଧୀଙ୍କ ସମ୍ପୃକ୍ତି ଥିବାରୁ ବିଭିନ୍ନ ଦିଗକୁ ନେଇ ତଦନ୍ତ କରାଯିବ ବୋଲି ସେ କହିଛନ୍ତି।