ହୋଲିରେ ଅଘଟଣ : ନଦୀରେ ବୁଡ଼ି ଓ ସଡ଼କ ଦୁର୍ଘଟଣାରେ ୧୪ ମୃତ

ଭୁବନେଶ୍ୱର: ରଙ୍ଗର ପର୍ବ ହୋଲିରେ ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ଦୁର୍ଘଟଣା ଘଟିଛି। ନଦୀରେ ବୁଡ଼ି ହେଉ ଅଥବା ସଡ଼କ ଦୁର୍ଘଟଣାରେ ହେଉ ରାଜ୍ୟରେ ମୋଟ ୧୪ ଜଣଙ୍କର ମୃତ୍ୟୁ ଘଟିଛି। କଟକ ଜିଲ୍ଲାରେ ୪ ଜଣ, ଢେଙ୍କାନାଳରେ ୩ ଜଣ, ରାୟଗଡ଼ାରେ ୩ ଜଣ, ଗଜପତି, ନବରଙ୍ଗପୁର, ସମ୍ବଲପୁର ଓ ବାଲେଶ୍ୱର ଜିଲ୍ଲାରେ ଜଣେ ଲେଖାଏଁ ଲୋକଙ୍କର ମୃତ୍ୟୁ ଘଟିଛି।

କଟକ ଜିଲ୍ଲାରେ ଆଜି ମୋଟ ୪ ଜଣ ଯୁବକଙ୍କ ନଦୀରେ ବୁଡ଼ି ମୃତ୍ୟୁ ହୋଇଛି। କାଠଯୋଡ଼ି ଓ ଚିତ୍ରୋତ୍ପଳା ନଦୀରେ ବୁଡି ଏହି ୪ ଜଣଙ୍କ ମୃତ୍ୟୁ ହୋଇଛି। ଚିତ୍ରୋତ୍ପଳାରେ ବୁଡ଼ିଥିବା ଜଣେ ନବମ ଶ୍ରେଣୀ ଛାତ୍ର ହୋଇଥିବା ବେଳେ ଅନ୍ୟ ଜଣଙ୍କ ପରିଚୟ ମିଳି ନଥିଲା। ଉଭୟଙ୍କୁ ଗୁରୁତର ଅବସ୍ଥାରେ ଏସ୍‌ସିବିରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ। ଚିତ୍ରୋତ୍ପଳା ନଦୀରେ ବୁଡ଼ି ଆଜି ଅପରାହ୍ନରେ ମୃତ୍ୟୁ ହୋଇଥିବାର ଛାତ୍ରର ନାମ ଶୁଭମ ପ୍ରତୀକ ଦାଶ। ସେ ସ୍ଥାନୀୟ ଅଞ୍ଚଳର ବହୁଗ୍ରାମ ଜୁନିଅର ମହାବିଦ୍ୟାଳୟର ଛାତ୍ର ଥିଲା ବୋଲି ଜଣାପଡ଼ିଛି।

ହୋଲି ଖେଳ ପରେ ଅନିୟନ୍ତ୍ରିତ ହୋଇ ମୋଟର ସାଇକେଲରେ ଘରକୁ ଫେରୁଥିବା ବେଳେ ତିନି ଜଣ ସାଙ୍ଗ ଗଛକୁ ଧକ୍କା ଦେଇ ଜୀବନ ହରାଇଛନ୍ତି। ଦୁର୍ଘଟଣାରେ ଢେଙ୍କାନାଳ ଜିଲ୍ଲାର କାଇମାଟି ଛକରେ ଆଜି ଅପରାହ୍ନରେ ଟାଉନଥାନା ଅନ୍ତର୍ଗତ ରାମେଶ୍ୱରପୁର ଅଞ୍ଚଳର ଶୁଭ୍ର ଶାଶ୍ୱତ ରାଉତରାୟ, ସଦର ଥାନା ଅନ୍ତର୍ଗତ କାଇମାଟିର ଧର୍ମାନନ୍ଦ ଦେହୁରୀ ଓ ଆଛନ୍ଦ ଗାଁର କୈଳାଶ ସାହୁଙ୍କର ମୃତ୍ୟୁ ହୋଇଛି।  ଦୁର୍ଘଟଣା ପରେ ଆହତମାନଙ୍କୁ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ତିନି ଜଣଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ।

