ସୁବ୍ରତ ସାମଲ
କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲାର ଛାତି ଚିରି ପ୍ରବାହିତ ହେଉଛି ୧୪ରୁ ଅଧିକ ଛୋଟବଡ଼ ନଦୀ। ଅନେକ ନଦୀ ଜିଲ୍ଲା ଭିତରେ ପ୍ରବାହିତ ହୋଇ ସମୁଦ୍ରରେ ମିଶିଛି। ଜିଲ୍ଲାର ୯ଟି ବ୍ଲକ୍ରୁ ଏମିତି ଗୋଟିଏ ବି ବ୍ଲକ୍ ନାହିଁ, ଯେଉଁଠି ନଦୀ ନାହିଁ। କିନ୍ତୁ ନଦୀନାଳ ଘେରା ଜିଲ୍ଲାରେ ଜିଲ୍ଲାବାସୀଙ୍କ ଶୋଷ ମେଣ୍ଟାଇବାକୁ ପାଣିର ଅଭାବ ପଡୁଛି। କେଉଁଠି ବର୍ଷତମାମ୍ ଟ୍ୟାଙ୍କର୍ ଯୋଗେ ଜଳ ଯୋଗାଣ ହେଉଛି ତ’ ଆଉ କେଉଁଠି ଗୋଟିଏ ନଳକୂପ ଚାରିପାଖେ ଗରା-ବାଲ୍ଟିର ଭିଡ଼ ଦେଖିବାକୁ ମିଳୁଛି। ସବୁ ନଈର ପାଣି ସମୁଦ୍ର ଟାଣି ନେଉଥିବା ବେଳେ ମଣିଷ ବିଶୁଦ୍ଧ ପାଣି ଟୋପାଏ ପାଇଁ ଡହଳବିକଳ ହେଉଛି।
ଉଦ୍ବେଗର କାରଣ ହେଉଛି, ଜିଲ୍ଲାର ଚାରି ବ୍ଲକ୍ର ଭୂତଳ ଜଳ ଲବଣାକ୍ତ। କେନ୍ଦ୍ର ସରକାରଙ୍କ ରିପୋର୍ଟ ଅନୁଯାୟୀ ଜିଲ୍ଲାର ଭୂତଳ ଜଳସ୍ତର ସ˚କଟଜନକ ସ୍ଥିତିରେ ଥିବା ବେଳେ ରାଜ୍ୟ ସରକାରଙ୍କ ବୃହତ୍ ପାନୀୟ ଜଳ ପ୍ରକଳ୍ପ ଅତ୍ୟନ୍ତ ମନ୍ଥର ଗତିରେ ଚାଲିବା କାରଣରୁ ଜିଲ୍ଲାବାସୀଙ୍କ ସମସ୍ୟା ଦ୍ବିଗୁଣିତ ହୋଇଛି। ଚଳିତବର୍ଷ ଏ ସମସ୍ୟାରୁ ମୁକ୍ତି ମିଳିବା ଆଶା କମ୍। ଯଦିଓ ରାଜ୍ୟ ସରକାର ୨୦୨୫ ଶେଷ ସୁଦ୍ଧା ସାତଟି ବ୍ଳକ୍ରେ ୬ ବୃହତ୍ ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟକ୍ଷମ ହେଇଯିବ ବୋଲି ଆଶା ଦେଖାଇଛନ୍ତି, କିନ୍ତୁ ତାହାର ବାସ୍ତବତାକୁ ନେଇ ଆଶଙ୍କା ପ୍ରକାଶ ପାଇଛି।
ଏ ବର୍ଷ ବି ଜଳକଷ୍ଟରୁ ମିଳିବନି ମୁକ୍ତି
ସମୟ ଗଡ଼ୁଛି, ସରୁନି ୬ ବୃହତ୍ ପ୍ରକଳ୍ପ
କେନ୍ଦ୍ରାପଡ଼ା ଜିଲ୍ଲାରେ ମହାନଦୀ, ବ୍ରାହ୍ମଣୀ, ବୈତରଣୀ, ବିରୂପା, ଚିତ୍ରୋତ୍ପଳା, ଲୁଣା, କରାଣ୍ତିଆ, ଖରସ୍ରୋତା, ଗୋବରୀ, ପାଇକା, କାଣି, ପାଟଶାଳା, ହ˚ସୁଆ, ଖୋଳା ଆଦି ଛୋଟବଡ଼ ୧୪ଟି ନଦୀ ପ୍ରବାହିତ ହେଉଛି। କିନ୍ତୁ ଜିଲ୍ଲାରେ ଭୂତଳ ଜଳସ୍ତର ଏବେ ସ˚କଟଜନକ ସ୍ଥିତିରେ ରହିଛି। କେନ୍ଦ୍ର ସରକାରଙ୍କ ରିପୋର୍ଟ ପରେ ୨୦୧୯ରୁ ରାଜ୍ୟର ଏକମାତ୍ର ଜିଲ୍ଲା ଭାବେ କେନ୍ଦ୍ରାପଡ଼ାକୁ ଜଳଶକ୍ତି