ପୁଲିସ ବିଭାଗର ୧୪ ମୁଣ୍ଡ ନେଲାଣି କରୋନା, ୨୩ ଶହରୁ ଅଧିକ ସଂକ୍ରମିତ

କଟକ : ଓଡ଼ିଶା ପୁଲିସ ବିଭାଗକୁ ଏବେ କାଳ ହୋଇଛି କରୋନା। ଆଜି ସୁଦ୍ଧା ମୋଟ ୧୪ ଜଣ ପୁଲିସ କର୍ମଚାରୀ ଓ ଅଧିକାରୀ କରେନାରେ ସଂକ୍ରମିତ ହୋଇ ପ୍ରାଣ ହରାଇଛନ୍ତି। ୨୩୫୪ ଜଣ କର୍ମଚାରୀ କରୋନାରେ ସଂକ୍ରମିତ ହୋଇସାରିଛନ୍ତି। ଫଳରେ, ଲକଡାଉନ, ସଟଡାଉନ୍ ସମୟରେ ଡ୍ୟୁଟି କରିବାକୁ କର୍ମଚାରୀଙ୍କ ସଂକଟ ଦେଖାଦେଇଛି।

ସୂଚନା ଅନୁଯାୟୀ ରାଜ୍ୟର ସମସ୍ତ ୩୬ଟି ପୁଲିସ ଜିଲ୍ଲାକୁ କରୋନା ମାଡ଼ି ସାରିଲାଣି। କଟକ ରେଳବାଇ ଏସ୍‌ପିଙ୍କ ଅଧୀନରେ ୭ ଜଣ ଏବଂ ରାଉରକେଲା ରେଳବାଇ ଏସ୍‌ପିଙ୍କ ଅଧୀନରେ ୨୧ ଜଣ ପୁଲିସ କର୍ମଚାରୀ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। କଟକ କମିସନରେଟ୍ ପୁଲିସରେ ୬୭ ଜଣ ଏବଂ କଟକ ଗ୍ରାମାଞ୍ଚଳ ପୁଲିସ ଜିଲ୍ଲାରେ ୩୦ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ୩୬ଟି ପୁଲିସ ଜିଲ୍ଲାରେ ୧୭ ଶହ ୨୦ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେହିପରି ୨୨ଟି ବାଟାଲିୟନରେ ୬୧୨ ଜଣ ଏବଂ ଭୁବନେଶ୍ବର ଓଡ଼ିଶା ଇଣ୍ଡଷ୍ଟ୍ରିଆଲ୍ ସିକ୍ୟୁରିଟି ଫୋର୍ସରୁ ୨୨ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ବାଟାଲିୟନ ଭିତରେ ସର୍ବାଧିକ ରାୟଗଡ଼ା ଦ୍ବିତୀୟ ଆଇଆର ବାଟାଲିୟନରେ ୧୦୮ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଦ୍ବିତୀୟରେ ଗଜପତି ଓଏସଏପି ତୃତୀୟ ଏସଏସବିରୁ ୭୭ ଏବଂ ଭୁବନେଶ୍ବର ସପ୍ତମ ବାଟାଲିୟନରୁ ୬୮ ଜଣ ଚିହ୍ନଟ ହୋଇଛନ୍ତି। ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ସୁସ୍ଥ ସଂଖ୍ୟା ୧ ହଜାର ୮୦ ଥିବା ଜଣାପଡ଼ିଛି। ସୁସ୍ଥ ହୋଇଥିବା ପୁଲିସ କର୍ମଚାରୀଙ୍କ ମଧ୍ୟରୁ ଆଜି ସୁଦ୍ଧା ମୋଟ ୫୨ ଜଣ ପୁଲିସ କର୍ମଚାରୀ ପ୍ଲାଜମା ଦାନ କରିଛନ୍ତି।

ଅନ୍ୟପକ୍ଷରେ, ବିଭାଗର ୨୨ଟି ବାଟାଲିୟନରେ ୬୧୨ ପୁଲିସ କର୍ମଚାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଗଞ୍ଜାମ ପୁଲିସ ଜିଲ୍ଲାରେ ସର୍ବାଧିକ ୨୪୩ ଜଣ ପୁଲିସ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ଭୁବନେଶ୍ବର କମିସନରେଟ୍ ପୁଲିସରେ ଦ୍ବିତୀୟ ସର୍ବାଧିକ ୧୮୦ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ପରକୁ ପର ମାଲକାନଗିରି ପୁଲିସ ଜିଲ୍ଲାରେ ୧୨୪ ଜଣ ଓ କଟକରେ ୯୭ ଜଣ ପୁଲିସ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଅନ୍ୟପଟେ ଗଂଜାମରୁ ୩ ଓ ବ୍ରହ୍ମପୁରରୁ ୨ ଜଣ ପୁଲିସ ଅଧିକାରୀ-କର୍ମଚାରୀ ପ୍ରାଣ ହରାଇଥିବାବେଳେ ମାଲକାନାଗିରି, କନ୍ଧମାଳ, ଢେଙ୍କାନାଳ, ରାଉରକେଲା, ସମ୍ବଲପୁର, ନୟାଗଡ, ଖୋର୍ଦ୍ଧା, ପୁରୀ, ଭଦ୍ରକରୁ ଜଣେ ଲେଖାଏ ପୁଲିସ କର୍ମଚାରୀ ପ୍ରାଣ ହରାଇଛନ୍ତି। ଏହି ସଂଖ୍ୟା କେବଳ ରାଜ୍ୟ ପୁଲିସ ବିଭାଗର ହୋଇଥିବାବେଳେ ଏଥିରେ ହୋମଗାର୍ଡ ଅଥବା ଅଗ୍ନିଶମ ବିଭାଗର ସଂକ୍ରମିତ ଅଥବା ମୃତକଙ୍କ ସଂଖ୍ୟା ସାମିଲ ‌କରାଯାଇନାହିଁ।

ସମ୍ବନ୍ଧିତ ଖବର