ନୂଆପଡ଼ା/ମାଲକା: ନୂଆପଡ଼ା ସୀମାନ୍ତ ଛତିଶଗଡ଼ ଗରିଆବନ୍ଧ ଜିଲ୍ଲା କୁଲାରିଘାଟ ଜଙ୍ଗଲରେ ସୁରକ୍ଷା ବାହିନୀ ବଡ଼ଧରଣର ଆକ୍ରମଣ କରି ଏକ ମାଓବାଦୀ କ୍ୟାମ୍ପକୁ ଉଡ଼ାଇ ଦେଇଛନ୍ତି। ଏଥିରେ କୁଖ୍ୟାତ ମାଓବାଦୀ ନେତା ଚଲ୍ପତିଙ୍କ ସହ ୧୪ ଜଣ କ୍ୟାଡର୍ ନକ୍ସଲଙ୍କ ମୃତ୍ୟୁ ଘଟିଛି। ଓଡ଼ିଶା ଏସ୍ଓଜି ଯବାନଙ୍କ ଗୁଳିରେ ଟପ୍ କ୍ୟାଡର ମାଓ ନେତାଙ୍କ ମୃତ୍ୟୁ ଘଟିଥିବାରୁ ଡିଜିପି
ଯୋଗେଶ ବାହାଦୁର ଖୁରାନିଆ ଯବାନଙ୍କ ସାହସିକତାକୁ ପ୍ରଶଂସା କରିଛନ୍ତି। ଆସନ୍ତାକାଲି ସେ ନୂଆପଡ଼ା ଗସ୍ତରେ ଯିବେ।
ନୂଆପଡ଼ା ଜିଲ୍ଲା ସୀମାରୁ ମାତ୍ର ୫ କିମି ଦୂର ଛତିଶଗଡ଼ ମେନ୍ପୁର ଥାନା ଅଧୀନ କୁଲାରିଘାଟ ସଂରକ୍ଷିତ ଜଙ୍ଗଲରେ ବହୁ ସଂଖ୍ୟାରେ ମାଓବାଦୀ ଲୁଚି ରହିଥିବା ସଂକ୍ରାନ୍ତରେ ଗୁଇନ୍ଦା ସୂଚନା ମିଳିଥିଲା। ରବିବାର ରାତିରୁ ଏକ ଯୁଗ୍ମ ଅନ୍ତଃରାଜ୍ୟ ଅଭିଯାନ ଆରମ୍ଭ କରାଯାଇଥିଲା। ଏଥିରେ ଛତିଶଗଡ଼, ଓଡ଼ିଶା ପୁଲିସର ଏସ୍ଓଜି ଏବଂ ସିଆର୍ପିଏଫ୍ର କୋବ୍ରା ଯବାନ ସାମିଲ ଥିଲେ। ସୋମବାର ଯବାନମାନେ କୁଲାରିଘାଟ ଜଙ୍ଗଲ ଚାରିପଟେ ଘେରି ଯାଇଥିଲେ। ଏହା ପରେ ଉଭୟ ପକ୍ଷରୁ ଘମାଘୋଟ ଗୁଳି ବିନିମୟ ହୋଇଥିଲା। ଯବାନଙ୍କ ଗୁଳିରେ ୨ ଜଣ ମାଓବାଦୀଙ୍କ ମୃତ୍ୟୁ ହୋଇଥିଲା। ଏହା ପରଠୁ ରାତିତମାମ ସର୍ଚ ଅପରେସନ୍ ଜାରି ରହିଥିଲା। ମଙ୍ଗଳବାର ସକାଳୁ ପୁଣି ଯବାନ ଓ ନକ୍ସଲଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା, ଯାହା ଏପର୍ଯ୍ୟନ୍ତ ଜାରି ରହିଛି। ମୃତକଙ୍କ ମଧ୍ୟରେ କୁଖ୍ୟାତ ମାଓବାଦୀ ନେତା ଚଲପତି ରହିଛନ୍ତି। ତାଙ୍କ ନାମରେ ସରକାର ୧ କୋଟି ଟଙ୍କାର ପୁରସ୍କାର ରାଶି ଘୋଷଣା କରିଥିଲେ। ମୃତକଙ୍କ ମଧ୍ୟରେ ୫ ଜଣ ମହିଳା ମାଓବାଦୀ ମଧ୍ୟ ଅଛନ୍ତି। ଏହି ଅପରେସନ୍ରେ ଓଡ଼ିଶାର ଜଣେ ଯବାନ ଗୁରୁତର ହୋଇଥିବା ସୂଚନା ମିଳିଛି। ମାଓବାଦୀ କ୍ୟାମ୍ପରୁ ଏକେ-୪୭, ଏସ୍ଏଲ୍ଆର୍, ଇନ୍ସାସ୍ ରାଇଫଲ୍ ଭଳି ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଏବଂ ଅନ୍ୟ ସାମଗ୍ରୀ ଜବତ କରାଯାଇଛି। କୁଲାରିଘାଟ, ଭାଲୁଡ଼ିଗି ଜଙ୍ଗଲ ସହ ନୂଆପଡ଼ା ସୀମାନ୍ତ ଅଞ୍ଚଳରେ ଏବେ ବି ତଲାସୀ ଜାରି ରହିଥିବା ଜଣାପଡ଼ିଛି।
୬୧ ବର୍ଷୀୟ ଚଲ୍ପତି ଓରଫ୍ ଜୟରାମ ଓରଫ୍ ରାମଚନ୍ଦ୍ରନ ଓରଫ୍ ପ୍ରତାପ ରେଡ୍ଡୀଙ୍କ ନାଁରେ ଅନେକ ହିଂସାତ୍ମକ ମାମଲା ରହିଛି। ନକ୍ସଲ ବାହିନୀର ନେତୃତ୍ବ ନେଇ ସୁରକ୍ଷା ବାହିନୀ ଉପରେ ଅତର୍କିତ ଆକ୍ରମଣ କରିବାରେ ସେ ସିଦ୍ଧହସ୍ତ ଥିଲେ। ଏଥିପାଇଁ ତାଙ୍କ ଉପରେ ବିପୁଳ ଅର୍ଥରାଶି ଘୋଷଣା କରାଯାଇଥିଲା। ସେ ଓଡ଼ିଶା କମିଟିର ସଦସ୍ୟ ଥିଲେ। ଆନ୍ଧ୍ରପ୍ରଦେଶର ଚିନ୍ତୁର ଜିଲ୍ଲା ବଗାରାମା ପଟେମ୍ ଥାନା ଅଧୀନ ପାଇପଲି ଗ୍ରାମର ସେ ମୂଳ ବାସିନ୍ଦା। ୨୦୨୧ ଜାନୁଆରିରେ ସେ ଛତିଶଗଡ଼ ଆସିଥିଲେ। ତାଙ୍କ ପତ୍ନୀ ଅରୁଣା (୨୪) ମଧ୍ୟ ଓଡ଼ିଶା ରାଜ୍ୟ କମିଟିର ସଦସ୍ୟ ଅଛନ୍ତି। ଚଲ୍ପତିଙ୍କ ପାଖରେ ୪୭ଟି ଅସ୍ତ୍ର, ମୋବାଇଲ, ଟାବ୍ଲେଟ୍, କମ୍ପ୍ୟୁଟର, ରେଡିଓ ଆଦି ରହିଥିଲା। ବର୍ତ୍ତମାନ ସମୟରେ ସେ ଛତିଶଗଡ଼ର ଭାଲୁଡିଙ୍ଗି, ନୂଆପଡ଼ା ଜିଲ୍ଲା ସୁନାବେଡ଼ା ଅଭୟାରଣ୍ୟ ଅଞ୍ଚଳରେ ବୁଲୁଥିଲେ। ମାଟ୍ରିକ୍ ଯାଏ ପଢ଼ିଥିବା ଚଲ୍ପତି ଇଂରାଜୀ, ତେଲୁଗୁ, ଓଡ଼ିଆ, ଗୋଣ୍ଡି, ଛତିଶଗଡ଼ି, ହିନ୍ଦୀ ଆଦି ଏକାଧିକ ଭାଷା କହି ପାରୁଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2025/01/22/NQitHbnHEct6rfs4fS4Z.jpg)