ଭୁବନେଶ୍ବର: ଏକାସଙ୍ଗରେ ରାଜ୍ୟର ୧୩ଟି ବିଶ୍ବବିଦ୍ୟାଳୟ କୁଳପତି ଚୟନ ପ୍ରକ୍ରିୟା ଜାରି ରହିଛି। ଆବେଦନ ପରେ ଏବେ ଗୋଟିଏ ପରେ ଗୋଟିଏ ସଂକ୍ଷିପ୍ତ ତାଲିକା ପ୍ରସ୍ତୁତ ସହ ଚୟନ କମିଟି ଦ୍ବାରା ଆବେଦନକାରୀଙ୍କ ସାକ୍ଷାତକାର ନିଆଯାଉଛି। ପ୍ରଥମ ବିଶ୍ବବିଦ୍ୟାଳୟ ଭାବେ ଆଜି ରେଭେନ୍ସାର କୁଳପତି ଚୟନ ପାଇଁ ସଂକ୍ଷିପ୍ତ ତାଲିକାରେ ଥିବା ପ୍ରଫେସରଙ୍କ ସାକ୍ଷାତକାର ନିଆଯାଇଛି। ଦୁଇ ଦିନ ଧରି ରାଜ୍ୟ ଅତିଥି ଭବନରେ ଚାଲିଥିବା ସାକ୍ଷାତକାରରେ ଆଶାୟୀ ପ୍ରଫେସରମାନେ ରେଭେନ୍ସାକୁ ନେଇ ସେମାନଙ୍କ ସ୍ବପ୍ନ, ଯୋଜନା ବିଷୟରେ ଚୟନ କମିଟି ଆଗରେ ମତ ରଖିଥିଲେ। ପ୍ରଥମେ ସଂକ୍ଷିପ୍ତ ତାଲିକାରେ ୧୭ଜଣ ପ୍ରଫେସର ରହିଥିଲେ। ମାତ୍ର ପରବର୍ତ୍ତୀ ସମୟରେ ୨୫ ଜଣଙ୍କୁ ସାକ୍ଷାତକାର ପାଇଁ ଡକାଯାଇଥିଲା। ସେମାନଙ୍କ ମଧ୍ୟରୁ ଦୁଇ ଜଣ ପ୍ରଫେସର ଅନୁପସ୍ଥିତ ରହିଥିଲେ।
ଜଉମୁଦ ଲଫାପାରେ ତିନି ଜଣଙ୍କ ନାଁ
ମା’ ମାଣିକେଶ୍ବରୀର ସଂକ୍ଷିପ୍ତ ତାଲିକାରେ ୨୪
ଅର୍ଥାତ୍ ମୋଟ ୨୩ଜଣ ପ୍ରଫେସରଙ୍କ ସାକ୍ଷାତକାର ନିଆଯାଇଛି। ଉତ୍କଳ ବିଶ୍ବବିଦ୍ୟାଳୟର ୪ ଜଣ, ରେଭେନ୍ସାର ୩ ଜଣ, ଫକୀରମୋହନ ବିଶ୍ବବିଦ୍ୟାଳୟର ଦୁଇ ଜଣ ପ୍ରଫେସର ରେଭେନ୍ସାର କୁଳପତି ହେବାକୁ ସାକ୍ଷାତକାର ଦେଇଛନ୍ତି। ୨୩ ଜଣଙ୍କ ମଧ୍ୟରେ ୪ ଜଣ ମହିଳା ପ୍ରଫେସର ମଧ୍ୟ ଅଛନ୍ତି। ବାହାର ରାଜ୍ୟର ପ୍ରମୁଖ ବିଶ୍ବବିଦ୍ୟାଳୟରେ କାର୍ଯ୍ୟରତ କିଛି ପ୍ରଫେସର ବି ସାକ୍ଷାତକାରରେ ରେଭେନ୍ସାକୁ ନେଇ ସେମାନଙ୍କ ସ୍ବପ୍ନ ବିଷୟରେ କହିଛନ୍ତି। ଚୟନ କମିଟିର ସଦସ୍ୟମାନେ ଆଜି ଅପରାହ୍ଣ ଗୋଟାଏ ସୁଦ୍ଧା ତିନିଜଣ ଆଶାୟୀଙ୍କ ନାଁ ଚୂଡ଼ାନ୍ତ କରିବା ସହ ଜଉମୁଦ ଲଫାପାରେ ତାହାକୁ ସିଲ୍ କରି ଉଚ୍ଚଶିକ୍ଷା ବିଭାଗକୁ ହସ୍ତାନ୍ତର କରିଛନ୍ତି। ଆସନ୍ତାକାଲି ତାହାକୁ କୁଳାଧିକାରୀଙ୍କ କାର୍ଯ୍ୟାଳୟକୁ ପଠାଯିବ। ଏହାପରେ କୁଳାଧିପତି ତଥା ରାଜ୍ୟପାଳ ଚୂଡ଼ାନ୍ତ ପର୍ଯ୍ୟାୟରେ ଥିବା ତିନି ଆଶାୟୀଙ୍କ ସାକ୍ଷାତକାର ନେବାକୁ ରାଜଭବନକୁ ଡାକିବେ ବୋଲି ସୂଚନା ମିଳିଛି।
ଉତ୍କଳ ଓ ରେଭେନ୍ସା ବିଶ୍ବବିଦ୍ୟାଳୟ ପରେ ଏବେ ମା’ ମାଣିକେଶ୍ବରୀ ବିଶ୍ବବିଦ୍ୟାଳୟ କୁଳପତି ଚୟନ ପାଇଁ ସଂକ୍ଷିପ୍ତ ତାଲିକା ପ୍ରସ୍ତୁତ ହୋଇଛି। ନୂଆ କରି ମାନ୍ୟତା ପାଇଥିବା ଏହି ବିଶ୍ବବିଦ୍ୟାଳୟର କୁଳପତି ହେବାକୁ ୨୨୨ ଜଣ ପ୍ରଫେସର ଆଗ୍ରହ ପ୍ରକାଶ କରିଥିଲେ। ରାଜ୍ୟ ତଥା ଦେଶର ଏତେ ସଂଖ୍ୟକ ପ୍ରଫେସର ଆବେଦନ କରିଥିଲେ ମଧ୍ୟ ପ୍ରଥମ ପର୍ଯ୍ୟାୟରୁ ଅନେକ ବାଦ୍ ପଡ଼ିଛନ୍ତି। ସଂକ୍ଷିପ୍ତ ତାଲିକାରେ ମାତ୍ର ୨୪ ଜଣ ପ୍ରଫେସର ସ୍ଥାନ ପାଇଛନ୍ତି। ଯେଉଁଥିରେ ଉତ୍କଳ ଓ ରେଭେନ୍ସା ବିଶ୍ବବିଦ୍ୟାଳୟରୁ ଅଧିକାଂଶ ପ୍ରଫେସର ରହିଥିବା ଜଣାପଡ଼ିଛି। ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଯେ ଆବେଦନ କରିଥିବା ପ୍ରଫେସରଙ୍କ ମଧ୍ୟରୁ ମାତ୍ର ୧୦ ଜଣଙ୍କର ପ୍ରଥମ ପସନ୍ଦ ଏହି ବିଶ୍ବବିଦ୍ୟାଳୟ ରହିଥିଲା। ଅଧିକାଂଶ ଆବେଦନକାରୀ ମା’ ମାଣିକେଶ୍ବରୀ ବିଶ୍ବବିଦ୍ୟାଳୟକୁ ନିଜର ଶେଷ ପସନ୍ଦ ଭାବେ ରଖିଥିଲେ। ନଭେମ୍ବର ୧୨ ଓ ୧୩ରେ ସଂକ୍ଷିପ୍ତ ତାଲିକାରେ ଥିବା ଆଶାୟୀମାନଙ୍କର ସାକ୍ଷାତକାର ନିଆଯିବ ବୋଲି ଜଣାପଡ଼ିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2025/11/01/revenshaw-2025-11-01-02-33-57.jpg)