ମାଲକାନଗିରି: ନୂଆ ବର୍ଷ ଆରମ୍ଭରୁ ମାଓ ଦମନରେ ସୀମାନ୍ତ ଛତିଶଗଡ଼ର ସୁକମା ଓ ବିଜାପୁର ପୁଲିସକୁ ମିଳିଛି ବଡ଼ ସଫଳତା। ଦୁଇଟି ସ୍ଥାନରେ ହୋଇଥିବା ଏନ୍‌କାଉଣ୍ଟରରେ ୧୪ ନକ୍ସଲ ନିହତ ହୋଇଛନ୍ତି। ବିଜାପୁର ଜିଲ୍ଲାରେ ୨ ଏବଂ ସୁକମା ଜିଲ୍ଲାରେ ୧୨ ନକ୍ସଲଙ୍କ ମୃତ୍ୟୁ ହୋଇଥିବା ପୁଲିସ ସ୍ପଷ୍ଟ କରିଛି। ସୁକମାରେ ହୋଇଥିବା ଏନ୍‌କାଉଣ୍ଟରରେ କୋଣ୍ଟା ଏରିଆ କମିଟିର ସଚିବ ସଚିନ ମାଙ୍ଗଡୁ ନିହତ ହୋଇଛି। 

Advertisment

sfhhfshf

ବିଜାପୁର ଜିଲ୍ଲା ବାସାଗୁଡ଼ା ଥାନା ଗଗନପାଲି ଗାଁ ନିକଟ ଜଙ୍ଗଲ, ସୁକମା ଜିଲ୍ଲା କୋଣ୍ଟା ଓ କିଷ୍ଟରାମ ଜଙ୍ଗଲରେ ମାଓବାଦୀଙ୍କ ଗତିବିଧି ଥିବା ନେଇ ପୁଲିସକୁ ସୂଚନା ମିଳିଥିଲା। ଗୁଇନ୍ଦା ସୂଚନାକୁ ଭିତ୍ତି କରି ଉଭୟ ଜିଲ୍ଲାର ପୁଲିସ ଓ ଡିଆର୍‌ଜି ଯବାନ ଶୁକ୍ରବାର ରାତିରେ କମ୍ବିଂ ଅପରେସନ୍‌ ଆରମ୍ଭ କରିଥିଲେ। ଶନିବାର ଭୋର ୫ଟାରେ ବିଜାପୁର ଜିଲ୍ଲା ଗଗନପାଲି ଗ୍ରାମରେ ନକ୍ସଲ-ପୁଲିସ ମୁହାଁମୁହିଁ ହୋଇଥିଲେ। ଗୁଳି ବିନିମୟରେ ୨ ନକ୍ସଲ ନିହତ ହୋଇଥିଲେ। ସେହିପରି ସକାଳ ୮ଟାରେ ସୁକମା ଜିଲ୍ଲାର କୋଣ୍ଟା ଓ କିଷ୍ଟରାମ ଜଙ୍ଗଲରେ ନକ୍ସଲ-ପୁଲିସ ମୁହାଁମୁହିଁ ହୋଇଥିଲେ। ଗୁଳି ବିନିମୟରେ ୧୨ ନକ୍ସଲ ନିହତ ହୋଇଥିଲେ। ଅପରାହ୍ଣ ପର୍ଯ୍ୟନ୍ତ ପୁଲିସ-ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଜାରି ରହିଥିଲା। ପୁଲିସ ଗୁଳିକୁ ସାମନା କରିନପାରି ନକ୍ସଲ ଛତ୍ରଭଙ୍ଗ ଦେବା ପରେ ସର୍ଚ୍ଚ ଅପରେସନ୍‌ ଆରମ୍ଭ କରିଥିଲା ପୁଲିସ। ଜଙ୍ଗଲରୁ ୧୪ ନକ୍ସଲଙ୍କ ମୃତଦେହ ସହ ଏକେ-୪୭, ଏସ୍ଏ‌ଲ୍ଆ‌ର୍‌, ଇନ୍‌ସାସ୍‌ ବନ୍ଧୁକ, ବହୁ ପରିମାଣରେ ମାଓ ସାମଗ୍ରୀ ଓ ବିସ୍ଫୋରକ ଜବତ ହୋଇଛି।