ହାତ ନେଇଗଲ, ଗୋଡ଼ ନେଇଗଲ… ପରୀକ୍ଷା ଦେବି କେମିତି?

ବଡ଼ ମେଡ଼ିକାଲରେ ଜୀବନ ସହ ସଂଘର୍ଷ କରୁଛି ୧୪ ବର୍ଷର ବାଳକ

କାନ୍ଦୁଛି, ଅଭିନେତା ବାବୁସାନଙ୍କୁ ଖୋଜୁଛି

କଟକ : ‘ ମୋର ଦୁଇହାତ ନେଇଗଲ, ଡାହାଣ ଗୋଡ଼ କାଟିଦେଲ; ମୁଁ ଏବେ କେମିତି ସ୍କୁଲ ଯିବି, କେଉଁ ହାତରେ ପରୀକ୍ଷା ଖାତାରେ ଲେଖିବି, ମୁଁ କଣ ଆଉ ଲେଖିପାରିବି?’ କାନ୍ଦିକାନ୍ଦି ନିଜ ସାଙ୍ଗ ସହ ଫୋନ୍‌ରେ ଏହିଭଳି କହୁଥିଲେ ଜଣେ ୧୪ ବର୍ଷର ବାଳକ। ‌କଟକ ବଡ ଡାକ୍ତରଖାନା(ଏସସିବି) ବର୍ଣ୍ଣ ୱାର୍ଡରେ ଚିକିତ୍ସିତ ଏହି ପିଲାଟିର କଥା ଯିଏ ଶୁଣିଛି, ଆଖିରୁ ଲୁହ ଜକେଇ ଆସିଛି। ସେ ହେଉଛନ୍ତି, ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଅଞ୍ଚଳର ପ୍ରଦୀପ ବିଶ୍ବାଳଙ୍କ ସାନପୁଅ ବୈକୁଣ୍ଠ। ଡାକ ନାଁ ଚିଣ୍ଟୁ।

ସେଦିନ ତାଙ୍କ ଘରର ଛାତ ଉପରେ ଶିଡ଼ି କାମ ଚାଲୁଥିଲା। ଘରେ ସେଣ୍ଟ୍ରିଙ୍ଗ୍‌ ପଟା ଲାଗିଥିଲା। ପଟା କାଢୁଥିବା ବେଳେ ଭାରସାମ୍ୟ ହରାଇ ଏକ ଲୁହ‌ା ରଡ୍‌ ଉପରକୁ ଉଠିଯାଇ ଘର ଉପରେ ଯାଇଥିବା ଏକ ୧୧କେଭି ତାର ସଂସ୍ପର୍ଶରେ ଆସିଯାଇଥିଲା। ଘଟଣାସ୍ଥଳରେ ଥିବା ଚିଣ୍ଟୁକୁ ଗୁରୁତର ବିଦ୍ୟୁତ ଆଘାତ ଲାଗିଥିଲା। ହାତ ଗୋଡ଼ ସବୁ ଜଳି ଯାଇଥିଲା। ପରିବାର ଲୋକ ତୁରନ୍ତ ତାକୁ ସ୍ଥାନୀୟ ମେଡିକାଲକୁ ନେଇଥିଲେ। ମାତ୍ର ଅବସ୍ଥା ଗୁରୁତର ଥିବାରୁ ତାକୁ କଟକର ଏକ ଘରୋଇ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ୨୧ ତାରିଖରୁ ୨୮ ତାରିଖ ପର୍ଯ୍ୟନ୍ତ ଉକ୍ତ ଘରୋଇ ମେଡିକାଲରେ ସେ ଚିକିତ୍ସିତ ହୋଇଥିଲା। ସେଠାରେ ୨ଲକ୍ଷରୁ ଅଧିକ ଟଙ୍କା ଖର୍ଚ୍ଚ କରିବା ପରେ ପାଖରେ ଆଉ ସମ୍ବଳ ନ ଥିବାରୁ ବାଧ୍ୟ ହୋଇ ୨୮ ତାରିଖରେ କଟକ ବଡମେଡିକାଲକୁ ଚାଲି ଆସିଥିଲେ।

୮ ଦିନ ତଳେ ଚିଣ୍ଟୁର ପୋଡିଯାଇଥିବା ଦୁଇହାତ ଓ ଡାହାଣ ଗୋଡ କଟାଯାଇଥିଲା। ଚିଣ୍ଟୁର ବାପା ପ୍ରଦୀପ ବିଶ୍ବାଳ ଜଣେ ପାଣିପାଇପ୍‌ ମିସ୍ତ୍ରି ଭାବେ କାମ କରନ୍ତି। ଘରର ସବୁ ସଂଚିତ ଅର୍ଥକୁ ସେ ପୁଅର ଚିକିତ୍ସା ପାଇଁ ଖର୍ଚ୍ଚ କରିସାରିଲେଣି।

ଏବେ ଜୀବନ ସହ ସଂଘର୍ଷ କରୁଥିବା ଚିଣ୍ଟୁ କିନ୍ତୁ ଶଯ୍ୟା‌ରେ ପଡି ରହି ଓଡ଼ିଆ ସିନେମା ହିରୋ ବାବୁସାନଙ୍କୁ ଖୋଜୁଛି। ବାବୁସାନ ଆସିଲେ ସେ ଖୁସି ହେବେ ବୋଲି କହୁଛି। ୧୧ କେଭି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଚିଣ୍ଟୁର ଏଭଳି ଏଭଳି ଅବସ୍ଥା ହୋଇଥିଲେ ବି ବିଭାଗ ପକ୍ଷରୁ କିନ୍ତୁ ଏଯାଏ କୌଣସି ସହାୟତା ମିଳି ନାହିଁ।

ସମ୍ବନ୍ଧିତ ଖବର