ବଡ଼ ଖବର : ପୁଣି ଯାଜପୁରରେ ୧୪ ଜଣ ଆକ୍ରାନ୍ତ ଚିହ୍ନଟ, ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୪୨ ହେଲା

ଭୁବନେଶ୍ବର: ଆଜି ପୁଣି ଯାଜପୁର ଜିଲ୍ଲାରୁ ୧୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାଫଳରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୪୨ରେ ପହଞ୍ଚିଛି । ଏଥିସହିତ ଯାଜପୁର ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୬ରେ ପହଞ୍ଚିଛି। ଏହାକୁ ମିଶାଇ ରାଜ୍ୟରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୧୦୨ ହୋଇଛି। ତେଣେ ରାଜ୍ୟରେ ୩୯ ଜଣ ସୁସ୍ଥ ହୋଇଛନ୍ତି। ଆଜି ସକାଳେ ଯାଜପୁର ଜିଲ୍ଲାରୁ ୩ ଜଣ ଆକ୍ରାନ୍ତ ଚିହ୍ନଟ ହେବା ଖବର ଆସିଥିଲା। ଫଳରେ ଏଯାବତ୍ ଆଜି ଦିନରେ ସମୁଦାୟ ୧୭ ଜଣ କରୋନା ଆକ୍ରାନ୍ତ ଯାଜପୁର ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି।  ପୂର୍ବ ୩ ଜଣ ଜିଲ୍ଲାର ଦଶରଥପୁର ବ୍ଲକରୁ ଚିହ୍ନଟ ହୋଇଥିବା ବେଳେ ବର୍ତ୍ତମାନ ଯେଉଁ ୧୪ ଜଣ ଚିହ୍ନଟ ହୋଇଛନ୍ତି ସେମାନେ ମଧ୍ୟ ସେହି ଦଶରଥପୁର ବ୍ଲକର କଟିକଟା ପଞ୍ଚାୟତର ବାସିନ୍ଦା ବୋଲି ସୂଚନା ମିଳିଛି ।

ଆଜି ଅପରାହ୍ନରେ ଯାଜପୁର ଜିଲ୍ଲାର ଦଶରଥପୁର ବ୍ଲକ ଅଞ୍ଚଳରୁ ସମସ୍ତ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନେ ସମସ୍ତେ କଟିକଟା କଣ୍ଟେନମେଣ୍ଟ ଜୋନ ଅଞ୍ଚଳର । ଏଥିରେ ୮ ଜଣ ପୁରୁଷ ଥିବା ବେଳେ ୬ ଜଣ ମହିଳା ସାମିଲ ଅଛନ୍ତି । ପୁରୁଷମାନଙ୍କର ବୟସ ଯଥାକ୍ରମେ ୨୯ ବର୍ଷ, ୩୮ ବର୍ଷ, ୩୫ ବର୍ଷ, ୩୪ ବର୍ଷ,୨୯ ବର୍ଷ ଓ ୬୨ ବର୍ଷ । ଏହି ୧୪ ଜଣ ଆକ୍ରାନ୍ତଙ୍କ ମଧ୍ୟରେ ୨ ଜଣ ତିନି ବର୍ଷର ଶିଶୁ ମଧ୍ୟ ସାମିଲ ଅଛନ୍ତି । ଏଥିରୁ ଜଣେ ଶିଶୁ ପୁତ୍ର ଓ ଅନ୍ୟ ଜଣେ ଶିଶୁ କନ୍ୟା । ସେହିପରି ଜଣେ ୧୨ ବର୍ଷିଅ ନାବାଳକ ମଧ୍ୟ କରୋନା ଭାଇରସ ସଂକ୍ରମିତ ହୋଇଛନ୍ତି । ଏଥି ସହ ଏ ପର୍ଯ୍ୟନ୍ତ ସବୁଠାରୁ ବରିଷ୍ଠ ବ୍ୟକ୍ତି ଭାବେ ଜଣେ ୮୫ ବର୍ଷୀୟ ବୃଦ୍ଧା ମଧ୍ୟ କରୋନା ଚିହ୍ନଟ ହୋଇଛନ୍ତି । ଅନ୍ୟ ମହିଳାମାନଙ୍କର ବୟସ ଯଥାକ୍ରମେ ୪୦ ବର୍ଷ, ୨୦ ବର୍ଷ, ୩୬ ବର୍ଷ ଓ ୫୨ ବର୍ଷ ରହିଛି।

ବୁଧବାର ବିଳମ୍ବିତ ରାତିରେ ଯାଜପୁରରେ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ୨ ଜଣ ମହିଳା ଓ ଜଣେ ପୁରୁଷ ଥିଲେ । ପୁରୁଷ ଜଣକ ଦଶରଥପୁର ବ୍ଲକର ଡାହାଣହତା ପଞ୍ଚାୟତ ଦେଓପଦାର ୬୫ ବର୍ଷିୟ ବ୍ୟକ୍ତି ହୋଇଥିବା ବେଳେ ସେ ନିକଟରେ କୋଲକାତାରୁ ଫେରିଥିଲେ। ତାଙ୍କୁ କ୍ବାରେଣ୍ଟାଇନରେ ରଖା ଯାଇଥିଲା ଏବଂ ସଂକ୍ରମଣର କୌଣସି ଲକ୍ଷଣ ତାଙ୍କଠାରେ ପ୍ରକାଶ ପାଇ ନ ଥିଲା। ସେହିପରି ଉକ୍ତ ବ୍ଲକର କଟିକଟା ପଞ୍ଚାୟତରେ ଅନ୍ୟ ଦୁଇ ମହିଳା କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ, ଯେଉଁମାନେ କି ଏଠାରେ ଚିହ୍ନଟ ହୋଇଥିବା ୨ ଜଣ ପୂର୍ବ ଆକ୍ରାନ୍ତଙ୍କ ପରିବାରର ସଦସ୍ୟ। ଏହି ଦୁଇ ମହିଳାଙ୍କ ବୟସ ଯଥାକ୍ରମେ ୧୮ ଓ ୫୬ ବର୍ଷ। ଏମାନଙ୍କୁ ମିଶାଇ ଦଶରଥପୁର ବ୍ଲକରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨ରେ ପହଞ୍ଚିଥିଲା ଓ ବର୍ତ୍ତମାନ ଏହି ବ୍ଲକର ଆକ୍ରାନ୍ତ ସଂଖ୍ୟା ୨୬ରେ ପହଞ୍ଚିଛି।

ସମ୍ବନ୍ଧିତ ଖବର