୧୪ ହଜାର ଶିକ୍ଷକ, ୪ ହଜାର ଅଧ୍ୟାପକ ପଦବି ଖାଲି

ଭୁବନେଶ୍ବର : ସରକାରୀ ଶିକ୍ଷା ବ୍ୟବସ୍ଥାରେ ଏକ ବ୍ୟତିକ୍ରମ ନଜରକୁ ଆସିଛି। ହାଇସ୍କୁଲ୍‌, କଲେଜ, ବିଶ୍ବବିଦ୍ୟାଳୟରେ ହଜାର ହଜାର ଶିକ୍ଷକ/ଅଧ୍ୟାପକ ପଦବି ଖାଲି ପଡ଼ିଛି। ଉଭୟ ବିଭାଗର ମନ୍ତ୍ରୀ ବିଧାନସଭାରେ ଏହା ସ୍ବୀକାର କରିଛନ୍ତି। ପଦବି କେବେ ପୂରଣ ହେବ, ତାହାର ନିର୍ଦ୍ଦିଷ୍ଟ ଉତ୍ତର ବି ସରକାରଙ୍କ ପାଖରେ ନାହିଁ। ଏତେ ସଂଖ୍ୟାରେ ଶିକ୍ଷକ ଓ ଅଧ୍ୟାପକ ପଦବି ଖାଲି ପଡ଼ିଥିବା ବେଳେ ଶିକ୍ଷାଦାନ କିପରି ସ୍ବାଭାବିକ ହେବ ବୋଲି ପ୍ରଶ୍ନ ଉଠିଲାଣି।

ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ଓ ପ୍ରଶାନ୍ତ ଜଗଦ୍ଦେବଙ୍କ ପୃଥକ ପୃଥକ ଲିଖିତ ପ୍ରଶ୍ନର ଉତ୍ତରରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଜଣାଇଛନ୍ତି, ସରକାରୀ ହାଇସ୍କୁଲ୍‌ଗୁଡ଼ିକରେ ୨୪୧୭ ପ୍ରଧାନ ଶିକ୍ଷକ ଓ ୮୪୯୮ ଶିକ୍ଷକ ପଦବି ଖାଲି ଅଛି। ସେହିପରି ଅନୁଦାନପ୍ରାପ୍ତ ହାଇସ୍କୁଲ୍‌ଗୁଡ଼ିକରେ ୪୩୦ ପ୍ରଧାନ ଶିକ୍ଷକ ଓ ୨୫୪୩ ଶିକ୍ଷକ ପଦବି ଖାଲି ପଡ଼ିଛି। ଉଭୟ ବର୍ଗର ହାଇସ୍କୁଲ୍‌ରେ ପାଖାପାଖି ୨ ହଜାର କିରାଣୀ ପଦ ମଧ୍ୟ ଖାଲି ଅଛି।

ଯୁକ୍ତ ଦୁଇ କଲେଜରେ ଖାଲି ଥିବା ପଦବି ସମ୍ପର୍କରେ ମନ୍ତ୍ରୀ ତାଙ୍କ ଉତ୍ତରରେ ଦର୍ଶାଇଛନ୍ତି, ୧୭ଟି ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ମଞ୍ଜୁରୀପ୍ରାପ୍ତ ୪୩୦ଟି ଅଧ୍ୟାପକ ପଦବି ମଧ୍ୟରୁ ୧୧୭ଟି ଖାଲି ରହିଛି। ୪୮୮ ବର୍ଗ ଅନ୍ତର୍ଭୁକ୍ତ ପୂର୍ଣ୍ଣ ଅନୁଦାନପ୍ରାପ୍ତ ଯୁକ୍ତ ଦୁଇ କଲେଜ/ଉଚ୍ଚ ମାଧ୍ୟମିକ ସ୍କୁଲ୍‌ଗୁଡ଼ିକରେ ମଞ୍ଜୁରୀପ୍ରାପ୍ତ ୧୫୪୦ଟି ଅଧ୍ୟାପକ ପଦବି ମଧ୍ୟରୁ ୩୮୨ଟି ପଦବି ଖାଲି ରହିଛି। ଏହା ବାଦ୍ ରାଜ୍ୟରେ ୬୬୨ ବର୍ଗ ଅନ୍ତର୍ଭୁକ୍ତ ୪୬୫ଟି ଉଚ୍ଚ ମାଧ୍ୟମିକ ସ୍କୁଲ୍‌ରେ ଅନୁଦାନ ନୀତି ୨୦୦୮ ଓ ୨୦୧୫ରେ ଅନୁଦାନଭୁକ୍ତ ହୋଇଥିବା ୨୯୭୪ ମଞ୍ଜୁରୀପ୍ରାପ୍ତ ଅଧ୍ୟାପକ ପଦବି ମଧ୍ୟରୁ ୯ଟି ଖାଲି ରହିଛି।

