ଧରାକୋଟ: ରାଜ୍ୟରେ ଜାଲ୍ ସାର୍ଟିଫିକେଟ୍ ଧରପଗଡ଼କୁ ଜୋର୍‌ଦାର୍ କରାଯାଇଛି। ଫଳରେ ନକଲି ଜାତିଗତ, ଜନ୍ମ ଓ ଶିକ୍ଷାଗତ ପ୍ରମାଣପତ୍ର ଦାଖଲ କରି ଚାକିରି ହାତେଇଥିବା ଶିକ୍ଷକମାନଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି। ଏହିକ୍ରମ‌ରେ ଧରାକୋଟ ବ୍ଲକ୍ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରୁ ହସ୍ତଗତ ସୂଚନା ମୁତାବକ, ଏହି ବ୍ଲକ୍‌ରେ ମୋଟ ୧୪ ଜଣ ନକଲି ଶିକ୍ଷକ ଅଛନ୍ତି। ସେମାନଙ୍କ ବିରୋଧରେ ବିଇଓ କାର୍ଯ୍ୟାଳୟ ପକ୍ଷରୁ ଧରାକୋଟ, ବଡ଼ଗଡ଼ ଓ ଗାଙ୍ଗପୁର ଥାନାରେ ଏତଲା ଦିଆ ଯାଇଥିଲା। ଦସମାନଙ୍କ ମଧ୍ୟରୁ ପାଞ୍ଚଜଣଙ୍କୁ ଚାକିରିରୁ ବହିଷ୍କାର କରା ଯାଇଥିବା ବେଳେ ୯ ଜଣଙ୍କ ନାମରେ ଅଦାଲତରେ ମାମଲା ବିଚାରାଧୀନ ରହିଛି। ଏ ସଂପର୍କିତ ରିପୋର୍ଟ ଗଞ୍ଜାମ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ପ୍ରଦାନ କରା ଯାଇଥିବା ଜଣାପଡ଼ିଛି। ଫଳରେ ଅନ୍ୟ ନକଲି ଶିକ୍ଷକଶିକ୍ଷୟିତ୍ରୀଙ୍କୁ ବର୍ତ୍ତମାନ କାର୍ଯ୍ୟାନୁଷ୍ଠାନ ଭୟ ଘାରିଛି। ସୂଚନା ଥାଉକି, ଧରାକୋଟ ବ୍ଲକ୍‌ରେ ୧୧୮ଟି ବିଦ୍ୟାଳୟ ୫୦୦ ଶିକ୍ଷକ କାର୍ଯ୍ୟରତ। ଶିକ୍ଷା ଅଧିକାର ନିୟମାନୁସାରେ, ୨୦ଟି ଶିକ୍ଷକ ପଦବି ଖାଲି ପଡ଼ିଛି।