୧୪ ହଜାର ସ୍କୁଲ ବନ୍ଦ ନିଷ୍ପତ୍ତିକୁ ପ୍ରବଳ ବିରୋଧ, ଆନ୍ଦୋଳନ ପାଇଁ ସଜବାଜ

ଭୁବନେଶ୍ୱର : ୨୦ ଓ ୪୦ରୁ କମ୍‌ ଛାତ୍ରଛାତ୍ରୀ ଥିବା ପାଖାପାଖି ୧୪ ହଜାର ପ୍ରାଥମିକ, ଉଚ୍ଚ ପ୍ରାଥମିକ ଓ ମାଧ୍ୟମିକ ବିଦ୍ୟାଳୟ ବନ୍ଦ କରିବାକୁ ରାଜ୍ୟ ସରକାର ଯୋଜନା ପ୍ରସ୍ତୁତ କରିଛନ୍ତି। ଜିଲ୍ଲାସ୍ତରରେ କମିଟି ଗଠନ କରାଯିବା ସହ ସ୍କୁଲଗୁଡ଼ିକ ବନ୍ଦ କରିବାକୁ ପ୍ରକ୍ରିୟା ଆରମ୍ଭ ହୋଇଛି। ଏନେଇ ‘ସମ୍ବାଦ’ରେ ଖବର ପ୍ରକାଶ ପାଇବା ପରେ ବିଭିନ୍ନ ଆଡ଼ୁ ପ୍ରତିବାଦର ସ୍ବର ଜାରି ରହିଛି। ବିଧାନସଭାରେ ବିଧାୟକମାନେ ସ୍ବର ଉଠାଇଥିବା ବେଳେ ବିଭିନ୍ନ ସଙ୍ଗଠନଗୁଡ଼ିକ ମଧ୍ୟ ଆନ୍ଦୋଳନ ଚେତାବନୀ ଦେଇଛନ୍ତି। ରାଜ୍ୟ ସରକାରଙ୍କ ଏଭଳି ନିଷ୍ପତ୍ତିକୁ ପ୍ରଥମିକ ଶିକ୍ଷକ ସଂଘ ପ୍ରବଳ ବିରୋଧ କରିଥିବା ବେଳେ ସିପିଆଇ ଓଡ଼ିଶା ଶାଖା ପକ୍ଷରୁ ବି ‌ନିଷ୍ପତ୍ତିର ପ୍ରତିବାଦ କରାଯାଇଛି। ସରକାର ତୁରନ୍ତ ଏଭଳି ଯୋଜନାରୁ ଦୂରେଇ ରୁହନ୍ତୁ। ନ ହେଲେ ଆଗାମୀ ଦିନରେ ବ୍ୟାପକ ଆନ୍ଦୋଳନ କରାଯିବ ବୋଲି ସିବିଆଇ ପକ୍ଷରୁ ଏକ ପ୍ରେସ୍‌ ବିଜ୍ଞପ୍ତିରେ କୁହାଯାଇଛି।

ଏନେଇ ଆଜି ସିପିଆଇ ରାଜ୍ୟ ସମ୍ପାଦକମଣ୍ଡଳୀ ବୈଠକ ବସିଥିଲା। ଏହାପରେ ଦଳ ପକ୍ଷରୁ ଏକ ପ୍ରେସ୍‌ ବିବୃତିରେ କୁହାଯାଇଛି ଯେ ସ୍ୱାଧୀନ ଭାରତର ସମ୍ବିଧାନର ଡିରେକ୍ଟିଭ୍‌ ପ୍ରିନ୍ସପୁଲ୍‌ସ ଅଫ୍ ଷ୍ଟେଟ ପଲିସିରେ କୁହାଯାଇଛି ଯେ ୧୪ ବର୍ଷ ପର୍ଯ୍ୟନ୍ତ ସମସ୍ତ ଶିଶୁଙ୍କୁ ମାଗଣା ଓ ବାଧ୍ୟତାମୂଳକ ଶିକ୍ଷା ଯୋଗାଇବା ରାଷ୍ଟ୍ରର କର୍ତ୍ତବ୍ୟ। ତେଣୁ ଯେଉଁ ସ୍କୁଲଗୁଡ଼ିକରେ ୨୦ ଓ ୪୦ରୁ କମ୍ ପିଲା ହେଉଛନ୍ତି ତା’ର କାରଣ ଖୋଜିବା ସହ ଅଧିକ ପିଲା କିଭଳି ନାମ ଲେଖାଇବେ ସେ ଦିଗରେ ପଦକ୍ଷେପ ନେବା ଉଚିତ। ୧୪ ହଜାର ସ୍କୁଲ ବନ୍ଦ କରି ଦୂର ସ୍କୁଲକୁ ଯିବା ପାଇଁ ଯାତାୟାତ ଖର୍ଚ୍ଚ, ନାମ ଲେଖାଇଲେ ୩ହଜାର ଟଙ୍କା ପ୍ରୋତ୍ସାହନ ରାଶି ପରି ଅଦ୍‌ଭୁତ ଓ ଉଦ୍ଭଟ ଚିନ୍ତାଧାରାରୁ ସରକାର ଦୂରେଇ ରୁହନ୍ତୁ। ସେଇ ପ୍ରୋତ୍ସାହନ ରାଶିକୁ କମ୍ ପିଲା ଥିବା ସ୍କୁଲରେ ନାମଲେଖା ଲାଗି ଦେଲେ ସୁଫଳ ମିଳିବ କି ନାହିଁ ସେନେଇ ଚିନ୍ତା କରିବା ଆବଶ୍ୟକ।ଏହି ବୈଠକରେ ରାଜ୍ୟ ସମ୍ପାଦକ ଆଶିଷ କାନୁନ୍‌ଗୋ, ଜାତୀୟ କାର୍ଯ୍ୟକାରିଣୀ ସଭ୍ୟ ଦିବାକର ନାୟକ ଓ ରାମକୃଷ୍ଣ ପଣ୍ଡା, ସହ ସମ୍ପାଦକ କ୍ଷୀରୋଦ ସିଂହଦେଓ, ପ୍ରଶାନ୍ତ ମିଶ୍ର, ଜାତୀୟ ପରିଷଦ ସଭ୍ୟ ଅଭୟ ସାହୁ ଓ ସୌରୀବନ୍ଧୁ କର ପ୍ରମୁଖ ଉପସ୍ଥିତ ଥିଲେ।

ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ କୁହାଯାଇଛି ଯେ ଛାତ୍ରଛାତ୍ରୀ କମ୍‌ ଆଳ ଦେଖାଇ ୧୪ ହଜାର ୩୭୯ ପ୍ରାଥମିକ ବିଦ୍ୟାଳୟକୁ ବନ୍ଦ କରିବା ନିଷ୍ପତ୍ତିକୁ ତୁରନ୍ତ ପ୍ରତ୍ୟାହାର କରାଯାଉ। ବିଦ୍ୟାଳୟ ବନ୍ଦ ପାଇଁ ସରକାର ଯେଉଁ ଯୁକ୍ତି ବାଢ଼ିଛନ୍ତି ତାହା ସମ୍ପୂର୍ଣ୍ଣ ଭିତ୍ତିହୀନ ଓ ଅମୂଳକ ଅଟେ। ଓଡ଼ିଶାର ଭୌଗୋଳିକ ପରିସ୍ଥିତି ସବୁ ଜିଲ୍ଲା ଓ ବ୍ଲକ ପାଇଁ ସମାନ ନୁହେଁ। ପିଲା ସଂଖ୍ୟା ଦୃଷ୍ଟିରୁ ଦେଖିଲେ ଆଜି ବି ଓଡ଼ିଶାରେ ନୂଆ ବିଦ୍ୟାଳୟ ଖୋଲିବାର ଆବଶ୍ୟକତା ରହିଛି। ସ୍କୁଲ ବନ୍ଦ କରି ଶିକ୍ଷା ଅଧିକାର ଆଇନକୁ ସରକାର ଖୋଲାଖୋଲି ଉଲଙ୍ଘନ କରୁଛନ୍ତି। ଶିକ୍ଷା ବଜେଟ୍‌ ହ୍ରାସ କରି ନିଜ ଦାୟିତ୍ବରୁ ଓହରିଯିବାକୁ ସରକାର ଚେଷ୍ଟା କରୁଛନ୍ତି। ଶିକ୍ଷା ପାଇଁ ଟଙ୍କା ଖର୍ଚ୍ଚ ନ କରି ଶିକ୍ଷାକୁ ପୁଞ୍ଜିପତିମାନଙ୍କ ହାତକୁ ଟେକି ଘରୋଇକରଣ କରାଯାଉଛି। ଶିକ୍ଷା ପିଲାମାନଙ୍କର ମୌଳିକ ଅଧିକାର ହୋଇଥିବା ବେଳେ କାହା ସ୍ବାର୍ଥରେ ବିଦ୍ୟାଳୟଗୁଡ଼ିକ ବନ୍ଦ ହେଉଛି ବୋଲି ସଂଘ ପ୍ରଶ୍ନ କରିଛି। ଯଦି ସରକାର ବିଦ୍ୟାଳୟ ବନ୍ଦ କରିବା ନିଷ୍ପତ୍ତିରୁ ତୁରନ୍ତ ପ୍ରତ୍ୟାହାର ନ କରନ୍ତି ତେବେ ସଂଘ ବାଧ୍ୟ ହୋଇ ଆନ୍ଦୋଳନାତ୍ମକ ପନ୍ଥା ଆପଣାଇବ ବୋଲି ଏହାର ସଭାପତି ବ୍ରହ୍ମାନନ୍ଦ ମହାରଣା, ସାଧାରଣ ସମ୍ପାଦକ ବିଭୂପ୍ରସାଦ ସାହୁ, କୋଷାଧ୍ୟକ୍ଷ ଗୋପାଳ କିଶୋର ସେନ୍‌, କାର୍ଯ୍ୟକାରୀ ସଭାପତି କୃଷ୍ଣଚନ୍ଦ୍ର ବେହେରା ପ୍ରମୁଖ ଚେତାବନୀ ଦେଇଛନ୍ତି।

ସମ୍ବନ୍ଧିତ ଖବର