ଖୋର୍ଦ୍ଧା (ବିକାଶ ସାହୁ): ତ୍ରୟୋଦଶ ଶତାବ୍ଦୀର ଭାସ୍କର୍ଯ୍ୟକୁ ଘନେଇଲାଣି ବିପଦ। ଖୋର୍ଦ୍ଧା ଜିଲ୍ଲା ବାଣପୁରର ଅଧିଷ୍ଟାତ୍ରୀ ଦେବୀ ମା’ ଭଗବତୀଙ୍କ ବାପ ଘର ଦକ୍ଷ ପ୍ରଜାପତି ମନ୍ଦିର ଗର୍ଭଗୃହରୁ ଯାହା ଯେମିତି ଚୂନ ଅତଡ଼ା ଖସୁଥିଲା, ଏବେ ମନ୍ଦିରର ଭିତ୍ତିଭୂମି ବି ଭୂ-ଗର୍ଭକୁ ପଶିଲାଣି। ଯେଉଁ ପଦ୍ମପାଖୁଡ଼ା ଭାସ୍କର୍ଯ୍ୟ ଉପରେ ପୂରା ମନ୍ଦିର ଠିଆ ହୋଇଥିଲା, ଆଜି ମାଟି ତଳେ ତାହା କବର ପାଇଲାଣି। ୩୦/୪୦ବର୍ଷ ତଳେ ମନ୍ଦିର ଚୌହଦୀରେ ବସିବାକୁ ହେଲେ ତଳୁ ଉପରକୁ ଡେଇଁବାକୁ ପଡ଼ୁଥିଲା, ଆଜି ସେ ଚୌହଦୀ ମାଟି ସହ ସମାନ୍ତରାଳ ହୋଇଗଲାଣି। ଖୋଦ୍‌ ମନ୍ଦିରର ପୂଜକ ଏ ପ୍ରକାର ଅଭିଯୋଗ କେବଳ ଆଣି ନାହାନ୍ତି, ବରଂ ମନ୍ଦିର ଅବସ୍ଥା ଧୀରେ ଧୀରେ ଦୁର୍ଦ୍ଦିନ ସ୍ଥିତିକୁ ଚାଲି ଆସିଥିବା ମନ୍ଦିରର ଦାୟିତ୍ବ ମୁଣ୍ଡାଇଥିବା ପ୍ରତ୍ନତତ୍ତ୍ବ ବିଭାଗ(ଏଏସ୍‌ଆଇ)ର ଏତେ ବଡ଼ ଭାସ୍କର୍ଯ୍ୟର ସୁରକ୍ଷା ନେଇ କ’ଣ କରୁଛି ବୋଲି ଅଞ୍ଚଳବାସୀ ପ୍ରଶ୍ନ କରିଛନ୍ତି। ମନ୍ଦିରର ଭାସ୍କର୍ଯ୍ୟକୁ ଏଏସ୍‌ଆଇ ଯଦି ସୁରକ୍ଷା ଦେଇ ପାରିବ ନାହିଁ, ତେବେ ନିଜ ଦଖଲକୁ ନେଇ କି’ ଲାଭ ବୋଲି ଲୋକେ ପ୍ରଶ୍ନ ଉଠାଇଲେଣି।

Advertisment

ସୂଚନା ମୁତାବକ, ଐତିହ୍ୟ ସମ୍ପନ୍ନ ଏ ମନ୍ଦିର ଓଡ଼ିଆ ଜାତି ପାଇଁ ବେଶ୍‌ ଗୁରୁତ୍ବପୂର୍ଣ୍ଣ। ତଥ୍ୟ କହେ,  ମନ୍ଦିର ହେଉଛି ତ୍ରୟୋଦଶ ଶତାବ୍ଦୀର। ଗଙ୍ଗବଂଶର ରାଜାମାନେ ଦାକ୍ଷିଣାତ୍ୟ ବିଜୟ କରି ଫେରିବା ପରେ ଏହି ମନ୍ଦିର ପ୍ରତିଷ୍ଠା କରାଯାଇଥିବା ଇତିହାସ କହେ। ଏ ମନ୍ଦିର ବିଶେଷ୍ବତ ହେଲା, ଦେବୀ ପାର୍ବତୀଙ୍କର ପିତ୍ରାଳୟ କୁହାଯାଉଥିବା ଦକ୍ଷ ପ୍ରଜାପତିଙ୍କ ନାଁରେ ପୂର୍ବ ଭାରତରେ ଏଭଳି ମନ୍ଦିର କେଉଁଠି ନାହିଁ। ଏ ମନ୍ଦିରରେ ଉଭୟ ଦକ୍ଷ ଏବଂ ଶିବ ପୂଜା ପାଆନ୍ତି। ଦକ୍ଷ ଗୁପ୍ତରେ ରହିଥିବା ବେଳେ ତାଙ୍କ ଉପରେ ଶିବ ଆବିର୍ଭାବ ହୋଇଛନ୍ତି। ଯାହା ଅନ୍ୟ ଭାରତବର୍ଷର ଅନ୍ୟ ଶିବାଳୟରେ ବିରଳ। ମନ୍ଦିର ଯେମିତି ସ୍ବତନ୍ତ୍ର, ଏଠାକାର ଐତିହାସିକ ଭାସ୍କର୍ଯ୍ୟ ଓ ସୂକ୍ଷ୍ମ କାରୁକାର୍ଯ୍ୟ ମଧ୍ୟ ସେତିକି ଆକର୍ଷଣୀୟ। ଏହାର ସ୍ବତନ୍ତ୍ରତା ହେଲା, ଏ  ପଥରରେ ନିର୍ମିତ ପଦ୍ମପାଖୁଡ଼ା ଉପରେ ଏ ମନ୍ଦିର ଠିଆ ହୋଇଥିଲା।

