କୁମ୍ଭମେଳାରୁ ଫେରିଲେ ୧୪ଦିନ ସଙ୍ଗରୋଧ, ଓଡ଼ିଶା ଫେରିବା ପୂର୍ବରୁ ଆର୍‌ଟି-ପିସିଆର ପରୀକ୍ଷା ଜରୁରୀ

ଭୁବନେଶ୍ବର : କୁମ୍ଭମେଳାରେ ଅଂଶଗ୍ରହଣ କରି ରାଜ୍ୟକୁ ଫେରିବାକୁ ଥିବା ଶ୍ରଦ୍ଧାଳୁମାନଙ୍କ ପାଇଁ ୧୪ଦିନ ସଙ୍ଗରୋଧ ବାଧ୍ୟତାମୂଳକ କରାଯାଇଛି। ସ୍ବତନ୍ତ୍ର ରିଲିଫ କମିସନରଙ୍କ ପକ୍ଷରୁ ଆଜି ଏ ସଂକ୍ରାନ୍ତରେ ସୂଚନା ଦିଆଯାଇଛି। ରାଜ୍ୟରେ ବଢ଼ୁଥିବା କରୋନା ସଂକ୍ରମଣକୁ ନଜରରେ ରଖି ରାଜ୍ୟ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି।

ହରିଦ୍ବାରରେ ଚାଲିଥିବା କୁମ୍ଭମେଳାରେ ଲକ୍ଷାଧିକ ଶ୍ରଦ୍ଧାଳୁ ସାମିଲ ହୋଇଥିବା ବେଳେ ଗତ ୫ଦିନରେ ସେଠାରେ ୨ହଜାରରୁ ଅଧିକ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଦେଶବ୍ୟାପୀ ବିଭିନ୍ନ ରାଜ୍ୟରୁ ଶ୍ରଦ୍ଧାଳୁମାନେ ସ୍ନାନ ଯାତ୍ରାରେ ସାମିଲ ହୋଇଥିବା ବେଳେ ଓଡ଼ିଶାରେ ମଧ୍ୟ ଅନେକ ଶ୍ରଦ୍ଧାଳୁ ଏଥିରେ ଯୋଗ ଦେଇଛନ୍ତି। ମାତ୍ର କେତେଜଣ ରାଜ୍ୟରୁ କୁମ୍ଭମେଳା ଯାଇଛନ୍ତି ତାହାର ତଥ୍ୟ ରାଜ୍ୟ ସରକାରଙ୍କ ନିକଟରେ ନାହିଁ। ଆଜି ପ୍ରଧାନମନ୍ତ୍ରୀ ଅନୁରୋଧ ପରେ ଆୟୋଜକମାନେ ପରବର୍ତୀ ସ୍ନାନକୁ ପ୍ରତୀକାତ୍ମକ କରିବା ଲାଗି ନିଷ୍ପତ୍ତି ନେଇଛନ୍ତି। ତେଣୁ ଏଥିରେ ସାମିଲ ହୋଇଥିବା ଶ୍ରଦ୍ଧାଳୁ ଆସନ୍ତା କିଛିଦିନ ଭିତରେ ଓଡ଼ିଶା ଫେରିବେ ବୋଲି ଅନୁମାନ କରାଯାଉଛି। ଏଭଳି ପରିସ୍ଥିତିରେ ସଂପୃକ୍ତ ଶ୍ରଦ୍ଧାଳୁମାନେ ଅନ୍ୟ ରାଜ୍ୟରେ ଦେଖିବାକୁ ମିଳିଥିବା କରୋନା ମ୍ୟୁଟାଣ୍ଟ ଭୂତାଣରୁ ବାହାକ ହୋଇପାରନ୍ତି ବୋଲି ଆଶଙ୍କା ପ୍ରକାଶ ପାଇଛି। ଯଦିଓ ପୂର୍ବରୁ ରାଜ୍ୟ ସରକାର ବାହାର ରାଜ୍ୟ ଫେରନ୍ତାଙ୍କ ପାଇଁ ଆର୍‌ଟି-ପିସିଆର ରିପୋର୍ଟ ବାଧ୍ୟତାମୂଳକ କରିଛନ୍ତି, ମାତ୍ର ରେଲୱେ ଷ୍ଟେସନ୍‌ରେ ଏହାକୁ କଡ଼ାକଡ଼ି ଭାବେ ପାଳନ କରାଯାଉନାହିଁ। ଅନେକ ଏହାର ଫାଇଦା ନେଉଥିବା ଜଣାପଡ଼ିଛି। ଏଭଳି ପରିସ୍ଥିତିରେ ଫେରୁଥିବା ଶ୍ରଦ୍ଧାଳଙ୍କୁ ଚିହ୍ନଟ କରି କୋଭିଡ୍‌ ଗାଇଡଲାଇନକୁ ପାଳନ କରିବା କଷ୍ଟକର ବ୍ୟପାର।

