ବାବୁଙ୍କୁ ଖୁସି କଲେ : ଆଉ ତିନିଟି ମୁଖ୍ୟସଚିବ ପାହ୍ୟା ପଦବି ସୃଷ୍ଟି, ମୁଖ୍ୟ ଶାସନ ସଚିବ ପାହ୍ୟାରେ ରହିବେ ୧୪ ଅଫିସର

ତୁହିନ୍‌କାନ୍ତ, ରାଜେଶ ଓ ରାଜଙ୍କୁ ମିଳିବ ପଦୋନ୍ନତି

ଭୁବନେଶ୍ୱର : ଓଡ଼ିଶାରେ ମୁଖ୍ୟ ଶାସନ ସଚିବ ପାହ୍ୟାରେ ଏବେ ୧୧ ଜଣ ଅଫିସର ଅଛନ୍ତି। ରାଜ୍ୟ ସରକାର ଆଜି ପୁଣି ନିଷ୍ପତ୍ତି ନେଇଛନ୍ତି ଯେ ଏହି ସଂଖ୍ୟା ୧୪କୁ ବୃଦ୍ଧି କରାଯିବ। ସାଧାରଣ ପ୍ରଶାସନ ବିଭାଗର ଏ ସଂକ୍ରାନ୍ତ ଫାଇଲ ଉପରେ ମୁଖ୍ୟମନ୍ତ୍ରୀ ମୋହର ଲଗାଇବା ପରେ ଆଜି ବିଧିବଦ୍ଧ ବିଜ୍ଞପ୍ତି ଜାରି ହୋଇଛି। ଅର୍ଥାତ୍‌ ଏକାଥରକେ ତିନି ଜଣ ବାବୁ ଏହି ପାହ୍ୟାକୁ ପଦୋନ୍ନତି ପାଇବେ।

ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ଆସନ୍ତା ସପ୍ତାହରେ ୧୯୮୭ ବ୍ୟାଚ୍‌ ଆଇଏଏସ୍‌ ଅଫିସରଙ୍କ ପଦୋନ୍ନତି କମିଟି ବୈଠକ ବସିପାରେ। ଏହି ବ୍ୟାଚ୍‌ରେ ୪ଜଣ ଅଫିସର ଅଛନ୍ତି। ଏମାନଙ୍କ ମଧ୍ୟରୁ ନିକୁଞ୍ଜ ସୁନ୍ଦରାୟ କେନ୍ଦ୍ରୀୟ ଡେପୁଟେସନରେ ଅଛନ୍ତି। ସ୍ୱାଭାବିକ ଭାବେ ଅନ୍ୟ ତିନି ଜଣ ଅଧିକାରୀ ଅର୍ଥାତ୍‌ ଅର୍ଥ ବିଭାଗ ପ୍ରମୁଖ ସଚିବ ତୁହିନକାନ୍ତ ପାଣ୍ଡେ, ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ସଚିବ ରାଜେଶ ବର୍ମା ଓ ଇସ୍ପାତ ଓ ଖଣି ବିଭାଗର ପ୍ରମୁଖ ସଚିବ ରାଜ କୁମାର ଶର୍ମା ମୁଖ୍ୟସଚିବ ପାହ୍ୟାକୁ ପଦୋନ୍ନତି ପାଇବେ। ଏମାନଙ୍କୁ ଲକ୍ଷ୍ୟ କରି ସରକାର ତିନିଟି ପଦବି ସୃଷ୍ଟି କରିଥିବା କୁହାଯାଉଛି। ରାଜ୍ୟ ସରକାର ତାଙ୍କ ସ୍ୱତନ୍ତ୍ର କ୍ଷମତା ବଳରେ ଦୁଇ ବର୍ଷ ପାଇଁ ଏହି ପଦବି ସୃଷ୍ଟି କରିଛନ୍ତି। ଗତ ବର୍ଷ ମେ’ ମାସରେ ସରକାର ୫ଜଣ ବରିଷ୍ଠ ଅଧିକାରୀଙ୍କୁ ମୁଖ୍ୟ ସଚିବ ପାହ୍ୟାକୁ ପଦୋନ୍ନତି ଦେଇଥିଲେ। ରାଜ୍ୟ ସରକାରଙ୍କ ଏଭଳି ନିଷ୍ପତ୍ତିକୁ ନେଇ ପ୍ରଶାସନିକ କରି଼ଡ଼ରରେ ଚର୍ଚ୍ଚା ଜୋର ଧରିଛି।