publive-image

ମନ୍ଦିର ଚାରିଆଡ଼ୁ ଦେଖିଲେ, ପଥରର ପଦ୍ମପାଖୁଡ଼ା ବେଶ୍‌ ଆକର୍ଷଣୀୟ ଥିଲା। କିନ୍ତୁ, ଗଲା ପ୍ରାୟ ଚାରି ଦଶନ୍ଧି ମଧ୍ୟରେ ମାଟି ଉପରେ ଥିବା ପଦ୍ମପାଖୁଡ଼ା ଆଉ ଦୃଶ୍ୟମାନ ହେଉ ନାହିଁ। ମାଟି ତଳକୁ ମନ୍ଦିର ଦବିବା ସାଙ୍ଗକୁ ପଥରର ପଦ୍ମପାଖୁଡ଼ାଟି ଭୂ-ଗର୍ଭକୁ ଚାଲିଯାଇଛି ବୋଲି ମନ୍ଦିରର ପୂଜକ କୃତ୍ତିବାସ ମହାପାତ୍ର ପ୍ରକାଶ କରିଛନ୍ତି। ତାଙ୍କର କହିବା କଥା ହେଲା, ୧୯୬୪ ମସିହାରୁ ସେ ମନ୍ଦିରର ପୂଜକ ଭାବେ କାମ କରି ଆସୁଛନ୍ତି। ପିଲା ବେଳ ବି ଏ ମନ୍ଦିର ଚାରିପାଖରେ କଟିଛି। ମୋତେ ଯେତେବେଳେ ୪୦ବର୍ଷ ବୟସ ହୋଇଥିଲା, ସେତେବେଳେ ବି ମନ୍ଦିର ଚୌହଦୀରେ ବସିବାକୁ ହେଲେ ତଳୁ ଉପରକୁ ଡିଆଁ ମାରିବାକୁ ପଡ଼ୁଥିଲା। ମାଟି ପତ୍ତନଠାରୁ ପ୍ରାୟ ଅଣ୍ଟାଏ ଉଚ୍ଚତାରେ ମନ୍ଦିର ଚାରିପାଖ ଥିଲା।

ଆଜି କିନ୍ତୁ, ସେ ଚୌହଦୀ ମାଟି ସହ ମିଶିଗଲାଣି। ସେଦିନ ମନ୍ଦିର ଚାରିପାଖରେ ଥିବା ପଦ୍ମ ପାଖୁଡ଼ା ଆଜି ଆଉ ଦିଶୁନାହିଁ ବୋଲି ପୂଜକ ଶ୍ରୀ ମହାପାତ୍ର ‘ସମ୍ବାଦ’କୁ କହିଛନ୍ତି। ସମାନ କଥା ଦୋହରାଇଛନ୍ତି, ମନ୍ଦିରର ପାଳିଆ ସେବକ ଶଙ୍କର କୁମାର ନାୟକ। ମନ୍ଦିରର ତଳ ଭିତ୍ତିଭୂମି ତଳକୁ ଖସିଥିବା କଥା ସେ ସ୍ବୀକାର କରିଛନ୍ତି। ବାଣପୁରର ମୋହରିରେ ଶିବ କୁମାର ପ୍ରଧାନ ମଧ୍ୟ ସମାନ କଥାକୁ ଦୋହରାଇଛନ୍ତି। ମନ୍ଦିର ମାଟି ତଳକୁ ଖସିବା ନେଇ ସେ ମଧ୍ୟ ଚିନ୍ତା ପ୍ରକଟ କରିଛନ୍ତି। ମନ୍ଦିର ଦାୟିତ୍ବ ମୁଣ୍ଡାଇଥିବା ପ୍ରତ୍ନତତ୍ତ୍ବ ବିଭାଗ କ’ଣ କରୁଛି ବୋଲି ସେ ପ୍ରଶ୍ନ କରିଛନ୍ତି। ଦେବୀ ଭଗବତୀଙ୍କର ସେବକ ଲକ୍ଷ୍ମୀ ମହାପାତ୍ର ଏହା ଏକ ସାଙ୍ଘାତିକ କଥା ବୋଲି ବଖାଣିବା ସହିତ ମନ୍ଦିରର ଦାୟିତ୍ବ ମୁଣ୍ଡାଇଥିବା ପ୍ରତ୍ନତତ୍ତ୍ବ ବିଭାଗ ରକ୍ଷଣାବେକ୍ଷଣକୁ ନେଇ ସେ ପ୍ରଶ୍ନ ଉଠାଇଛନ୍ତି। ମନ୍ଦିର ଦାୟିତ୍ବରେ ଥିବା ଏଏସ୍‌ଆଇ ଅଧିକାରୀ ଏସ୍‌. ଶାହାଙ୍କୁ ନେଇ ମନ୍ଦିରର ଏ ପ୍ରକାର ଅବସ୍ଥା ନେଇ ପ୍ରଶ୍ନ କରାଯାଇଥିଲା। ମନ୍ଦିର କାହିଁକି ଦବୁଛି ବୋଲି ପଚରାଯାଇଥିଲା, ସେ କିନ୍ତୁ କୌଣସି ଉତ୍ତର ଦେବାକୁ ମନା କରି ଦେଇଛନ୍ତି।