ପୌରାଞ୍ଚଳରେ ନିର୍ମାଣଧୀନ ୧୪ ରାସ୍ତା: ବିକାଶ ନାମରେ କୋଟି କୋଟି ଟଙ୍କା ଆତ୍ମସାତ୍‌

ଦୁର୍ନୀତି ବିରୋଧରେ ରାଜରାସ୍ତାକୁ ଓହ୍ଲାଇବ ବିଜେପି

ବାଲେଶ୍ବର: ବାଲେଶ୍ବର ପୌରାଞ୍ଚଳରେ ପୂର୍ତ୍ତ ବିଭାଗ ଦ୍ବାରା ନିର୍ମାଣଧୀନ ୧୪ଟି ରାସ୍ତାର କାର୍ଯ୍ୟ ଅତ୍ୟନ୍ତ ନିମ୍ନମାନର ହୋଇଛି। ରାସ୍ତା ପାଇଁ କୋଟି କୋଟି ଟଙ୍କାର ଯେଉଁ ଅଟକଳ ହୋଇଛି, ଏଥିରୁ ଗୋଟିଏ ସିଂହଭାଗ କିଭଳି ଆତ୍ମସାତ ହେବ ଏବଂ ପ୍ରଶାସନର ପିସି ପାଇଁ ରହିବ ଏନେଇ ସୁପରିକଳ୍ପିତ ବ୍ୟବସ୍ଥା କରାଯାଇଛି। ଉଦାହରଣ, ବ୍ୟୟଅଟକଳରେ ସୁବର୍ଣ୍ଣରେଖା, ରାଜଘାଟ ୪୮ କିମି ଦୂରରୁ ବାଲି ଆସି ବ୍ୟବହାର ହେବା ଦର୍ଶାଯାଇଥିବା ବେଳେ କିନ୍ତୁ ମାତ୍ର ୭/୮ କିମି ଦୂର ବୁଢ଼ାବଳଙ୍ଗ ଲୁଣା ବାଲି ଆସୁଛି। ସେହିପରି ଖଇରା, ବାଗୁଡ଼ିରୁ ୪୫ କିମି ଦୂରରୁ ମେଟାଲ ଆସି ବ୍ୟବହୃତ ହେଉଥିବା ଦର୍ଶାଯାଇଥିବା ବେ‌ଳେ କିନ୍ତୁ ମେଟାଲ ଆସୁଛି ୧୭ କିମି ଦୂର ମିତ୍ରପୁରରୁ। ସେମିତି ୧୭୦ କିମି ଦୂର କଟକରୁ ଅଲଟ୍ରାଟ୍ରାକ୍‌ ସିମେଣ୍ଟ ବ୍ୟବହାର କରିବା ବଦଳରେ ନିମ୍ନମାନର ସିମେଣ୍ଟକୁ ବ୍ୟବହାର ହେଉଛି। ରାସ୍ତା ଗୁଡ଼ିକ ନବୀକରଣ କରିବା ବେଳେ ପୂର୍ବରୁ ଥିବା ପିଚୁ ଗୁଡ଼ିକ ଆଞ୍ଚୁଡ଼ି ବାହାର କରିନେବା ପରେ ପୁଣି ନୂତନ ଭାବେ ମେଟାଲରେ ରାସ୍ତା ହେବ, କିନ୍ତୁ ସେଠାରେ ପୂର୍ବରୁ ଥିବା ପିଚୁ ଗୁଡ଼ିକ କେବଳ ଆଞ୍ଚୁଡ଼ି ଦେଇ ତାକୁ ପୁଣି ରୋଲିଂ କରି ତା’ ଉପରେ ମେଟାଲିଂ କରାଯାଉଛି। ମିର୍ଜାପୋଖରୀ ଟାଉନ୍‌ ହାଇସ୍କୁଲ ଠାରୁ ଅପର୍ଣ୍ଣା କର ଘର ଭାୟା ମାଣିଖମ୍ବ ହରିସଭା ପର୍ଯ୍ୟନ୍ତ ନିର୍ମାଣଧୀନ ରାସ୍ତାରେ ପିଚୁକୁ ରୋଲିଂ କରି ତା’ ଉପରେ ମେଟାଲ ପକାଯିବା ଜ୍ବଳନ୍ତ ଉଦାହରଣ।

