ଓଡ଼ିଶାର ୧୪ ହଜାର ଆଇଟିଆଇ ସିଟ୍ ହ୍ରାସ, ନାମ ଲେଖାଇଥିବା ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଅନିଶ୍ଚିତ

କଟକ-ବିଦ୍ୟାଧରପୁର : ଚଳିତ  ବର୍ଷ ଅଧିକ ସଂଖ୍ୟକ ପିଲା ଦଶମ ପାସ୍ କରିଥିବାରୁ ସରକାର ସବୁ କଲେଜରେ ୩୦ ପ୍ରତିଶତ ସିଟ୍ ସଂଖ୍ୟା ବୃଦ୍ଧି କରିଛନ୍ତି। କିନ୍ତୁ ଆଇଟିଆଇ କ୍ଷେତ୍ରରେ ଭାରତ ସରକାରଙ୍କ ଡିଜିଟି (ଡାଇରେକ୍ଟର ଜେନେରାଲ ଟେକ୍ନିକାଲ ଏଜୁକେସନ) କୋଭିଡ ସଂକ୍ରମଣ କଟକଣା ଆଳ ଦେଖାଇ ଓଡ଼ିଶାର ୪୯ଟି ସରକାରୀ ଓ ୪୫୭ଟି ଘରୋଇ ଆଇଟିଆଇର ୧୪ ହଜାର ସିଟ୍ କାଟି ଦେଇଥିବା ଜଣାପଡ଼ିଛି। ସିବିଟି ଟେଷ୍ଟକୁ ବିରୋଧ କରିବାରୁ ଏଭଳି ଦୁର୍ଭାଗ୍ୟଜନକ ନିଷ୍ପତ୍ତିର ଶିକାର ହୋଇଥିବା ଓଡ଼ିଶା ପ୍ରାଇଭେଟ୍ ଆଇଟିଆଇ ସଂଘର ସଂପାଦକ ଇଞ୍ଜିନିୟର ଦେବାଶିଷ ଆଚାର୍ଯ୍ୟ ଅଭିଯୋଗ କରିଛନ୍ତି।

ଜୁଲାଇ ମାସ ଠାରୁ ଅଗଷ୍ଟ ମାସ ଶେଷ ପର୍ଯ୍ୟନ୍ତ ଆଇଟିଆଇରେ ନାମଲେଖା ବ୍ୟବସ୍ଥା ରହିଛି। ଡିଜିଟି ପକ୍ଷରୁ ଗଲା ଜୁଲାଇ ୨୬ ତାରିଖରେ ରାଜ୍ୟ ସରକାରଙ୍କ ଡିଟିଇଟିକୁ ଚିଠି ଲେଖି କୋଭିଡ କଟକଣା ପାଇଁ ଉଭୟ ସରକାରୀ ଓ ବେସରକାରୀ ଆଇଟିଆଇରେ ଥାର୍ଡ ସିଫ୍ଟରେ ଥିବା ସିଟ୍ କଟାଗଲା ବୋଲି ଜଣାଇ ଦିଆଯାଇଥିଲା। କିନ୍ତୁ ଡିଟିଇଟି ନିର୍ଦ୍ଦେଶକ କେନ୍ଦ୍ରର ଏହି ଚିଠି ପାଇ ଚୁପ୍ ରହିଥିବା ବେଳେ ଗଲା ୧ ତାରିଖରେ ଏ ସଂକ୍ରାନ୍ତରେ ସବୁ ଆଇଟିଆଇକୁ ଚିଠି କରିଛନ୍ତି। ଡିଟିଇଟି ନିର୍ଦ୍ଦେଶକ ରେଘୁ ଜି ଥାର୍ଡ ସିଫ୍ଟ ନାମ ନ ଲେଖାଇବା ପାଇଁ ସବୁ ଆଇଟିଆଇକୁ ଚିଠି (ନଂ ଡିଟିଇଟି-ସିଟିଆଇ-ଏଏମଡି-୦୦୪-୨୦୨୧- ୮୯୨୬/୧-୯-୨୦୨୧) ଲେଖି ନିର୍ଦ୍ଦେଶ ଦେଇଛନ୍ତି। ଏହାକୁ ନେଇ ଏବେ ସବୁ ଆଇଟିଆଇରେ ଅନିଶ୍ଚିତତା ସୃଷ୍ଟି ହୋଇଛି।

ଏ ସଂକ୍ରାନ୍ତରେ ରେଘୁ ଜି କହିଛନ୍ତି ଯେ ଓଡ଼ିଶାର ସ୍ବାର୍ଥ ପାଇଁ ସିଟ୍ ନ କାଟିବାକୁ ପ୍ରମୁଖ ଶାସନ ସଚିବ ହେମନ୍ତ କୁମାର ଶର୍ମା ଡିଜିଇଟିକୁ ଦୁଇ ଥର ଚିଠି ଲେଖିଥିଲେ। ଡିଜିଇଟି ଏହାକୁ ପୁନର୍ବିଚାର କରିବ ବୋଲି ଆଶା କରାଯାଉଥିଲା। କିନ୍ତୁ ଡିଜିଇଟି ସିଟ୍ କାଟିବା ନିଷ୍ପତ୍ତିରେ ଅଟଳ ରହିବାରୁ ବିଭାଗ ପକ୍ଷରୁ ଏହି ଚିଠି ଜାରି କରାଗଲା। ଅନ୍ୟପଟେ ଏହି ସମୟ ମଧ୍ୟରେ ନାମ ଲେଖାଇ ସାରିଥିବା ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଏହାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିବା ବେଳେ ଘରୋଇ ଆଇଟିଆଇଗୁଡ଼ିକ ସେମାନଙ୍କ ରୋଷର ଶିକାର ହେଉଛନ୍ତି ବୋଲି ସଂପାଦକ ଦେବାଶିଷ ଆଚାର୍ଯ୍ୟ ଅଭିଯୋଗ କରିଛନ୍ତି।

ସମ୍ବନ୍ଧିତ ଖବର