ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ସୋରଡ଼ା ଥାନା ଅନ୍ତର୍ଗତ ହାତୀଗଡ଼ା ଗ୍ରାମରେ ମଙ୍ଗଳବାର ସନ୍ଧ୍ୟାରେ ପ୍ରବାସ ଫେରନ୍ତା ଓଡ଼ିଆ ଯୁବକ ଅରୁଣ ଗୌଡ଼ଙ୍କୁ ଗାଁ ଦାଣ୍ଡରେ ଠେଙ୍ଗାରେ ପିଟି ପିଟି ହତ୍ୟା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରଛି। ଏହି ହତ୍ୟାକାଣ୍ଡ ଘଟଣାରେ ସୋରଡ଼ା ପୁଲିସ ୧୪ ଜଣ ଅଭିଯୁକ୍ତକୁ ଗିରଫ କରିଛ। ଅଭିଯୁକ୍ତମାନେ ହେଲେ ହାତୀଗଡ଼ା ଗ୍ରାମର ସୁଧା ଗୌଡ଼, ଉମା ଗୌଡ଼, ସଞ୍ଜି ଗୌଡ଼, ସୁଶାନ୍ତ ପ୍ରଧାନ, ସନିଆ ଗୌଡ଼, ମୁନା ଗୌଡ଼, ଝରିଆ ଗୌଡ଼, ଶଙ୍କର ପ୍ରଧାନ, ରିଣ୍ଟୁ ଗୌଡ଼, ମଣ୍ଟୁ ଗୌଡ଼, ରାଜି ଗୌଡ଼, କନ୍ଧ ଗୌଡ଼, ପିଣ୍ଟୁ ଗୌଡ଼, ଶଙ୍କର ଗୌଡ଼।
Sambad is now on WhatsApp
Join and get latest news updates delivered to you via WhatsApp
ଅରୁଣଙ୍କ ବାପା ସନ୍ତୋଷ ଗୌଡ଼ଙ୍କ ଅଭିଯୋଗକ୍ରମେ ମାମଲା ରୁଜୁ କରି ପୁଲିସ ଘଟଣାର ତଦନ୍ତ କରୁଛି। ଆଜି ଛତ୍ରପୁର ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛନ୍ତି। ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟରେ ଶବ ବ୍ୟବଚ୍ଛେଦ କରାଯାଇ ମୃତଦେହକୁ ପରିବାରବର୍ଗଙ୍କୁ ହସ୍ତାନ୍ତର କରାଯାଇଥିବା ସୋରଡ଼ା ଥାନା ଅଧିକାରୀ ରମେଶ କୁମାର ପ୍ରଧାନ କହିଛନ୍ତି।
ସୂଚନା ଅନୁଯାୟୀ, ଅରୁଣ କେରଳରେ ରହି କାମ କରୁଥିଲେ। କରୋନା କଟକଣା କାମ ବନ୍ଦ ହେବା ଯୋଗୁଁ ସେ ଗାଁକୁ ଫେରିଥିଲେ। ସଙ୍ଗରୋଧରେ ରହିବା ପରେ ମାସେ ପୂର୍ବେ ଘରକୁ ଫେରିଥିଲେ। ମଙ୍ଗଳବାର ଗାଁରେ ବଂଶୀ ଗୌଡ଼ଙ୍କ ପୁଅର ବିବାହ ଭୋଜି ଥିଲା। ସେହି ଗ୍ରାମର ସୁଶାନ୍ତ ଗୌଡ଼, ସୁଧା ଗୌଡ଼, ସଞ୍ଜି ଗୌଡ଼ ଓ ରିଣ୍ଟୁ ଗୌଡ଼ ଚାରି ଜଣ ମିଶି ଅରୁଣକୁ ଭୋଜି ଖାଇବାକୁ ଯିବା ପାଇଁ ଡ଼ାକିଥିଲେ। ଭୋଜି ଚାଲିଥିବା ସ୍ଥାନରେ ଅରୁଣ ଓ ସେହି ୪ ଜଣଙ୍କ ସହ କେଣସି କାରଣରୁ ବଚସା ହୋଇଥିଲା। ଏହାପରେ ଅରୁଣ ନିଜ ଘରକୁ ଚାଲିଆସିଥିଲେ।
ସେହି ଦିନ ସନ୍ଧ୍ୟା ୬ଟାରେ ଅରୁଣଙ୍କ ସହ ପାଟିତୁଣ୍ଡ ହେବାରୁ ଗାଁ ଦାଣ୍ଡରେ ହିଁ ଗାଁର ୧୪ ଜଣରୁ ଅଧିକ ଯୁବକ ମିଶି କାଠ ମୋରେ ଅରୁଣକୁ ଆକ୍ରମଣ କରିଥିଲେ। ରକ୍ତାକ୍ତ ଅବସ୍ଥାରେ ଅରୁଣଙ୍କୁ ଛାଡ଼ି ସେଠାରୁ ପଳାଇଥିଲେ। ରକ୍ତସ୍ରାବ ଯୋଗୁଁ ଘଟଣାସ୍ଥଳରେ ଅରୁଣଙ୍କ ମୃତ୍ୟୁ ହୋଇଥିଲା। ଏନେଇ ତାଙ୍କ ବାପା ସନ୍ତୋଷ ସୋରଡ଼ା ଥାନାରେ ଅଭିଯୋଗ କ୍ରମେ ଥାନାରେ ମାମଲା ରୁଜୁ ହୋଇଥିଲା। ସୋରଡ଼ା ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିଥିଲା। ଆସିକା ଏସଡ଼ିପିଓ ସୂର୍ଯ୍ୟମଣି ପ୍ରଧାନ ଓ ଛତ୍ରପୁର ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ଘଟଣାର ତଦନ୍ତ କରିଥିଲେ। ଏନେଇ ଘଟଣାର ତଦନ୍ତ ଚାଲିଥିବା ବେଳେ ହତ୍ୟାର ପ୍ରକୃତ କାରଣ ଅସ୍ପଷ୍ଟ ରହିଛି।