ଭୁବନେଶ୍ବର: ରାଜ୍ୟର ୫୨% ଓବିସି ବର୍ଗ ଦୀର୍ଘ ୩୦ବର୍ଷ ଧରି ନିଜର ସାମ୍ବିଧାନିକ ହକ୍ ଓ ଅଧିକାରରୁ ବଞ୍ଚିତ ହେଉଛନ୍ତି। ଶିକ୍ଷା ଓ ନିଯୁକ୍ତି କ୍ଷେତ୍ରରେ କେନ୍ଦ୍ର ସରକାର ପଛୁଆବର୍ଗଙ୍କୁ ପ୍ରଦାନ କରିଥିବା ୨୭% ସଂରକ୍ଷଣ ଓଡ଼ିଶାରେ ଲାଗୁ ହେଉନାହିଁ। ଫଳରେ ଏହି ବର୍ଗର ପିଲାମାନେ ନିଯୁକ୍ତ ସୁଯୋଗ ହରାଇବା ସହ ଉଚ୍ଚଶିକ୍ଷାରୁ ବଞ୍ଚିତ ହେଉଛନ୍ତି। ତେଣୁ ପଛୁଆବର୍ଗଙ୍କ ସ୍ବାର୍ଥକୁ ଆଖି ଆଗରେ ରଖି ମୁଖ୍ୟମନ୍ତ୍ରୀ ଏଥିରେ ହସ୍ତକ୍ଷେପ କରିବା ଲାଗି ଦାବି କରିଛି ଓବିସି ଫୋରମ୍।
ଫୋରମ୍ର ଅଧ୍ୟକ୍ଷ ରବୀନ୍ଦ୍ରନାଥ ବେହେରା ଏକ ପ୍ରେସ୍ ବିଜ୍ଞପ୍ତିରେ କହିଛନ୍ତି, ଚଳିତମାସ ୩ ତାରିଖରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକରେ ରାଜ୍ୟରେ ଖାଲି ପଡ଼ିଥିବା ୯୩ହଜାର ୫୨୪ ପଦବି ପୂରଣ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି। କେନ୍ଦ୍ର ସରକାର ଚାକିରି କ୍ଷେତ୍ରରେ ୨୭% ସଂରକ୍ଷଣ ବ୍ୟବସ୍ଥା କରିଛନ୍ତି। ମାତ୍ର ଓଡ଼ିଶାରେ ସରକାରୀ ଚାକିରିରେ ୧୧.୨୫% ଓବିସି ସଂରକ୍ଷଣ ପ୍ରଦାନ କରାଯାଉଛି। ତେଣୁ ୯୩ହଜାର ସରକାରୀ ଚାକିରିରୁ ଓବିସି ବର୍ଗ ସଂରକ୍ଷଣ ଅନୁଯାୟୀ ପ୍ରକୃତରେ ୨୫ହଜାର ୨୫୧ଜଣ ନିଯୁକ୍ତି ପାଇବା କଥା। ମାତ୍ର ପୂର୍ଣ୍ଣ ସଂରକ୍ଷଣ ଲାଗୁ ହେଉ ନ ଥିବାରୁ ଏହି ବର୍ଗର ୧୦ହଜାର ୫୨୧ଜଣଙ୍କୁ ନିଯୁକ୍ତି ମିଳିବ। ଫଳରେ ପଛୁଆବର୍ଗର ୧୪ହଜାର ୭୩୦ ପିଲା ନିଯୁକ୍ତିରୁ ବଞ୍ଚିତ ହେବେ।
ସେହିପରି କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ ଓ ଆଇଆଇଟି, ଆଇଆଇଏମ୍ରେ କେନ୍ଦ୍ର ସରକାର ପଛୁଆବର୍ଗ ଛାତ୍ରଛାତ୍ରୀଙ୍କୁ ନାମଲେଖାରେ ୨୭% ସଂରକ୍ଷଣ ଦେଉଛନ୍ତି। ହେଲେ ରାଜ୍ୟର ବିଶ୍ବବିଦ୍ୟାଳୟ ଓ କଲେଜରେ ପଛୁଆବର୍ଗଙ୍କୁ ନାମଲେଖାରେ ସଂରକ୍ଷଣ ମିଳୁନାହିଁ। ଆଜି ପର୍ଯ୍ୟନ୍ତ ପ୍ରାୟ ୨୫ହଜାର ଛାତ୍ରଛାତ୍ରୀ ଇଞ୍ଜିନିୟରିଂ ଓ ୨ହଜାରରୁ ଅଧିକ ଛାତ୍ରଛାତ୍ରୀ ମେଡିକାଲ ଶିକ୍ଷାରୁ ବଞ୍ଚିତ ହୋଇଛନ୍ତି। ତେଣୁ ପଛୁଆବର୍ଗଙ୍କ ସ୍ବାର୍ଥକୁ ନଜରରେ ରଖି ରାଜ୍ୟ ସରକାର ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବେ ବୋଲି ଆଶା। ଏହାସହ ପୂର୍ବ ସରକାରଙ୍କ ସମୟରେ ଯେଉଁ ପଛୁଆବର୍ଗ ସର୍ଭେ କରାଯାଇଥିଲା ତାହାର ରିପୋର୍ଟ ପ୍ରଦାନ କରିବା ଲାଗି ଶ୍ରୀ ବେହେରା ଦାବି କରିଛନ୍ତି।