ଏସ୍‌ଆରସିଙ୍କ ପକ୍ଷରୁ ଜାରି ପ୍ରେସ୍ ବାର୍ତାରେ କୁହାଯାଇଛି ଯେ କୁମ୍ଭମେଳାରେ ଅଂଶଗ୍ରହଣ କରିବା ପାଇଁ ଉତ୍ତରାଖଣ୍ଡ ସରକାରଙ୍କ ନିକଟରେ ପଞ୍ଜୀକରଣ କରିଥିବା ଲୋକଙ୍କ ତାଲିକା ସବୁ ଜିଲ୍ଲାପାଳ ଓ ମ୍ୟୁନିସିପାଲ କମିସନରଙ୍କୁ ଜଣାଇ ଦିଆଯାଇଛି। ସେମାନଙ୍କୁ ବ୍ୟକ୍ତିଗତ ଭାବେ ଚିହ୍ନଟ କରିବା ସହିତ ଯୋଗାଯୋଗ କରିବା ଓ ଓଡ଼ିଶା ଫେରିବା ପୂର୍ବରୁ ଆର୍‌ଟି-ପିସିଆର ପରୀକ୍ଷା କରାଇନେବା ଜରୁରୀ ବୋଲି କୁହାଯାଇଛି। ରାଜ୍ୟକୁ ଫେରିବା ପରେ ସେମାନେ ଘରେ କିମ୍ବା ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ରରେ ୧୪ଦିନ ପାଇଁ ବାଧ୍ୟତାମୂଳକ ସଙ୍ଗରୋଧ ବ୍ୟବସ୍ଥା ଗ୍ରହଣ କରାଯାଇଛି। ସେମାନଙ୍କ ଆର୍‌ଟି-ପିସିଆର ପରୀକ୍ଷା ମଧ୍ୟ ବାଧ୍ୟତାମୂଳକ। ଯେଉଁମାନଙ୍କଠାରେ କୋଭିଡ୍‌ ଲକ୍ଷଣ ଦେଖିବାକୁ ମିଳିବ ସେମାନଙ୍କ ନିକଟକୁ ଆଶା/ଅଙ୍ଗନବାଡ଼ି କର୍ମୀ ନିୟମିତ ବ୍ୟବଧାନରେ ପରିଦର୍ଶନ କରିବାକୁ କୁହାଯାଇଛି। ଫେରନ୍ତା ଶ୍ରଦ୍ଧାଳୁମାନେ ନିଜ ସ୍ବାସ୍ଥ୍ୟ ସଂପର୍କରେ ବିଡିଓ/ମ୍ୟୁନିସିପାଲିଟି/ଏନ୍‌ଏସି ଅଧିକାରୀ/ପିଏଚ୍‌ସି/ସିଏଚ୍‌ସିକୁ ଜଣାଇବାକୁ କୁହାଯାଇଛି।

ସମ୍ବନ୍ଧିତ ଖବର