ଭୁବନେଶ୍ୱର/କଟକ : ଦୀପାବଳି ପୂର୍ବରୁ ଚଳିତ ବର୍ଷ ବାଣ ବିସ୍ଫୋରଣରେ ରାଜ୍ୟରେ ଅନ୍ୟୂନ ଦୁଇ କୋଟିର ସମ୍ପତ୍ତି ନଷ୍ଟ ହୋଇଥିବା ବେଳେ ୧୪ ଜଣଙ୍କ ଜୀବନ ଯାଇଛି । ରାଜ୍ୟରେ ଏ ପ୍ରକାର ସ୍ଥିତିରେ ପୁଲିସ ବିଭାଗର ବିଳମ୍ବରେ ଚେତା ପଶିଛି । ରାଜ୍ୟ ପୁଲିସ ମହାନିର୍ଦ୍ଦେଶକଙ୍କ ନିର୍ଦ୍ଦେଶରେ ଗଲାକାଲି ଜିଲ୍ଲାଓ୍ଵାରୀ ବେଆଇନ ବାଣ ତିଆରି କାରଖାନା/ଦୋକାନରେ ଅତର୍କିତ ଚଢ଼ଉ କରାଯାଇଥିଲାା ୫୫୦ଟି ବେଆଇନ ବାଣ ପ୍ରସ୍ତୁତକାରୀ ସଂସ୍ଥା ଉପରେ ଚଢ଼ଉ କରାଯାଇଥିବା ବେଳେ ୬୪ ଜଣଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି ।

Advertisment

ସୂଚନାଯୋଗ୍ୟ ଯେ ବାଲେଶ୍ୱର ଜିଲ୍ଲା ସଦର ବ୍ଲକ ବାହାବଳପୁରରେ ଏକ ବାଣ କାରଖାନାରେ ଅଗ୍ନିକାଣ୍ଡ ଘଟିଥିଲା । ଏଥିରେ ୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୨ ଜଣ ଗୁରୁତର ଆହତ ହୋଇ କଟକ ବଡ଼ ମେଡିକାଲ୍‌ରେ ଭର୍ତ୍ତି ହୋଇଥିଲେ। ଆଜି ସୁଦ୍ଧା ଆହତଙ୍କ ମଧ୍ୟରୁ ଆଉ ୫ ଜଣଙ୍କ ମୃତ୍ୟୁ ହୋଇଛି। ସେହିପରି ବାଣ ବିସ୍ଫୋରଣରେ ପୁରୀ ଜିଲ୍ଲା ପିପିଲିରେ ଜଣେ ଏବଂ ରାଉରକେଲାରେ ଜଣକର ମୃତ୍ୟୁ ହୋଇଥିଲା । ରାଜ୍ୟରେ ବେଆଇନ ବାଣ କାରବାର ପାଇଁ ଅକାଳରେ ଲୋକଙ୍କ ଜୀବନ ଯିବା ଏବଂ କୋଟି କୋଟି ଟଙ୍କାର ସମ୍ପତ୍ତି ନଷ୍ଟ ହେବାରୁ ପୁଲିସ ଡିଜି ଆର୍‌.ପି. ଶର୍ମା ଗଲାକାଲି ରାଜ୍ୟର ସମସ୍ତ ଜିଲ୍ଲା ଏସ୍‌ପି ଏବଂ କମିଶନରେଟ୍‌ ପୁଲିସର ଡିସିପିଙ୍କୁ ଚଢ଼ଉ କରିବା ପାଇଁ ନିର୍ଦ୍ଦେଶାନାମା ଜାରି କରିଥିଲେ । ସେହି ନିର୍ଦ୍ଦେଶ ଆଧାରରେ ଗଲାକାଲି ମଧ୍ୟରାତ୍ରୀ ପର୍ଯ୍ୟନ୍ତ ସମସ୍ତ ଜିଲ୍ଲାରେ ଚଢ଼ଉ କରାଯାଇଥିଲା ।