ଏ ବିଷୟରେ ବିଭାଗୀୟ ଯନ୍ତ୍ରୀଙ୍କୁ ଅଭିଯୋଗ କରିବା ପରେ ମଧ୍ୟ କୌଣସି ପଦକ୍ଷେପ ନିଆଯାଇନାହିଁ। ପ୍ରତି ରାସ୍ତାରେ ୩୫ରୁ ୫୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଇଲେକ୍ଟ୍ରିପୋଲ, ଟେଲିଫୋନ୍‌ ପୋଲ, ପାଣି ପାଇପ୍‌ ସ୍ଥାନାନ୍ତର କରିବା ସହ ଗଛ କାଟିବା ଓ ଗଛ ଲଗାଇବାର ଅଟକଳ ବ୍ୟବସ୍ଥା ଥିଲେ ମଧ୍ୟ ଏଥିରେ ବହୁ ଅନିୟମିତତା ହୋଇଛି। ଇଲେକ୍ଟ୍ରିପୋଲ ଅନେକ ସ୍ଥାନରେ ଉଠାଯାଇନାହିଁ। ସଂପୃକ୍ତ ବିଭାଗରେ ଅର୍ଥ ଦାଖଲ ହୋଇନାହିଁ। ବାରବାଟୀ, ମାଣିଖମ୍ବ ଏବଂ ଅନ୍ୟାନ୍ୟ ଅଞ୍ଚଳରେ ବହୁ ପୁରାତନ ଘର ଗୁଡ଼ିକ ରାସ୍ତାଠାରୁ ଉଚ୍ଚରେ ଥିବାବେଳେ ଏବେ ନୂତନ ଅଟକଳରେ ରାସ୍ତା ଗୁଡ଼ିକ ଘରଠାରୁ ଉଚ୍ଚ ହୋଇଯିବା ଫଳରେ ଡ୍ରେନ୍‌ ଓ ରାସ୍ତା ପାଣି ଘରେ ପଶୁଛି। ରାସ୍ତା ନିର୍ମାଣ ପାଇଁ ଜବରଦଖଲ ହଟାଇବାରେ ମଧ୍ୟ ପାତରଅନ୍ତର ତଥା ଦଳୀୟ ଭାବନାରେ ପ୍ରଶାସନ କାର୍ଯ୍ୟ କରିଛି।

ଜବରଦଖଲରେ ଥିବା ବସ୍ତିଗୁଡ଼ିକୁ ନ ଉଠାଇ ଟେକ୍ସ ଦେଉଥିବା ଘର ଗୁଡ଼ିକ ଭଙ୍ଗାଯାଇଛି। ବାରମ୍ବାର ଅଭିଯୋଗ ପରେ ଯଦି ପ୍ରଶାସନ ରାସ୍ତା ଗୁଡ଼ିକର ନିର୍ମାଣ କାର୍ଯ୍ୟରେ ଗୁଣବତ୍ତା ବଜାୟ ନ ରଖିବ, ତାହେଲେ ଆଗାମୀ ଦିନରେ ବିଜେପି ରାଜରାସ୍ତାକୁ ଓହ୍ଲାଇବ ଏବଂ ଏଥିରେ ହେଉଥିବା କୋଟି କୋଟି ଟଙ୍କାର ଦୁର୍ନୀତି ବିରୋଧରେ ଭିଜିଲାନ୍ସକୁ ତଥ୍ୟ ପ୍ରମାଣ ସହ ଜଣାଇବ ବୋଲି ବାରବାଟୀଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ମତପ୍ରକାଶ ପାଇଥିଲା। ଯୁବମୋର୍ଚ୍ଚା ରାଜ୍ୟ ଉପସଭାପତି ମାନସ ଦତ୍ତ, କାର୍ଯ୍ୟକାରିଣୀ ସଦସ୍ୟ ପର୍ଶୁରାମ ବେହେରା, ବରିଷ୍ଠ ନେତା ରବିନାରାୟଣ ମହାପାତ୍ର, ସୁଜିତ ଦେବ, ଗୌରାଙ୍ଗ ଦାସ, ନିତ୍ୟଗୋପାଳ ସିଂ, ବିଜୟ ମହାରଣା, ଅଶୋକ ଦାସ, ବିରଞ୍ଜନ ମହାରଣା, ଧିରଜ ମହାନ୍ତି ପ୍ରମୁଖ ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର