କଟକ : ଅତ୍ୟାବଶ୍ୟକ ସାମଗ୍ରୀ ବୋଝେଇ ଗାଡ଼ି ଚାଳକଙ୍କ ପାଇଁ ରାଜପଥ ପାର୍ଶ୍ବରେ ବିଭିନ୍ନ ସ୍ଥାନରେ ୧୪୦ଟି ଢାବା ଓ ୨୨୩ଟି ଗ୍ୟାରେଜ ଖୋଲାଯାଇଛି। ଏ ସମ୍ପର୍କରେ ଓଡ଼ିଶା ସରକାରଙ୍କ ପକ୍ଷରୁ କେନ୍ଦ୍ର ସରକାରଙ୍କୁ ସୂଚନା ଦିଆଯାଇଛି। କିନ୍ତୁ କଟକ ସମେତ ଜଗତସିଂହପୁର, ଫୁଲବାଣୀ ଦେଇ ଯାଇଥିବା ରାଜପଥ ପାର୍ଶ୍ବରେ ଏଯାଏ କୌଣସି ଢାବା ଖୋଲାଯାଇନଥିବା ବେଳେ ଜଗତସିଂହପୁର, ନବରଙ୍ଗପୁର, ଫୁଲବାଣୀ, ଝାରସୁଗୁଡ଼ାରେ କୌଣସି ଗ୍ୟାରେଜ୍ ବି ଖୋଲାଯାଇ ନାହିଁ। ସରକାରୀ ମାନଦଣ୍ଡ ଅନୁଯାୟୀ ଏହି ଜିଲ୍ଲାଗୁଡ଼ିକରେ ଗ୍ୟାରେଜ୍ ଖୋଲାଯାଇନଥିବା ସୂଚନା ଦିଆଯାଇଛି।
ସୂଚନା ଅନୁଯାୟୀ, ଜାତୀୟ ଓ ରାଜ୍ୟ ରାଜପଥ ପାର୍ଶ୍ବରେ ଢାବା ଓ ଗାଡ଼ି ମରାମତି ଦୋକାନ ଖୋଲା ରଖିବା ପାଇଁ ସରକାରଙ୍କ ପକ୍ଷରୁ ମାର୍ଚ୍ଚ ୨୫ ତାରିଖରେ ନିର୍ଦ୍ଦେଶ ଦିଆଯାଇଥିଲା। ରାଜ୍ୟ ଭିତର ଓ ବାହାରୁ ଆସୁଥିବା ଗାଡ଼ି ଅତ୍ୟାବଶ୍ୟକ ସାମଗ୍ରୀ ବୋଝେଇ ଗାଡ଼ି ଡ୍ରାଇଭରଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ପ୍ରତି ୨୦ କିମି ବ୍ୟବଧାନରେ କେଉଁଠାରେ ଢାବା ଓ ଗ୍ୟାରେଜ ଖୋଲାଯିବ ସେ ଦାୟିତ୍ବ ଆରିଟିଓଙ୍କୁ ଦିଆଯାଇଥିଲା। ତେବେ ଆଜି ସୁଦ୍ଧା ୩୦ ଜିଲ୍ଲାରେ ୧୪୦ଟି ଢାବା ଏବଂ ୨୨୩ଟି ଗ୍ୟାରେଜ୍ ଖୋଲାଯାଇଥିବା ସମ୍ପର୍କରେ କେନ୍ଦ୍ର ସରକାରଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ଚିଠି ଲେଖି ଅବଗତ କରାଯାଇଛି। ଖୋଲିଥିବା ଗ୍ୟାରେଜ ଓ ଢାବା ଗୁଡିକରେ ସାମାଜିକ ଦୂରତ୍ବ ଏବଂ ଆନୁସଙ୍ଗିକ ସୁରକ୍ଷା ବ୍ୟବସ୍ଥା ସଂପର୍କରେ ଜିଲ୍ଲା ଏସ୍ପି ନିୟମିତ ଅନୁଧ୍ୟାନ କରୁଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/04/garage.jpg)