ଇନ୍ଦ୍ରାବତୀ ମଝିରେ ଫସିଲେ ୧୪ ଯାତ୍ରୀ, ୨ ଘଣ୍ଟା ପରେ ଟାପୁରୁ ଉଦ୍ଧାର

କେସିଙ୍ଗା: କଳାହାଣ୍ଡି ଇନ୍ଦ୍ରାବତୀ ଜଳଭଣ୍ଡାର ମଝିରେ ଡଙ୍ଗା ଖରାପ ଯୋଗୁଁ ପ୍ରାୟ ୧୪ ଜଣ ଲୋକ ଟାପୁରେ ୨ଘଣ୍ଟାକାଳ ଆଶା ଆଶଙ୍କାରେ ରହିଥିଲେ। ପରେ ଅନ୍ୟ ଏକ ଡଙ୍ଗା ଯୋଗେ ସେମାନଙ୍କୁ ଉଦ୍ଧାର କରାଯାଇଛି। ସୂଚନା ମୁତାବକ, ମଙ୍ଗଳବାର ଦିନ ମାଳିଗାଁ କଣାସୁକୁଲି ଗ୍ରାମରୁ ମୋଟରଚାଳିତ ଏକ ଡଙ୍ଗାରେ ୧୪ ଜଣ ତଲନାଗୀ ଘାଟକୁ ଯାଉଥିଲେ। ତଲନାଗୀ ଏମାନେ ଝଳିଆଗୁଡ଼ା ଡାକ୍ତରଖାନାକୁ ଯିବାର ଥିଲା। ହେଲେ ଜଳଭଣ୍ଡାର ମଝିରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ମୋଟର ବନ୍ଦ ହୋଇ ଯାଇଥିଲା। ତେବେ ପ୍ରବଳ ବର୍ଷା ସାଙ୍ଗକୁ ପାବନ ହେଉଥିବାରୁ ସମେସ୍ତ ଭୟଭୀତ ହୋଇ ପଡ଼ିଥିଲେ। ଯାତ୍ରୀମା‌ନେ ଆହୁଲା ମାରି ବହୁ କଷ୍ଟରେ ଭଳଭଣ୍ଡାର ମଝିରେ ଥିବା ଏକ ଟାପୁରେ ପହଞ୍ଚିଥିଲେ। ସେ ସମୟରେ ଗୁଟରୁଖାଲରୁ ତଳନାଗୀ ଆସୁଥିବା ଏକ ଡଙ୍ଗାକୁ ଦୂରରୁ କପଡ଼ା ହଲାଇ ସଙ୍କେତ ଦେବାରୁ ଡଙ୍ଗାଟି ସେଠାରେ ପହଞ୍ଚି ଅଟକି ରହିଥିବା ଯାତ୍ରୀ ମାନଙ୍କୁ ଉଦ୍ଧାର କରିଥିଲା।

ସମ୍ବନ୍ଧିତ ଖବର