ରାଜନଗର: ଭିତରକନିକା ଜାତୀୟ ଉଦ୍ୟାନର ନଦୀ, ନାଳରେ ବାସ କରୁଥିବା ବିରଳ ବଉଳା କୁମ୍ଭୀରଙ୍କ ୧୧୪ଟି କୁମ୍ଭୀର ବସା ଚିହ୍ନଟ ହୋଇଛି। ଚିହ୍ନଟ ହୋଇଥିବା ୧୧୪ଟି କୁମ୍ଭୀର ବସା ମଧ୍ୟରୁ କନିକା ରେଞ୍ଜ୍‌ରେ ୧୦୨ଟି, ରାଜନଗର ରେଞ୍ଜ୍‌ରେ ୧୦, ଗହୀରମଥା ରେଞ୍ଜ୍‌ ଅଞ୍ଚଳରେ ୧, ମହାକାଳପଡା ରେଞ୍ଜ୍‌ରେ ୧ଟି କୁମ୍ଭୀର ବସା ଚିହ୍ନଟ କରାଯାଇଛି। ଗତବର୍ଷ ୧୨୨ ବସା ମଧ୍ୟରୁ କନିକା ରେଞ୍ଜ୍‌ରେ ୧୦୭ଟି ଓ ରାଜନଗର ରେଞ୍ଜ୍‌ରେ ୧୨, ଗହୀରମଥାରେ ୧ଟି ଓ ମହାକାଳପଡ଼ାରେ ଗୋଟିଏ କୁମ୍ଭୀର ବସା ଅନ୍ତର୍ଭୁକ୍ତ।

Advertisment

ଚଳିତବର୍ଷ କନିକା ଓ ରାଜନଗର ରେଞ୍ଜରେ କୁମ୍ଭୀର ବସା ସଂଖ୍ୟା ହ୍ରାସ ପାଇଛି। ସେହିପରି ୨୦୧୮ରେ ୧୦୧ଟି, ୨୦୧୯ରେ ୧୦୩, ୨୦୨୦ରେ ୧୦୩, ୨୦୨୧ରେ ୮୪ ଓ ୨୦୨୩ରେ ୧୨୨ କୁମ୍ଭୀର ବସା ଚିହ୍ନଟ ହୋଇଥିଲା। ଅନ୍ୟପଟେ କନିକା ରେଞ୍ଜ୍‌ ଅଞ୍ଚଳରୁ ଜୁଆର ମାଡିଯାଇ ନଷ୍ଟ ହୋଇଯାଇଥିବା କୁମ୍ଭୀର ବସାରୁ ୫୪ଟି ଅଣ୍ତା ସଂଗ୍ରହ କରାଯାଇ କୃତ୍ରିମ ଉପାୟରେ ଛୁଆ ଫୁଟାଇବା ପାଇଁ ଡାଙ୍ଗମାଳସ୍ଥିତ କୁମ୍ଭୀର ପ୍ରଜନନ କେନ୍ଦ୍ରରେ ପ୍ରକ୍ରିୟା ଆରମ୍ଭ ହୋଇଛି। ଏସିଏଫ ମାନସ କୁମାର ଦାସଙ୍କ ନେତୃତ୍ବରେ ବନକର୍ମଚାରୀ ହେମନ୍ତ ପାଣିଗ୍ରାହୀ, ଯଶୋବନ୍ତ ବେହେରା ପ୍ରମୁଖ ଏହି ୫୪ଟି ଅଣ୍ତା ସଂଗ୍ରହ କରିଛନ୍ତି। ଏହି ଅଣ୍ତାକୁ ପ୍ରଜନନ କେନ୍ଦ୍ରରେ ପୂର୍ବରୁ ପ୍ରସ୍ତୁତ କରାଯାଇଥିବା ଖରଖରି ଓ ହେନ୍ତାଳ ପତ୍ରକୁ ଘୋଡାଇ ରଖାଯାଇଛି। ଅଣ୍ତା ଗୁଡିକୁ ୩୨ରୁ ୩୩ ଡିଗ୍ରି ତାପମାତ୍ରାରେ ରଖାଯାଇଛି। ପ୍ରତି ଦୁଇଘଣ୍ଟାରେ ଥରେ ତାପମାତ୍ରା ମପାଯାଉଥିବା ବନବିଭାଗ ସୂଚନାରୁ ଜଣାପଡ଼ିଛି।