ଗୁଣି ସନ୍ଦେହରେ ହତ୍ୟା ଘଟଣା: ୧୪ କୋର୍ଟ ଚାଲଣ, ପୁଲିସର ଛାନ୍‌ଭିନ୍ ଜାରି

ଛତ୍ରପୁର: ଗଞ୍ଜାମ ଜିଲ୍ଲା ଚମାଖଣ୍ଡି ଥାନା ଅଧୀନ ରାମେୟାପଲ୍ଲୀ ଗ୍ରାମରେ ଶନିବାର ଗୁଣିଗାରେଡି ସନ୍ଦେହରେ ବ୍ରହ୍ମପୁର ଆଙ୍କୁଲି ଅଞ୍ଚଳର ସୁବାସନଗର ଦ୍ୱିତୀୟ ଲାଇନ୍ ବାସିନ୍ଦା ଏନ୍‌.ଭେଙ୍କଟ୍‌ରମଣଙ୍କୁ ପିଟିପିଟ ହତ୍ୟା କରାଯାଇଥିଲା । ଏହାସହ ବ୍ରହ୍ମପୁର ଲାଞ୍ଜିପଲ୍ଲୀର ପି.ଧବଳେଶ୍ୱର ରେଡ୍ଡୀ ଏବଂ ରାମେୟାପଲ୍ଲୀ ଗ୍ରାମର ପି.ଭୀମରାଜୁ ରେଡ୍ଡୀ ଆକ୍ରମଣର ଶିକାର ହୋଇ ଗୁରୁତର ହୋଇଥିଲେ । ଏହି ଘଟଣାରେ ଚମାଖଣ୍ଡି ଥାନା ପୁଲିସ ତଦନ୍ତ କରି ପ୍ରଥମ ପର୍ଯ୍ୟାୟରେ ରାମେୟାପଲ୍ଲୀ ଗ୍ରାମର ୧୪ ଜଣଙ୍କୁ କୋର୍ଟ ଚାଲଣ କରିଛି । ୧୪୭, ୧୪୮, ୩୦୨, ୩୦୭, ୩୨୩, ୩୨୫, ୨୯୪, ୫୦୬, ୧୪୯ ଓ ୪୨୭ ଦଫା ଅନୁଯାୟୀ ପି.ରାଉଳ, ଜି.ରାଜାରାଓ, ପି.ନାରସୁମୁଲୁ, ଏସ୍‌.ଜନାର୍ଦ୍ଦନ, ପି.ରବି, ପି.ଦେବନ୍ଦ୍ର, ଟୁଟୁ ସାହୁ, ଏନ୍‌.ନବିନୀ, କେ.ନାଗେସୁ, ପି.କିରଣ, ପି.ରବି, ବି.ଡିଲେସୁ, ପି.ଶିବ ଓ ପି.ଆପାରାଓଙ୍କୁ ଆଜି କୋର୍ଟ ଚାଲଣ କରାଯାଇଛି ।

ଘଟଣାକୁ ନେଇ ପୁଲିସ ପକ୍ଷରୁ ଆହୁରି ଛାନ୍‌ଭିନ୍ ଜାରି ରହିଛି । କୋର୍ଟ ଚାଲଣ ହୋଇଥିବା ୧୪ ଜଣଙ୍କ ନାମ ସହିତ ଗ୍ରାମର ଅନ୍ୟମାନେ ଘଟଣାରେ ସଂପୃକ୍ତ ବୋଲି ରାମେୟାପଲ୍ଲୀ ଗ୍ରାମର ପି.ଭିମରାଜୁ ରେଡ୍ଡୀ ଥାନାରେ ଅଭିଯୋଗ ଦାୟର କରିଥିଲେ । ଚମାଖଣ୍ଡି ଥାନା ପକ୍ଷରୁ ୧୨୦ ମାମଲା ରୁଜୁ କରି ପ୍ରାଥମିକ ତଦନ୍ତରେ ୧୪ ଜଣଙ୍କୁ ଗିରଫ କରି କୋର୍ଟ ଚାଲଣ କରିଥିବା ବେଳେ ଘଟଣାର ତଦନ୍ତ ଜାରି ରହିଛି ବୋଲି ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଠାକୁର ପ୍ରସାଦ ପାତ୍ର ସୂଚନା ଦେଇଛନ୍ତି ।

ସୂଚନାନୁସାରେ, ରାମେୟାପଲ୍ଲୀ ଗ୍ରାମର ପି.ଭିମରାଜୁ ରେଡ୍ଡୀଙ୍କୁ କିଛି ଅଘଟଣ ହେବା ନେଇ ସପ୍ନ ହୋଇଥିଲା । ଏହାର ପ୍ରତିକ୍ରିୟା ଲାଗି ବ୍ରହ୍ମପୁର ଆଙ୍କୁଲି ସୁବାସନଗର ଦ୍ୱିତୀୟ ଲାଇନ୍‌ର ଏନ୍‌.ଭେଙ୍କଟ ରମଣ ଏବଂ ଲାଞ୍ଜିପଲ୍ଲୀ ଅଞ୍ଚଳର ପି.ଧବଳେଶ୍ୱର ରେଡ୍ଡୀଙ୍କୁ ପୂଜାପାଠ କରିବା ପାଇଁ ଗ୍ରାମକୁ ଡକାଇଥିଲେ । ହେଲେ ଗ୍ରାମବାସୀ ସେମାନଙ୍କୁ ଗୁଣିଆ ତଥା ତାନ୍ତ୍ରିକ ସନ୍ଦେହ କରି ଆକ୍ରମଣ କରିଥିଲେ । ଫଳରେ ଏନ୍‌.ଭେଙ୍କଟ୍ ରମଣଙ୍କ ମୃତ୍ୟୁ ହୋଇଥିବା ବେଳେ ଧବଳେଶ୍ୱର ଓ ଭୀମରାଜୁ ଗୁରୁତର ଆହତ ହୋଇଥିଲେ ।

 

ସମ୍ବନ୍ଧିତ ଖବର