୧୪୦ ଝାଡ଼ଖଣ୍ଡ ହାତୀ ନୀଳଗିରିମୁହାଁ

ବନାଞ୍ଚଳବାସୀ ଆତଙ୍କିତ

ନୀଳଗିରି : ଝାଡ଼ଖଣ୍ଡ ରାଜ୍ୟର ଦଲମା ଅଭୟାରଣ୍ୟରୁ ୧୪୦ରୁ ଊର୍ଦ୍ଧ୍ୱ ହାତୀ ଏବେ ନୀଳଗିରିମୁହାଁ ହୋଇଥିବା ଜଣାପଡ଼ିଛି। ଉକ୍ତ ଖବର ପାଇବା ପରେ ନୀଳଗିରି ବନାଞ୍ଚଳବାସୀଙ୍କ ଆଖିରୁ ନିଦ ହଜିଯାଇଛି। ଝାଡ଼ଖଣ୍ଡ ହାତୀପଲ ଆସିଲେ ବ୍ୟାପକ ପରିମାଣରେ ଧାନଫସଲ ନଷ୍ଟ ହେବାର ଯଥେଷ୍ଟ ସମ୍ଭାବନା ରହିଛି। ବିଶେଷ କରି ସଜନାଗଡ଼, ଭଉଁରିଆବାଡ଼, ଅଯୋଧ୍ୟା, କାଂଶ, ରାଧାକିଶୋରପୁର, ମହିଷାପଟ୍ଟା, ଗରଡିିହି, ନରଣପୁର, କେ.ସି.ପୁର, ପିଠାହତା, ଜାମୁଡିିହା, ଛତ୍ରପୁର ସମେତ ୧୨ଟି ପଞ୍ଚାୟତର ଚାଷୀ ଏବେ ମୁଣ୍ଡରେ ହାତଦେଇ ବସିଛନ୍ତି।

ଏହି ହାତୀପଲକୁ ମୁକାବିଲା କରିବା ପାଇଁ ନୀଳଗିରି ଓ କୁଲଡିହା ବନ ବିଭାଗ ପକ୍ଷରୁ ବନାଞ୍ଚଳବାସୀଙ୍କୁ ସୂଚନା ଦିଆଯିବା ସହ ଘରେ ହାଣ୍ଡିଆ, ମାଦକ ଦ୍ରବ୍ୟ ନରଖିବା ପାଇଁ ସଚେତନ କରାଯାଉଛି। ଏ ବାବଦରେ ବାଲେଶ୍ୱର ଡିଏଫ୍‌ଓ ବିଶ୍ୱରାଜ ପଣ୍ଡା ସମସ୍ତ ବିଭାଗୀୟ ଅଧିକାରୀମାନଙ୍କୁ ନେଇ ଗୁରୁବାର ଏକ ଜରୁରି ବୈଠକ ଡକାଇଥିବା ଜଣାପଡ଼ିଛି। ତେବେ ଉକ୍ତ ହାତୀପଲ ଏବେ ମୟୂରଭଞ୍ଜ ଜିଲ୍ଳା ବେତନଟୀ ରେଂଜ ଅଶନବଣିଠାରେ ଥିବା ବେଳେ ହାତୀପଲ ନୀଳଗିରିମୁହାଁ ହେଉଥିବା ସୂଚନା ମିଳିଛି।

ଦିନେ ଦୁଇଦିନ ଭିତରେ ଉକ୍ତ ହାତୀପଲ ବୁଢ଼ାବଳଙ୍ଗ ନଦୀ ଅତିକ୍ରମ କରି ନୀଳଗିରି-ମୟୂରଭଞ୍ଜସୀମା ଦୁର୍ଗାଦେବୀ ପାରହୋଇ କାଠପାଳ ନଦୀ ଅତିକ୍ରମ କରି ନୀଳଗିରି ମଧ୍ୟକୁ ପ୍ରବେଶ କରିବା ଯଥେଷ୍ଟ ସମ୍ଭାବନା ରହିଛି। ଅନ୍ୟ ଦୁଇଗୋଟି ହାତୀପଲ ମଧ୍ୟ ପଛରେ ଆସୁଥିବାର ସୂଚନା ମିଳିଛି। ବନାଞ୍ଚଳବାସୀ ନିଜର ସୁରକ୍ଷା ପାଇଁ ଘର ନିକଟରେ ଥିବା ବଡ଼ବଡ଼ ଗଛରେ ମଞ୍ଚା ବାନ୍ଧୁୁଥିବା ସଜନାଗଡ଼ ପଞ୍ଚାୟତର ଭାଲୁକାଶୁଣି, ତେଣ୍ଡା, ନରଣପୁର ପଞ୍ଚାୟତର ତେରଲଡିହି, ଜାମୁଡିିହା ପଞ୍ଚାୟତର ସାତରାଣ୍ଡ, ଗରଡିିହି ପଞ୍ଚାୟତର ଆମ୍ବଝର, କୁଞ୍ଚିବଣିଆ, କେସିପୁର ପଞ୍ଚାୟତର ଜଙ୍ଗଲ ମଧ୍ୟରେ ଥିବା ବିଭିନ୍ନ ଗ୍ରାମରେ ଦେଖିବାକୁ ମିଳିଛି।

ସମ୍ବନ୍ଧିତ ଖବର