ଫନି ତାଣ୍ଡବରେ ଓଡ଼ିଶା ଥରହର, ୧୪ ଜିଲ୍ଲାରେ ପ୍ରବଳ କ୍ଷୟକ୍ଷତି

ଭୁବନେଶ୍ୱର : ଅତି ଭୀଷଣ ସାମୁଦ୍ରିକ ବାତ୍ୟା ଫନି ଆଜି ସମଗ୍ର ଉପକୂଳ ଓଡ଼ିଶାରେ ପ୍ରବଳ କ୍ଷୟକ୍ଷତି ଘଟାଇଛି । ପୁରୀ, ଖୋର୍ଦ୍ଧା, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ ଆଦି ଜିଲ୍ଲାରେ ଧ୍ୱଂସର ତାଣ୍ଡବ ରଚାଇଛି । ଫନି ପ୍ରଭାବରେ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ପ୍ରାୟ ୬ ଜଣ ଲୋକ ମୃତ୍ୟୁ ବରଣ କରିଥିବା ଅସମର୍ଥିତ ସୁତ୍ରରୁ ଜଣାଯାଇଛି । ତେବେ ସରକାରୀଭାବେ ଏ ସଂପର୍କରେ କିଛି କୁହାଯାଇନାହିଁ । ଆହୁରି ଅନେକ ସ୍ଥାନରେ ଲୋକମାନେ ଫସିରହିଥିବାରୁ ମୃତ୍ୟୁସଂଖ୍ୟା ବଢିବାର ଆଶଙ୍କା ରହିଛି ।

ଆଜି ଦିନ ୧୦ ଘଣ୍ଟା ସମୟରେ ପୁରୀ ନିକଟରେ ସ୍ଥଳଭାଗ ଛୁଇଁଛି ବା ଲାଣ୍ଡଫଲ କରିଥିଲା । ସକାଳ ୮ଟା ସମୟରେ ଫନିର ଲାଣ୍ଡଫଲ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ଦିନ ପ୍ରାୟ ୧୦ଟା ସମୟରେ ଫନିର ଆଖି ସ୍ଥଳଭାଗ ଛୁଇଁଥିଲା । ପୁରୀରେ ପବନର ବେଗ ଘଣ୍ଟାପ୍ରତି ୨୦୦ କିମି ଛୁଇଁଛି । ଏପରିକି ଭୁବନେଶ୍ୱରରେ ମଧ୍ୟ ପ୍ରାୟ ୧୭୫ କିମି ବେଗରେ ପବନ ବୋହିବାରୁ ପ୍ରବଳ କ୍ଷୟକ୍ଷତି ହୋଇଛି । ବିଭିନ୍ନ ସ୍ଥାନରେ ଗଛପଡି ରାସ୍ତା ଅବରୋଧ ହୋଇଛି । ବିଦ୍ୟୁ ସରବରାହ ବନ୍ଦ ରହିଛି । ଫନି ଧୀରେ ଧୀରେ ଏହା ଉତ୍ତପୂର୍ବ ଦିଗରେ ଗତି କରି ପଶ୍ଚିମବଙ୍ଗ ଓ ଆସନ୍ତା କାଲି ସଂଧ୍ୟା ସୁଦ୍ଧା ବାଂଲାଦେଶ ଛୁଇଁବା ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ କହିଛି ।

ସମ୍ବନ୍ଧିତ ଖବର