ସେହିପରି ରଙ୍ଗଖେଳ ପରର ଗାଧୁଆ ୩ ଜଣଙ୍କ ଲାଗି କାଳ ସାଜିଛି। ମଙ୍ଗଳବାର ରାୟଗଡ଼ା ଜିଲ୍ଲାର ପଦ୍ମପୁର ବଡ଼ନାଳ ଡ୍ୟାମରେ ବୁଡି ୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଯୁବକ ଗୁରୁତର ହୋଇଥିଲା। ହୋଲି ଖେଳିବା ପରେ ସେମାନେ ଗାଧୋଇବା ପାଇଁ ବଡ଼ନାଳ ଡ୍ୟାମକୁ ଯାଇଥିବା ବେଳେ ପାଣିରେ ବୁଡ଼ିଯାଇଥିଲେ। ସମସ୍ତଙ୍କ ଘର ପଦ୍ମପୁର ବୋଲି ସୂଚନା ମିଳିଛି।

ନବରଙ୍ଗପୁର ସହରର ଇନ୍ଦ୍ରାବତୀ ନଦୀରେ ଗୁଡାର ୨୦ବର୍ଷିଅ ଆଦିତ୍ୟ ନାୟକ ନାମକ ଯୁବକ ପାଣିରେ ବୁଡି ମରିଥିବା ଅଭିଯୋଗ ହୋଇଛି। ହୋଲି ଖେଳ ସରିବା ପରେ ସେ ୪ଜଣ ସାଙ୍ଗ ସହିତ ଇନ୍ଦ୍ରାବତୀ ନଦୀରେ ଗାଧୋଇବାକୁ ଯାଇଥିଲେ। ଏହି ସମୟରେ ଆଦିତ୍ୟ ପାଣିରେ ବୁଡି ଯାଇଥିଲେ। ଅଗ୍ନିଶମ ବିଭାଗ ଓ ଓଡ୍ରାଫ ଟିମ ଦୁଇ ଘଣ୍ଟା ପରିଶ୍ରମ କରିବା ପରେ ମୃତଦେହ ଉଦ୍ଧାର ହୋଇଥିଲା।

ସମ୍ବଲପୁର ଜିଲ୍ଲାର ରେଢ଼ାଖୋଲ ରେଳବାଇ କଲୋନିରେ ରହୁଥିବା ରେଳବାଇ କର୍ମଚାରୀ ମହେଶ୍ୱର ସାମଲଙ୍କ ପୁଅ ଶୁଭମ ସାମଲ (୧୪)ଙ୍କର ନାଳରେ ବୁଡ଼ିଯାଇ ମୃତ୍ୟୁ ହୋଇଛି। ଶୁଭମ ହୋଲି ପାଇଁ ଘରକୁ ଆସିଥିଲା। ସେ ସମ୍ବଲପୁରସ୍ଥିତ ଏକ ଘରୋଇ ସ୍କୁଲରେ ୯ମ ଶ୍ରେଣୀର ଛାତ୍ର ଥିଲା। ସେହିପରି ଗଜପତି ଜିଲ୍ଲାର ପାରଳାଖେମୁଣ୍ଡିସ୍ଥିତ ମହେନ୍ଦ୍ରତନୟା ନଦୀରେ ହୋଲି ଖେଳ ପରେ ସାଙ୍ଗାମାନଙ୍କ ସହିତ ଗାଧୋଇବାକୁ ଯାଇଥିବା ରାମ ସ୍ୱାମୀ (୨୫) ନାମରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିଲା।

ବାଲେଶ୍ୱରରେ ରଂଗ କିଣିବାକୁ ଯାଇଥିବା ଯୁବକଙ୍କୁ ଷଣ୍ଢ କଚାଡି ଫିଙ୍ଗିବା ପରେ ଟ୍ରକ ଚାପିଦେବାରୁ ତାଙ୍କର ମୃତ୍ୟୁ ହୋଇଥିଲା। ମୃତକ ହେଲେ ସୋର ଥାନା ଅଂଚଳ ମହୁମୁହାଣ ଗାଁର ନରେନ୍ଦ୍ର ଜେନା। ନରେନ୍ଦ୍ର ଜେନା ନିଜ ବାଇକରେ ରଂଗ କିଣିବାକୁ ଯାଇଥିବା ବେଳେ ୩ଟି ଷଣ୍ଢ ଲଢେଇ କରୁଥିଲେ। ସେମାନଙ୍କ ହବୁଡ଼ରେ ପଡ଼ି ରାସ୍ତା ଉପରେ ବାଇକ୍ ସହ ପଡ଼ି ଯାଇଥିଲେ ନରେନ୍ଦ୍ର। ଏହି ସମୟରେ ଦ୍ରୁତ ଗତିରେ ଆସୁଥିବା ଟ୍ରକ ତାଙ୍କ ଉପରେ ଚଢ଼ି ଯାଇଥିଲା।

ସମ୍ବନ୍ଧିତ ଖବର