ଗଞ୍ଜାମ ପୁଲିସ ସର୍ବାଧିକ ୧୦୮ଟି ସ୍ଥାନରେ ଚଢ଼ଉ କରିଥିବା ବେଳେ ୨୨ଟି ମାମଲା ରୁଜୁ କରିଛି । ଗଞ୍ଜାମ ଜିଲ୍ଲା ବାଦ୍‌ କେନ୍ଦୁଝର, ଭଦ୍ରକ, ଦେଓଗଡ଼, ନୟାଗଡ଼, ଜଗତସିଂହପୁର, କେନ୍ଦ୍ରାପଡ଼ା, ମୟୂରଭଞ୍ଜ ଏବଂ ବାଲେଶ୍ୱର ଜିଲ୍ଲାରେ ପରକୁ ପର ପୁଲିସ ଏକାଧିକ ସ୍ଥାନରେ ଚଢ଼ଉ କରିଥିଲା । କମିସନରେଟ ପୁଲିସ ଅଧୀନରେ ଭୁବନେଶ୍ୱର ବାଲିପାଟଣା ଥାନା ଏବଂ କଟକରେ ଜଗତପୁର ଅଞ୍ଚଳରେ ଦୁଇଟି ବେଆଇନ ବାଣ ତିଆରି କାରଖାନାରେ ଚଢ଼ଉ କରି ଦୁଇଟି ମାମଲା ରୁଜୁ କରିଛି । ପୁଲିସ ବିଭାଗ ପକ୍ଷରୁ ମିଳିଥିବା ତଥ୍ୟ ଅନୁଯାୟୀ, ରାଜ୍ୟରେ ମୋଟ ୫୫୦ ସ୍ଥାନରେ ଚଢ଼ଉ ହୋଇଥିବା ବେଳେ ୨୧୦ଟି ମାମଲା ରୁଜୁ ହୋଇଛି । ଏହାମଧ୍ୟରୁ ୯୯ଟି ଘଟଣାର କାର୍ଯ୍ୟାନୁଷ୍ଠାନ ରିପୋର୍ଟ କର୍ତ୍ତୃପକ୍ଷଙ୍କ ନିକଟରେ ଦାଖଲ କରାଯାଇଛି । ଲକ୍ଷାଧିକ ଟଙ୍କାର ବେଆଇନ ବାଣ ପୁଲିସ ଜବତ କରିଥିବା ବେଳେ ଶହ ଶହ ବେଆଇନ ବାଣ ଦୋକାନ/କାରଖାନାର ସିଲ୍‌ କରାଯାଇଥିବା ପୁଲିସ ବିଭାଗ ପକ୍ଷରୁ ସୂଚନା ମିଳିଛି ।

ଅନ୍ୟପଟେ କଟକ କମିସନରେଟ ପୁଲିସ ଅଧିନରେ ପୁରୀଘାଟ ଥାନା ଚୌଧୁରୀବଜାର ଏବଂ ନନ୍ଦିସାହି ଭଳି ଜନବସତିପୂର୍ଣ୍ଣ ଅଞ୍ଚଳର ବିଗତ ୨୦ ବର୍ଷ ହେବ ଖୋଲିଥିବା ବାଣ ଗୋଦାମ ବନ୍ଦ କରିବାକୁ ଗଲାବର୍ଷ କମିସନରେଟ୍‌ ପୁଲିସ ନିର୍ଦ୍ଦେଶନାମା ଜାରି କରିଥିଲା । କିନ୍ତୁ ସେମାନେ ଚଳିତ ବର୍ଷ ବାଣ ବାବଦରେ ଲକ୍ଷାଧିକ ଟଙ୍କା ବିନିଯୋଗ କରିଥିବାରୁ ଚଳିତ ୨୦ ତାରିଖ ପର୍ଯ୍ୟନ୍ତ ଦୋକାନ ଖୋଲିବାକୁ ଅନୁମତି ପ୍ରଦାନ କରିବାକୁ ହାଇକୋର୍ଟ ଦ୍ୱାରସ୍ଥ ହୋଇଥିଲେ । କୋର୍ଟର ଅନୁମତି ମିଳିିବା ପରେ ଚଳିତ ବର୍ଷ ଶେଷ ଥର ପାଇଁ ଉକ୍ତ ଦୁଇଟି ସ୍ଥାନରେ ବାଣ ଗୋଦାମ ଖୋଲିବାକୁ ଅନୁମତି ଦିଆଯାଇଥିବା ପୁଲିସ କମିସନର ଓ୍ଵାଇ.ବି.ଖୁରାନିଆ କହିଛନ୍ତି । ୨୦୧୮ରୁ ଉକ୍ତ ଅଞ୍ଚଳରେ କୌଣସି ବାଣ ଦୋକାନ ଖୋଲିଲେ, ଆଇନ ଅନୁଯାୟୀ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବାକୁ କମିସନରେଟ୍‌ ପୁଲିସ ନିଷ୍ପତ୍ତି ନେଇଛି । ତେଣୁ ଚଳିତ ବର୍ଷ ଉକ୍ତ ଅଞ୍ଚଳ ବାଦ୍‌ ରାଜ୍ୟର ଅନ୍ୟ ସମସ୍ତ ଜନବସତିପୂର୍ଣ୍ଣ ଅଞ୍ଚଳ ଏବଂ ବେଆଇନ ବାଣ ଗୋଦାମରେ ଚଢ଼ଉ କରାଯାଇଥିବା ସୂଚନା ମିଳିଛି ।