କଟକ: ହାତୀ କରିଡର ପ୍ରସଂଗରେ ୨୦୨୧, ଅଗଷ୍ଟ ୧୭ରେ ପ୍ରଦାନ କରାଯାଇଥିବା ନିର୍ଦ୍ଦେଶ ରାଜ୍ୟ ସରକାର କାର୍ଯ୍ୟକାରୀ କରି ନଥିବାରୁ ଜାତୀୟ ଗ୍ରିନ୍ ଟ୍ରିବୁନାଲ (ଏନ୍ଜିଟି) ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ୨୦୧୬ରେ ଏନ୍ଜିଟିରେ ଏ ସଂପର୍କିତ ମାମଲା ରୁଜୁ ହୋଇଥିବା ବେଳେ ୨୦୨୧, ଅଗଷ୍ଟ ୧୭ରେ ଚୂଡାନ୍ତ ନିର୍ଦ୍ଦେଶ ଜାରି କରାଯାଇଥିଲା। ଇତିମଧ୍ୟରେ ଅଢେଇ ବର୍ଷ ବିତି ଯାଇଥିଲେ ବି ରାଜ୍ୟ ସରକାର ପରିବେଶ ସୁରକ୍ଷା ଆଇନର ଧାରା ୩ ଅନୁସାରେ ହାତୀ କରିଡର ନେଇ ବିଜ୍ଞପ୍ତି ପ୍ରକାଶ କରି ନ ପାରିବା ଆଶ୍ଚର୍ଯ୍ୟର ବିଷୟ ବୋଲି ଏନ୍ଜିଟି କହିଛନ୍ତି। ଏଭଳି ସ୍ଥିତିରେ ହାତୀ କରିଡର ସଂପର୍କିତ ବିଜ୍ଞପ୍ତି ପ୍ରକାଶ ପାଇଁ ରାଜ୍ୟ ସରକାରଙ୍କୁ ଏନଜିଟି ଏକ ମାସ ସମୟ ଦେଇଛନ୍ତି। ଏହା ପରେ ଆଉ ସମୟ ଦିଆଯିବ ନାହିଁ ବୋଲି ଏନଜିଟି ସ୍ପଷ୍ଟ କରିଛନ୍ତି। ଯଦି ଏହି ସମୟ ଭିତରେ ପୂର୍ବ ନିର୍ଦ୍ଦେଶ ଅନୁସାରେ ହାତୀ କରିଡର ନେଇ ବିଜ୍ଞପ୍ତି ପ୍ରକାଶ କରା ନ ଯାଏ ତେବେ ସଂପୃକ୍ତ କର୍ତ୍ତୃପକ୍ଷ ଜାତୀୟ ଗ୍ରିନ ଟ୍ରିବୁନାଲ ଆଇନ, ୨୦୧୦ର ଧାରା ୨୬ ଅନୁସାରେ ଦାୟୀ ରହିବେ ବୋଲି ଏନଜିଟି କହିଛନ୍ତି। ୱାଇଲ୍ଡ ଲାଇଫ ସୋସାଇଟି ଅଫ୍ ଇଣ୍ଡିଆ ଆବେଦନର ଶୁଣାଣି କରି ଏନଜିଟି ଏପରି ନିର୍ଦ୍ଦେଶ ଦେଇଛନ୍ତି। ମେ ୯କୁ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଧାର୍ଯ୍ୟ କରାଯାଇଛି।
ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ୨୦୨୧ର ଚୂଡାନ୍ତ ନିର୍ଦ୍ଦେଶ କାର୍ଯ୍ୟକାରୀ ହୋଇ ନଥିବାରୁ ଏନଜିଟି କ୍ଷୋଭ ପ୍ରକାଶ କରିବା ସହିତ ପ୍ରମୁଖ ମୁଖ୍ୟ ବନ ସଂରକ୍ଷକ (ପିସିସିଏଫ) ଓ ମୁଖ୍ୟ ବନ୍ୟପ୍ରାଣୀ ୱାର୍ଡେନଙ୍କୁ ନୋଟିସ୍ ଜାରି କରି ବ୍ୟକ୍ତିଗତ ସତ୍ୟପାଠ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଥିଲେ। ଜାତୀୟ ଗ୍ରିନ ଟ୍ରିବୁନାଲ ଆଇନ, ୨୦୧୦ର ଧାରା ୨୬ ଅନୁସାରେ ଉଭୟଙ୍କ ବିରୋଧରେ କାହିଁକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଯିବ ସେ ନେଇ କାରଣ ଦର୍ଶାଇବାକୁ ଉଭୟଙ୍କୁ ଏନଜିଟି ନିର୍ଦ୍ଦେଶ ଦେଇଥିଲେ। ମାର୍ଚ୍ଚ ୧୪ର ଏହି ନିର୍ଦ୍ଦେଶ ପାଳନ କରି ଏପ୍ରିଲ ୫ରେ ପିସିସିଏଫ ଓ ମୁଖ୍ୟ ବନ୍ୟପ୍ରାଣୀ ୱାର୍ଡେନ ସତ୍ୟପାଠ ଦାଖଲ କରିଥିଲେ। ସତ୍ୟପାଠରେ ହାତୀ କରିଡର ପ୍ରସଂଗରେ ବିଭିନ୍ନ ସମସ୍ୟା ରହିଥିବା ଉଲ୍ଲେଖ କରାଯାଇଥିଲା। ହାତୀଙ୍କ ଚଳାଚଳ ଅଞ୍ଚଳର ସୀମା ନିର୍ଦ୍ଧାରଣ ପାଇଁ ଉପଯୁକ୍ତ ଭାବେ ଏହି ପ୍ରସଂଗରେ ଅନୁଧ୍ୟାନ ଆବଶ୍ୟକ ବୋଲି ସତ୍ୟପାଠରେ ଉଲ୍ଲେଖ କରାଯାଇଥିଲା। ଅନ୍ୟପକ୍ଷରେ ଅଢେଇ ବର୍ଷ ବିତି ଯାଇଥିଲେ ମଧ୍ୟ ହାତୀ କରିଡର ନେଇ ବିଜ୍ଞପ୍ତି ପ୍ରକାଶ ପାଇ ନଥିବାରୁ ଏନଜିଟି ଅସନ୍ତୋଷ ପ୍ରକାଶ କରିଛନ୍ତି। ଆବେଦନକାରୀଙ୍କ ତରଫରୁ ଆଇନଜୀବୀ ଶଙ୍କର ପ୍ରସାଦ ପାଣି ମାମଲା ପରିଚାଳନା କରୁଛନ୍ତି।