ଦାବି ପୂରଣ ସମ୍ପର୍କରେ ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି, ପ୍ରଧାନ ଶିକ୍ଷକ ପଦବିଗୁଡ଼ିକ ପଦୋନ୍ନତି ମାଧ୍ୟମରେ ପୂରଣ ପାଇଁ ସମସ୍ତ ପଦକ୍ଷେପ ନିଆଯାଇଥିଲେ ମଧ୍ୟ ତତ୍ ସମ୍ବନ୍ଧୀୟ ମାମଲାରେ ଅଦାଲତଙ୍କ ଦ୍ବାରା ଜାରି ରହିତାଦେଶ ଯୋଗୁ ପୂରଣ କରାଯାଇ ପାରୁ ନାହିଁ। ସରକାରୀ ହାଇସ୍କୁଲ୍‌ରେ ଖାଲି ଥିବା ଟି ଜି ଶିକ୍ଷକ ପଦବି ପୂରଣ ପାଇଁ ଚୁକ୍ତି ଭିତ୍ତିକ ଶିକ୍ଷକ ନିୟୋଜନ ପ୍ରକ୍ରିୟା ଚାଲୁ ରହିଛି। ଅନ୍ୟାନ୍ୟ ଶିକ୍ଷକ ପଦବି ପୂରଣ ପାଇଁ ଆବଶ୍ୟକୀୟ ତଥ୍ୟ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀମାନଙ୍କୁ ମଗାଯାଇଛି। ରିପୋର୍ଟ ପାଇବା ପରେ ଏହି ପଦବିଗୁଡ଼ିକ ପୂରଣ ନିମନ୍ତେ ଆବଶ୍ୟକ ପଦକ୍ଷେପ ନିଆଯିବ। ସରକାରୀ ଅନୁଦାନପ୍ରାପ୍ତ ହାଇସ୍କୁଲ୍‌ର ଖାଲି ଥିବା ପଦବିଗୁଡ଼ିକ ପୂରଣ ନିମନ୍ତେ ପ୍ରସ୍ତାବ ସରକାରଙ୍କ ବିଚାରାଧୀନ ଅଛି। ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ/ଯୁକ୍ତ ଦୁଇ କଲେଜଗୁଡ଼ିକରେ ଅଧ୍ୟାପକ ପଦବି ପୂରଣ ବର୍ତ୍ତମାନ ଉଚ୍ଚଶିକ୍ଷା ବିଭାଗର କର୍ତ୍ତୃତ୍ବ‌ାଧୀନ ଅଛି। ପରବର୍ତ୍ତୀ ସମୟରେ ଗଣଶିକ୍ଷା ବିଭାଗ ଦ୍ବାରା ସ୍ନାତକୋତ୍ତର ତାଲିମପ୍ରାପ୍ତ ଶିକ୍ଷକମାନଙ୍କୁ ନିଯୁକ୍ତି ଦିଆଯାଇ ଖାଲି ପଦବିଗୁଡ଼ିକ ପୂରଣ କରାଯିବାର ବ୍ୟବସ୍ଥା ରହିଛି।

ସେହିପରି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ଏକ ଲିଖିତ ପ୍ରଶ୍ନର ଉତ୍ତରରେ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ଜଣାଇଛନ୍ତି, ରାଜ୍ୟର ବିଶ୍ବବିଦ୍ୟାଳୟରେ ୮୪୯, ସରକାରୀ ମହାବିଦ୍ୟାଳୟରେ ୧୨୬୭ ଓ ଅନୁଦାନପ୍ରାପ୍ତ ମହାବିଦ୍ୟାଳୟରେ ୧୮୨୪ଟି ଅଧ୍ୟାପକ ପଦବି ଖାଲି ଅଛି। ବାରିପଦା ଏମ୍‌ପିସି ସ୍ବୟଂଶାସିତ କଲେଜରେ ସର୍ବାଧିକ ୬୧ ଅଧ୍ୟାପକ ପଦବି ଖାଲି ପଡ଼ିଥିଲା ବେଳେ ବାଲେଶ୍ବର ଫକୀର ମୋହନ ସ୍ବୟଂଶାସିତ କଲେଜରେ ୬୦ଟି ଓ ପୁରୀର ଏସ୍‌ସିଏସ୍‌ ସ୍ବୟଂଶାସିତ କଲେଜରେ ୫୮ଟି ପଦବି ଖାଲି ପଡ଼ିଛି। ସେହିପରି କଟକ ଜିଲ୍ଲାରେ ୪୦ଟି ଅନୁଦାନପ୍ରାପ୍ତ କଲେଜରେ ମଞ୍ଜୁରୀପ୍ରାପ୍ତ ୬୯୫ ଅଧ୍ୟାପକ ପଦରୁ ୨୫୮ ପଦ ଖାଲି ପଡ଼ିଛି। ତାହା ତଳକୁ ରହିଛି କେନ୍ଦ୍ରାପଡ଼ା। ଏହି ଜିଲ୍ଲାରେ ୨୯ଟି ଅନୁଦାନପ୍ରାପ୍ତ କଲେଜରେ ମଞ୍ଜୁରୀପ୍ରାପ୍ତ ୪୭୭ ଅଧ୍ୟାପକ ପଦବିରୁ ୨୦୧ ଖାଲି ପଡ଼ିଛି।

ତେବେ ଉଚ୍ଚଶିକ୍ଷା ମନ୍ତ୍ରୀ ତାଙ୍କ ଉତ୍ତରରେ ପ୍ରତିଶ୍ରୁତି ‌େଦଇଛନ୍ତି, କାମଚଳା ପାଇଁ ଏବେ ୯୭୦ ଜଣ ଅତିଥି ଅଧ୍ୟାପକଙ୍କୁ ମୁତୟନ କରାଯାଇଛି। ଖାଲି ଥିବା ଅଧ୍ୟାପକ ପଦ ପୂରଣ ନିମନ୍ତେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଉଛି। ଏହି ପଦଗୁଡ଼ିକ ଚଳିତ ବର୍ଷ ଶେଷ ସୁଦ୍ଧା ପୂରଣ ହୋଇଯିବ।

ସମ୍ବନ୍ଧିତ ଖବର