ବ୍ରହ୍ମଗିରି: ମରାଳ ମାଳିନୀ ଚିଲିକାରେ ଏବେ ଦେଶୀ ବିଦେଶୀ ପକ୍ଷୀମାନଙ୍କର ସମାଗମ ହୋଇଛି। ନୀଳ ଜଳରାଶିରେ ପକ୍ଷୀମାନଙ୍କର କ୍ରୀଡ଼ା ପର୍ଯ୍ୟଟକମାନଙ୍କର ଆନନ୍ଦକୁ ଦୁଇଗୁଣ କରିଛି। କିନ୍ତୁ କ୍ଷୋଭର ବିଷୟ ହେଲା ଯେ, ଚିଲିକାରେ ପକ୍ଷୀମାନେ ସୁରକ୍ଷିତ ନାହାନ୍ତି। ପୂର୍ବ ବର୍ଷ ଭଳି ଏଥର ମଧ୍ୟ ଶିକାରୀଙ୍କ ଟାର୍ଗେଟରେ ରହୁଛନ୍ତି। ବନ ବିଭାଗ ୧୪ଟି ମୃତ ବିଦେଶୀ ପକ୍ଷୀ ଜବତ କରିଛି। ଜଣେ ଶିକାରୀକୁ ଗିରଫ କରିଛି। ଗୋଟିଏ ସ୍କୁଟି ଓ ମୋବାଇଲ ଜବତ କରିଛି।
ଏଵେ ଶୀତ ପଡ଼ିବା ଆରମ୍ଭ ହୋଇଯାଇଛି। ବିଦେଶାଗତ ଅତିଥି ପକ୍ଷୀଙ୍କ ଭିଡ଼ ଚିଲିକାରେ ଲାଗିଛି। ଏହାରି ଭିତରେ ଚିଲିକା କୂଳ ନିକଟରେ ଥିବା ପୁରୀ ଜିଲ୍ଲା ବ୍ରହ୍ମଗିରି ରେଞ୍ଜରେ ବିଦେଶଗତ ପକ୍ଷୀଙ୍କ ଭିଡ଼ ଜମିଛି। ତେଣୁ ମାଂସ ଲୋଭି ଶିକାରୀ ଏବେ ସକ୍ରିୟ ହୋଇଛନ୍ତି। ଶନିବାର ଅପରାହ୍ଣରେ ବ୍ରହ୍ମଗିରି ରେଞ୍ଜର ଏକ ୧୨ ଜଣିଆ ବନ ବିଭଗ ଟିମ୍ ଘଟକୁଡ଼ି ରାସ୍ତାରେ ଚଢ଼ଉ କରିଛି। ଏହି ଚଢ଼ଉ ସମୟରେ ୧୪ଟି ମୃତ ବିଦେଶୀ ପକ୍ଷୀ ଜବତ କରିଛି। ଏଥିରେ କମନ ଟିଲ, ନର୍ଦନ ପିଂଟଲ, ଯାକେନା ପ୍ରଜାତିର ପକ୍ଷୀ ରହିଛି। ଜଣେ ଶିକାରୀକୁ ବନ ବିଭାଗ ଗିରଫ କରିଛି। ଏହା ସହ ଏକ ସ୍କୁଟି ଓ ମୋବାଇଲ ଜବତ କରିଛି। ଅନ୍ୟ ଦୁଇ ଜଣ ଶିକାରୀ ଫେରାର ହୋଇ ଥିବା ବନ ବିଭାଗ କହିଛି। ଫେରାର ଶିକାରୀକୁ ଧରିବାକୁ ବନ ବିଭାଗ ଚଢ଼ଉ ଜାରି ରଖିଛି। କଇଁ ଫୁଲ ବେଣ୍ଟରେ ବିଷ ଦେଇ ଶିକାର ହେଉ ଥିବା ବନ ବିଭାଗ କହିଛି।