ହୀରାକୁଦର ୫ ଗେଟ୍ ବନ୍ଦ, ଆଉ ୧୪ ଖୋଲା

ସମ୍ବଲପୁର : ଗୁରୁବାର ହୀରାକୁଦ ଡ୍ୟାମ୍‌ର ଆଉ ୫ଟି ଗେଟ୍ ବନ୍ଦ କରାଯାଇଛି। ଅବଶିଷ୍ଟ ୧୪ଟି ଗେଟ୍ ଦେଇ ମହାନଦୀକୁ ଜଳ ନିଷ୍କାସନ ଜାରି ରହିଛି। ବୁଧବାର ରାତି ୯ଟା ବେଳେ ହୀରାକୁଦ ଜଳସ୍ତର ୬୨୪.୨୧ ଫୁଟ୍‌କୁ ଖସିଛି। ସେତେବେଳେ ଜଳଭଣ୍ଡାର ମଧ୍ୟକୁ ୨ ଲକ୍ଷ ୪୨ ହଜାର ୭୨୪ କ୍ୟୁସେକ୍‌ ପାଣି ପ୍ରବେଶ କରୁଥିଲାବେଳେ ବିଭିନ୍ନ ମାର୍ଗ ଦେଇ ସମାନ ପରିମାଣର ପାଣି ନିଷ୍କାସିତ ହେଉ ଥିଲା। ସେଥିରୁ ବାମ ପାର୍ଶ୍ବର ୧୦ ଓ ଡାହାଣ ପାର୍ଶ୍ବର ୪ଟି ଗେଟ୍‌ ଦେଇ ମହାନଦୀକୁ ହାରାହାରି ୨,୨୩,୯୩୦ କ୍ୟୁସେକ୍‌ ପାଣି ନିଷ୍କାସିତ ହେଉଥିଲା। ସେହି ସମୟରେ ମହାନଦୀ ତଳ ମୁଣ୍ଡ ବେଲ୍‌ଗାଁଠାରେ ୧୭ ହଜାର କ୍ୟୁସେକ୍‌, ପଥର୍ଲାଠାରେ ୪୬ ହଜାର କ୍ୟୁସେକ୍‌, ଖଇରମାଳରେ ୩ ଲକ୍ଷ ୭୫ ହଜାର କ୍ୟୁସେକ୍‌, ବରମୂଳଠାରେ ୪ ଲକ୍ଷ ୬୬ ହଜାର କ୍ୟୁସେକ୍‌ ଓ ମୁଣ୍ଡଳିଠାରେ ୫ ଲକ୍ଷ ୮୮ ହଜାର କ୍ୟୁସେକ୍‌ ପାଣି ପ୍ରବାହିତ ହେଉଥିଲା। ଗତ ୨୪ ଘଣ୍ଟା ମଧ୍ୟରେ ହୀରାକୁଦ ଉପର ମୁଣ୍ଡରେ ୫.୪୭ ମିଲିମିଟର୍‌ ଓ ତଳ ମୁଣ୍ଡରେ ୩.୪୬ ମିଲିମିଟର୍‌ ବର୍ଷା ହୋଇଥିବା ହୀରାକୁଦ ବନ୍ଧ ନିୟନ୍ତ୍ରଣ କକ୍ଷ ସୂତ୍ରରୁ ପ୍ରକାଶ।

ସମ୍ବନ୍ଧିତ ଖବର