କେନ୍ଦ୍ର ସରକାରଙ୍କ ନିର୍ଦେଶ ରହିଛି, ଯେଉଁ ରାଜ୍ୟରେ ମୁଖ୍ୟ ସଚିବ ବା ଡିଜି ଆଦି ପାହ୍ୟାରେ ଯେତୋଟି କ୍ୟା଼ଡ଼ର ପଦବି ରହିଥିବ, ସେହି ରାଜ୍ୟ ସରକାର ସେତିକି ସଂଖ୍ୟାର ଅଫିସରଙ୍କୁ ଏକ୍ସ କ୍ୟା଼଼ଡ଼ରରେ ମୁଖ୍ୟ ସଚିବ ପାହ୍ୟାକୁ ନେଇପାରିବେ। ଆମ ରାଜ୍ୟରେ ମୁଖ୍ୟଶାସନ ସଚିବ ପାହ୍ୟାରେ ଏବେ ତିନିଟି କ୍ୟାଡ଼ର ପଦବି ରହିଛି। ଅର୍ଥାତ୍‌ ଏକ୍ସ କ୍ୟାଡ଼ରରେ ତିନିଟି ପଦବିକୁ ମିଶାଇଲେ ସର୍ବାଧିକ ୬ଜଣ ଏହି ପଦବିରେ ରହିପାରିବେ।

ଓଡ଼ିଶାରେ ଏବେ ମୁଖ୍ୟଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀଙ୍କୁ ବାଦ୍‌ ଦେଲେ ଉନ୍ନୟନ କମିସନର ଆର୍‌ ବାଲକ୍ରିଷ୍ଣନ୍‌, ଓଡ଼ିଶା ପଣ୍ୟାଗାର ନିଗମ ଅଧ୍ୟକ୍ଷ ସଂଗ୍ରାମ କେଶରୀ ମିଶ୍ର, ଦିଲ୍ଲୀରେ ଅବସ୍ଥାପିତ ମୁଖ୍ୟ ଆବାସିକ ଆୟୁକ୍ତ ସୁନୀଲ କୁମାର ଭାର୍ଗବ, ପ୍ରମୁଖ ଆବାସିକ ଆୟୁକ୍ତ ବିପିନ୍‌ ସାକ୍ସସେନା ଓ କୃଷି ଉତ୍ପାଦନ କମିସନର ଗଗନ କୁମାର ଧଳ ଅଛନ୍ତି।

ଗତବର୍ଷ ରାଜ୍ୟ ସରକାର ଏହା ସତ୍ତ୍ୱେ ୧୯୮୬ ବ୍ୟାଚ୍‌ ଅଫିସର ଅସିତ କୁମାର ତ୍ରିପାଠୀ, ଲକ୍ଷ୍ମୀ ନାରାୟଣ ଗୁପ୍ତା, ସୁରେଶ ଚନ୍ଦ୍ର ମହାପାତ୍ର, ସୁଦର୍ଶନ ପାଲ ଠାକୁର ଓ ଜି ଭି ଭି ଶର୍ମାଙ୍କୁ ମୁଖ୍ୟଶାସନ ସଚିବ ପାହ୍ୟାକୁ ପଦୋନ୍ନତି ଦେଇଥିଲେ। ସୁଦର୍ଶନ ପାଲ ଠାକୁର କେବିକେ ମୁଖ୍ୟ ପ୍ରଶାସକ ଦାୟିତ୍ୱରେ ଅଛନ୍ତି ଓ ଜିଭିିଭି ଶର୍ମାଙ୍କୁ ସରକାର ନିକଟରେ ରାଜସ୍ୱ ପର୍ଷଦ ସଭ୍ୟ ଭାବେ ନିଯୁକ୍ତି ଦେଇଛନ୍ତି। ଏବେ ଏହି ତାଲିକାରେ ଆଉ ତିନି ଅଫିସରଙ୍କୁ ସାମିଲ କରାଯିବ।