ଅଭିଯାନରେ ସାମିଲ୍ କରାଯାଇଛି। ଆହୁରି ସା˚ଘାତିକ କଥା ହେଉଛି ମହାକାଳପଡ଼ା, ମାର୍ଶାଘାଇ, ରାଜନଗର ଓ ରାଜକନିକା ବ୍ଲକ୍ର ଭୂତଳ ଜଳସ୍ତର ଲବଣାକ୍ତ ବୋଲି ମୂଲ୍ୟାୟନ କରାଯାଇଥିବା ବେଳେ ଗରଦପୁର ବ୍ଲକ୍ ନିରାପଦ ଜୋନ୍ରୁ ବାହାରି ସ˚ଗିନ୍ ପର୍ଯ୍ୟାୟକୁ ଯାଇଥିବା ଦର୍ଶାଯାଇଛି। ସମୁଦ୍ର ପାର୍ଶ୍ବବର୍ତ୍ତୀ ଅଞ୍ଚଳ ହୋଇଥିବା କାରଣରୁ ଉପରୋକ୍ତ ଚାରି ବ୍ଲକ୍ରେ ମାଟି ତଳେ ଲୁଣି ପାଣି ମାଡ଼ୁଛି। ନଳକୂପ ଖନନ ଅଧିକା˚ଶ କ୍ଷେତ୍ରରେ ବିଫଳ ହେଉଥିବାରୁ ଲୋକମାନେ ସରକାରୀ ଜଳ ଯୋଗାଣ ଉପରେ ନିର୍ଭର କରୁଛନ୍ତି।
ସମସ୍ୟାରୁ ମୁକ୍ତି ପାଇଁ ଲବଣାକ୍ତ ବ୍ଲକ୍ ରୂପେ ପରିଚିତ ମହାକାଳପଡ଼ା, ମାର୍ଶାଘାଇ, ରାଜକନିକା, ରାଜନଗର ସମେତ ପଟ୍ଟାମୁଣ୍ତାଇ, ଆଳି ଓ ଗରଦପୁର ବ୍ଲକ୍ରେ ସ˚ପ୍ରତି ବୃହତ୍ ପାନୀୟ ଜଳ ପ୍ରକଳ୍ପ କାମ ଚାଲୁ ରହିଛି। କିନ୍ତୁ ପ୍ରକଳ୍ପ ଶେଷ ହେବାକୁ ନେଇ ଅନିଶ୍ଚିତତା ଲାଗି ରହିଛି। ସମୟ ଗଡ଼ି ଚାଲିବା ସହିତ ଜିଲ୍ଲାବାସୀଙ୍କ ବିଶୁଦ୍ଧ ପିଇବା ପାଣି ସ୍ବପ୍ନ ଘୁଞ୍ଚି ଚାଲିଛି। ନିକଟରେ ବିଧାନସଭାରେ ମନ୍ତ୍ରୀ ଦେଇଥିବା ଉତ୍ତର ମୁତାବକ ଛଅଟି ବୃହତ୍ ପ୍ରକଳ୍ପ ମଧୢରୁ ପାଞ୍ଚଟି ପ୍ରକଳ୍ପ କାମ ଚଳିତବର୍ଷ ଡିସେମ୍ବର ୩୧ରେ ଶେଷ ହେବ ବୋଲି ଦର୍ଶାଯାଇଥିବା ବେଳେ କେବଳ ମହାକାଳପଡ଼ା-ମାର୍ଶାଘାଇ ପ୍ରକଳ୍ପ ମାର୍ଚ୍ଚ ଶେଷ ସୁଦ୍ଧା କାର୍ଯ୍ୟକ୍ଷମ ହେବ। ଆଳି ପ୍ରକଳ୍ପ କାମ ୭୧ପ୍ରତିଶତ ସରିଥିବା ବେଳେ ଗରଦପୁରରେ ୫୧ ପ୍ରତିଶତ, ମହାକାଳପଡ଼ା-ମାର୍ଶାଘାଇରେ ୮୫ ପ୍ରତିଶତ, ପଟ୍ଟାମୁଣ୍ତାଇରେ ୪୯ ପ୍ରତିଶତ, ରାଜକନିକାରେ ୭୦ ପ୍ରତିଶତ ଏବ˚ ରାଜନଗରରେ ୫୧ ପ୍ରତିଶତ କାମ ଶେଷ ହୋଇଛି। ସା˚ଘାତିକ କଥାଟି ହେଉଛି ଗତବର୍ଷ ବିଧାନସଭାରେ ମହାକାଳପଡ଼ା-ମାର୍ଶାଘାଇ ପ୍ରକଳ୍ପ ସ˚ପର୍କରେ ସୂଚନା ଦେବାକୁ ଯାଇ ବିଭାଗୀୟ ମନ୍ତ୍ରୀ ୨୦୨୪ ଡିସେମ୍ବରରେ ଏହା ସରିବ ବୋଲି କହିଥିଲେ। ଏବେ କିନ୍ତୁ ତାହା ମାର୍ଚ୍ଚରେ ସରିବ ବୋଲି ଦର୍ଶାଇଛନ୍ତି। ତେଣୁ ୨୦୨୫ରେ ବୃହତ୍ ପାନୀୟ ଜଳ ପ୍ରକଳ୍ପ ଶେଷ ହେବା ନେଇ ଆଶଙ୍କା ପ୍ରକାଶ ପାଉଛି।