ମାଲବାହୀ ଟ୍ରେନ୍‌ର ୧୪ ବଗି ଲାଇନ୍‌ଚ୍ୟୁତ

ତାରପୁର/ଗୋପାଳପୁର : କଟକ-ପାରାଦୀପ ରେଳପଥର ରଘୁନାଥପୁର ଥାନା ଅନ୍ତର୍ଗତ ଗୁଆଳିପୁର ଷ୍ଟେସନ୍‌ଠାରେ ଏକ କୋଇଲା ଗୁଣ୍ଡ ବୋଝେଇ ଟ୍ରେନ୍‌ ଲାଇନ୍‌ଚ୍ୟୁତ ହୋଇଛି। ଟ୍ରେନ୍‌ର ୧୪ଟି ବଗି ପଲଟି ଯାଇଛି। ବହୁ ପରିମାଣର କୋଇଲା ଗୁଣ୍ଡ ନଷ୍ଟ ହୋଇଯାଇଛି। ପ୍ଲାଟ୍‌ଫର୍ମର କିଛି ଅଂଶ ବି କ୍ଷତିଗ୍ରସ୍ତ ହୋଇଥିବା ଜଣାପଡ଼ିଛି।

୫୮ଟି ବଗି ବିଶିଷ୍ଟ ଏହି ଟ୍ରେନ୍‌ ପାରାଦୀପରୁ ଆସୁଥିଲା। ଚାକଳଙ୍କ ଅସାବଧାନତା ଯୋଗୁ ଏହି ଦୁର୍ଘଟଣା ଘଟିଥିବା ଅନୁମାନ କରାଯାଉଛି। ଦୁର୍ଘଟଣା ଯୋଗୁ ୨/୩ଟି ସ୍ଥାନରେ ରେଳଧାରଣା ପୃଥକ୍‌ ହୋଇ ଯାଇଥିବା ଦେଖିବାକୁ ମିଳିଛି।

ଖବର ପାଇ ରଘୁନାଥପୁର ପୁଲିସ୍‌ ଓ ପରେ ରେଳବାଇ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ। ତଦନ୍ତ ପରେ କାରଣ ଜଣାପଡ଼ିବ ବୋଲି ଅଧିକାରୀମାନେ କହିଛନ୍ତି। ଦୁର୍ଘଟଣା ପରେ କଟକ-ପାରାଦୀପ ପଟୁ ଆସୁଥିବା ମାଲବାହୀ ଓ ପାସେଞ୍ଜର ଟ୍ରେନ୍‌ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା।

ସମ୍ବନ୍ଧିତ ଖବର