ରାଜ୍ୟ ସରକାରଙ୍କ ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ୪ଟି ରାଜ୍ୟକୁ ଛାଡିଦେଲେ ବିଭିନ୍ନ ରାଜ୍ୟରେ ୧୯୮୭ ବ୍ୟାଚ୍‌ ଅଫିସରଙ୍କୁ ଅନେକ ଆଗରୁ ମୁଖ୍ୟ ଶାସନ ସଚିବ ପାହ୍ୟାକୁ ପଦୋନ୍ନତି ଦିଆସରିଲାଣି। ଏପରିକି ୧୯୮୮ ବ୍ୟାଚ୍‌ ଅଫିସର ବି ଅନେକ ରାଜ୍ୟରେ ଏହି ପାହ୍ୟାକୁ ଆସିସାରିଲାଣି। ଏଣୁ ଓଡ଼ିଶା ସରକାର ଏଭଳି ପଦକ୍ଷେପ ନେଇଛନ୍ତି। ରାଜ୍ୟରେ ଅଫିସର ସଙ୍କଟ ଥିବାରୁ କେନ୍ଦ୍ରୀୟ ଡେପୁଟେସନରେ ଯିବାଲାଗି ବାରଣ କରାଯାଉଛି। ଏଣୁ ଯଦି ପଦୋନ୍ନତି ନ ଦିଆଯିବ, ତେବେ ସେମାନେ ଅସନ୍ତୋଷ ପ୍ରକାଶ କରିବେ।

ପ୍ରଶାସନିକ କରିଡରରେ ଚର୍ଚ୍ଚା ଚାଲିଛି ଯେ ଏସବୁ ଅଫିସର ଦକ୍ଷ । କିନ୍ତୁ ସରକାର ଏଭଳି ଢଙ୍ଗରେ ନିଯୁକ୍ତି ଦେଇ ମୁଖ୍ୟଶାସନ ସଚିବ ପାହ୍ୟାର ଗୁରୁତ୍ୱ କମାଇ ଦେଉଛନ୍ତି। କାରଣ ବିଭାଗ ଚଳାଇବା ପାଇଁ ମୁଖ୍ୟଶାସନ ସଚିବ ପାହ୍ୟା ସୃଷ୍ଟି କରାଯାଇନାହିଁ। ଏହାଦ୍ୱାରା ଏହି ପାହ୍ୟା ସୃଷ୍ଟି ପଛର ମୂଳ ଉଦ୍ଦେଶ୍ୟ ପରାହତ ହୋଇଛି।

ଏଠାରେ ସୂଚନା ଯୋଗ୍ୟ, ଚଳିତବର୍ଷ ନଭେମ୍ବରରେ ଉନ୍ନୟନ କମିସନର ଆର୍‌ ବାଲକ୍ରିଷ୍ଣନ୍‌, ପଣ୍ୟାଗାର ନିଗମ ଅଧ୍ୟକ୍ଷ ସଂଗ୍ରାମ କେଶରୀ ମିଶ୍ର ଓ ଡିସେମ୍ବରରେ ପ୍ରମୁଖ ଆବାସିକ ଆୟୁକ୍ତ ବିପିନ୍‌ କୁମାର ସାକ୍‌ସେନା ଅବସର ନେବେ।

ସମ୍ବନ୍ଧିତ ଖବର