ଲଘୁଚାପ ଦୁର୍ଦ୍ଦଶା: ଭାଙ୍ଗିଛି ୧୪ ଶହରୁ ଅଧିକ ଘର

ନଷ୍ଟ ହୋଇଛି ୭୦ ହେକ୍ଟର ଚାଷ ଜମି, ୪ ବ୍ଲକରେ ପ୍ରଭୂତ କ୍ଷତି

ରାଉରକେଲା: ଗତ ମାସ ଶେଷ ସପ୍ତାହରେ ହୋଇଥିବା ଲଘୁଚାପ ସୁନ୍ଦରଗଡର ୪ ବ୍ଲକକୁ ଦୁର୍ଦ୍ଦଶାଗସ୍ତ କରି ଦେଇଛି। ପ୍ରାୟ ୧୪ଶହ ଘର ଭାଙ୍ଗିଥିବାବେଳେ ୭୦ ହେକ୍ଟର ଚାଷ ଜମି ନଷ୍ଟ ହୋଇଛି। ରାଜ୍ୟ ସରକାରଙ୍କ ନିର୍ଦ୍ଦେଶରେ ଜିଲ୍ଲା ପ୍ରଶାସନ କ୍ଷୟକ୍ଷତି ଆକଳନ କରିଛି। ପ୍ରଶାସନିକ ରିପୋର୍ଟରୁ ଏଭଳି ତଥ୍ୟ ମଳିଛି।

ଗତ ମାସ ଶେଷ ଦୁଇ ସପ୍ତାହରେ ଲଘୁଚାପ ବର୍ଷାରେ ହନ୍ତସନ୍ତ ହୋଇଥିଲା ସମଗ୍ର ଓଡ଼ିଶା। ସ୍ମାର୍ଟସିଟି ରାଉରକେଲା ସମେତ କୋଇଡ଼ା ବ୍ଲକରୁ ଆରମ୍ଭକରି ହେମଗିର ବ୍ଲକ ପର୍ଯ୍ୟନ୍ତ ସବୁଠାରେ ବର୍ଷା ତାଣ୍ଡବ ରଚିଥିଲା। ଅଗଷ୍ଟ ୧୯ରୁ୨୩ ପର୍ଯ୍ୟନ୍ତ ବର୍ଷା ଜାରି ରହିବାରୁ ଜିଲ୍ଲାବାସୀ ଦୁର୍ଦ୍ଦଶାଗ୍ରସ୍ତ ହୋଇପଡ଼ିଥିଲେ। ୧୪ ଶହରୁ ଅଧିକ ଘର ଭାଙ୍ଗିଥିବା କୁହାଯାଉଥିବାବେଳେ ଏଥିରେ ଅନେକ ଗୁହାଳ ବି ରହିଛି। ପ୍ରାୟ ୯୦ ଗୁହାଳ ଭାଙ୍ଗିଥିବା କୁହାଯାଇଛି। କିନ୍ତୁ ନିର୍ଦ୍ଦିଷ୍ଟ ଭାବେ କେତେ ଘର ଭାଙ୍ଗିଛି ତାହାର ଫାଇନାଲ ରିପୋର୍ଟ ପ୍ରଶାସନ ପକ୍ଷରୁ ହସ୍ତଗତ ହୋଇପାରିନାହିଁ।

ବର୍ଷାରେ ସ୍ଥାନୀୟ ସେକ୍ଟର-୬ ନିକଟସ୍ଥ ବିର୍ସାନଗରଠାରେ ରହୁଥିବା ବିଧବା ବୃଦ୍ଧା ବାସନ୍ତୀ ବଡ଼ାଇକ(୭୦)ଙ୍କ ମାଟି କୁଡ଼ିଆ ଭାଙ୍ଗିଯାଇଥିଲା। ଦିନକପରେ ସେକ୍ଟର-୬ ବୀର୍ସାନଗରର ଆଉ ୪ଟି ଓ ହମିରପୁରର ୫ଟି ମାଟି ଘର ଭାଙ୍ଗି ମାଟିରେ ମିଶିଯାଇଥିଲା। ଉଭୟ ବସ୍ତିର ଫୁଲ ବଡ଼ାଇକ, ସୁଜାତା ବଡ଼ାଇକ, ଦମନିକ ବଡ଼ାଇକ, ବିଶୁ ସିଂହ, ବନ୍ଧନ ବଡ଼ାଇକ ଏବଂ ଏହାର ୫ ଦିନ ପରେ କୁଆରମୁଣ୍ଡା ବ୍ଳକ ଅନ୍ତର୍ଗତ ରିଉଁ ଗ୍ରାମର ବୃଦ୍ଧ ଦମ୍ପତି ସୋନାରାମ ଖାଡ଼ିଆ ଓ ପତ୍ନୀ ରଙ୍ଗବତୀ ଖଡ଼ିଆ ଘର ମଧ୍ୟ ଭାଙ୍ଗିଥିଲା। ପୁରା ଜିଲ୍ଲାକୁ ଦେଖିଲେ ବ୍ୟାପକ ଫସଲ, ପନିପରିବା ନଷ୍ଟ ହୋଇଥିବା ଆକଳନ କରାଯାଉଛି। ବିଶେଷକରି କୁଆରମୁଣ୍ଡା, ଟାଙ୍ଗରପଲ୍ଲୀ, ସବଡେଗା ଓ ହେମଗିର ବ୍ଲକର ପ୍ରାୟ ୭୦ ହେକ୍ଟର ଚାଷ ଜମିରେ ପାଣି ଜମି ଫସଲ ନଷ୍ଟ ହୋଇଛି।

ଜିଲ୍ଲାରେ ପନରିପରିବା ଚାଷ ମଧ୍ୟ ବ୍ୟାପକ ମାତ୍ରାରେ ନଷ୍ଟ ହୋଇଛି। ନୂଆଗାଁ ବ୍ଲକ ଅଞ୍ଚଳର ଚାଷୀ ବହୁମାତ୍ରାରେ କ୍ଷତି ସହିଥିଲେ। ବେସରକାରୀ ଆକଳନ ଅନୁସାରେ ପାଖାପାଖି ୭୦ ପ୍ରତିଶତ ପନିପରିବା ଚାଷ ମାଟିରେ ମିଶିଯାଇଛି। ସେତେବେଳେ ସ୍ଥାନୀୟ ଚାଷୀ ବହୁମାତ୍ରାରେ ବିଲାତି, ଭେଣ୍ଡି, ଲଙ୍କା, ବାଇଗଣ, ଫୁଲକୋବି ଆଦି ପନିପରିବା ଚାଷ କରିଥିଲେ। ପ୍ରବଳ ବର୍ଷା ଯୋଗୁଁ ଗଛ ସବୁ ଭାଙ୍ଗିବା ସହ ତଳେ ପଡ଼ିଯାଇଥିଲା। ଅନ୍ୟ ପନିପରିବା ଅପେକ୍ଷା ବିଲାତି ଚାଷ କିନ୍ତୁ ସର୍ବାଧିକମାତ୍ରାରେ ନଷ୍ଟ ହୋଇଥିଲା। ଫଳରେ  ବିଲାତି ଚାଷୀ ମୁଣ୍ଡରେ ଚଡ଼କ ସଦୃଶ ହୋଇଥିଲା।

ସମ୍ବନ୍ଧିତ ଖବର