ଯୋଡ଼ା: ଖଣିଜ ସଂପଦଭରା କେନ୍ଦୁଝରର ଅସଲ ସମସ୍ୟା କଥା କାହା ନଜରକୁ ଆସୁନି। ପରିବହନ ପାଇଁ ପ୍ରତି ଟନ୍ରେ ପିସି ନେଇ ନେତା ମାଲାମାଲ ହେଉଥିବା ବେଳେ ଟ୍ରକ୍ ମାଲିକମାନେ ସର୍ବହରା ହେବାକୁ ବସିଲେଣି। ଖଣିଖାଦାନ ଜିଲ୍ଲାର ଟ୍ରକ୍ଗୁଡ଼ିକୁ ଖଣିଜ ପରିବହନ ପାଇଁ ଲୋଡିଂ ମିଳୁନି, ଏମିତିକି ଗତ ୧୫ ବର୍ଷ ତଳେ ଯେତିକି ଭଡ଼ା ଟ୍ରକ୍ ମାଲିକମାନଙ୍କୁ ମିଳୁଥିଲା ସେ ଭଡ଼ା ବଢ଼ିବା ବଦଳରେ ଅଧା ହ୍ରାସ ପାଇଲାଣି। ଯେଉଁ ଟ୍ରକ୍ ମାଲିକମାନେ ୨୦୦୭-୦୮ରେ ପାରାଦୀପକୁ ପରିବହନ ଟନ୍ ପିଛା ୩୧୦୦ ଟଙ୍କା ପାଉଥିଲେ, ସେ ଭଡ଼ା ବର୍ତ୍ତମାନ ୧୨୦୦ରେ ପହଞ୍ଚିଲାଣି। ଟ୍ରକ୍ ବଦଳରେ ଏବେ ରେଳରେ ଖଣିଜ ପରିବହନକୁ ଅଧିକ ପ୍ରାଧାନ୍ୟ ଦିଆଯାଉଥିବା ବେଳେ ସଂପ୍ରତି ‘ସ୍ଲରି’ (ପାଇପ୍ ଦ୍ବାରା ଖଣିଜ ପରିବହନ) ଆଉ ଏକ ବିପଦକୁ ଡାକି ଆଣିଛି। ଫଳରେ ପର୍ଯ୍ୟାପ୍ତ ଲୋଡିଂ ମଧ୍ୟ ମିଳୁନାହିଁ। ଜିଲ୍ଲାରେ ୧୪ ହଜାର ଟ୍ରକ୍ ମାଲିକ ଓ ସେମାନଙ୍କ ପରିବାରର ପେଟପାଟଣା ବିପନ୍ନ ହେବାକୁ ବସିଥିବା ବେଳେ ସ୍ଥାନୀୟ ନେତାଙ୍କର ଏଥିରେ ଯା’ ଆସ ନାହିଁ। ଏହାକୁ ନେଇ କେନ୍ଦୁଝର ଟ୍ରକ୍ ମାଲିକମାନେ ଏବେ ଦଳମତ ନିର୍ବିଶେଷରେ ଏକ ବଡ଼ ଆନ୍ଦୋଳନ ପାଇଁ ସଜବାଜ ହେଉଛନ୍ତି।
ଏ ସମ୍ପର୍କରେ ଯୋଡ଼ା ଟ୍ରକ୍ ମାଲିକ ସଂଘର ପୂର୍ବତନ ସମ୍ପାଦକ ରବିନାରାୟଣ ଦାସ କହିଛନ୍ତି, ୨୦୧୮-୧୯ରେ ଗୋପାଳପୁରକୁ ଟନ୍ ପିଛା ୨୪୦୦ ଟଙ୍କା ଭଡ଼ା ଦିଆଯାଉଥିଲା। ଏବେ ମାତ୍ର ୧୭୦୦ ଟଙ୍କା ଦିଆଯାଉଛି। ଧାମରାକୁ ପୂର୍ବରୁ ୧୯୦୦ ଟଙ୍କା ଦିଆଯାଉଥିବା ବେଳେ ଏବେ ୧୫୦୦ ଟଙ୍କା ଦିଆଯାଉଛି। ଲୋଡିଂ ମଧ୍ୟ ପର୍ଯ୍ୟାପ୍ତ ମିଳୁନାହିଁ। ଡିଜେଲ, ଟ୍ରକ୍ରେ ବ୍ୟବହୃତ ଯନ୍ତ୍ରାଂଶ ଦର, ଡ୍ରାଇଭର ଓ ହେଲପର୍ଙ୍କ ମଜୁରି ଏହା ଭିତରେ ତିନିଗୁଣା ବଢ଼ି ସାରିଲାଣି। ଅଥଚ ପରିବହନ ଭଡ଼ା ହ୍ରାସ ପାଇବା ଯୋଗୁଁ ଟ୍ରକ୍ ମାଲିକ ମୁଣ୍ଡରେ ହାତ ଦେଇ ବସିଛନ୍ତି।
କେନ୍ଦୁଝର ଯୋଡ଼ା ଖଣି ମଣ୍ଡଳରେ ବର୍ତ୍ତମାନ ୩୭ଟି ଖଣି କାର୍ଯ୍ୟକ୍ଷମ ରହିଛି। ଏସବୁ ଖଣିରୁ ପ୍ରତିବର୍ଷ ୮୫ ମିଲିଅନ୍ ଟନ୍ ଖଣିଜ ବିଭିନ୍ନ ସ୍ଥାନକୁ ପରିବହନ ହେଉଛି। ନବେ ଦଶକରୁ ଲୁହାପଥର ମୂଲ୍ୟ ଅର୍ନ୍ତଜାତୀୟ ବଜାରରେ ବୃଦ୍ଧି ପାଇବା ପରେ ଖଣିଗୁଡ଼ିକ ଯାନ୍ତ୍ରିକ ପଦ୍ଧତିରେ ଚାଲିଛି। ଶ୍ରମିକ ଛଟେଇ ସାଙ୍ଗକୁ ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ଦିଆଯାଉ ନାହିଁ। ଯୋଡ଼ା, ବଡ଼ବିଲ, ଭଦ୍ରାସାହି, ସେରେଣ୍ଡା, ଗୁଆଲି, ବିଲେଇପଦା, ଦେଓଝର, ଜୁରୁଡ଼ି, ବାମେବାରୀ, ପଳସା, କାଳିମାଟି, ଦବୁନା ଅଞ୍ଚଳରେ ବାସ କରୁଥିବା ଯୁବଗୋଷ୍ଠୀ ଟ୍ରକ୍ ମାଧ୍ୟମରେ ଖଣିଜ ପରିବହନ କରି ନିଜ ପରିବାର ପ୍ରତିପୋଷଣ କରୁଛନ୍ତି। ଟ୍ରକ୍ ଯୋଗେ ଅଧିକ ପରିମାଣର ଖଣିଜ ପରିବହନ ପାଇଁ ଟ୍ରକ୍ ମାଲିକ ସଂଘଗୁଡ଼ିକ ଦାବି କରୁଥିବା ବେଳେ ଖଣି କମ୍ପାନିମାନେ ଏହାକୁ ଗୁରୁତ୍ବ ଦେଉନାହାନ୍ତି। ବିଭିନ୍ନ ଖଣିରୁ ଉତ୍ତୋଳିତ ୯୦ ପ୍ରତିଶତ ଖଣିଜ ଟ୍ରେନ୍ ଯୋଗେ ପରିବହନ ହେଉଥିବାରୁ ଟ୍ରକ୍ଗୁଡ଼ିକ ଲୋଡିଂ ପାଉନାହାନ୍ତି। ଖଣି କମ୍ପାନିମାନେ ଖଣିଜ ପରିବହନ ପାଇଁ ନିଜସ୍ୱ ରେଳ ସାଇଡିଂ କରି ସିଧାସଳଖ ରାକ୍ କ୍ରୟ କରୁଛନ୍ତି। ଏହାଛଡ଼ା ଯୋଡ଼ା ଖଣି ମଣ୍ଡଳରୁ ସମ୍ବଲପୁର, ପାରାଦୀପ, ଧାମରା, ଗୋପାଳପୁର, ଅନୁଗୁଳ, ଝାରସୁଗୁଡ଼ା, ରାଉରକେଲା, ଢେଙ୍କାନାଳକୁ ପରିବହନ ଭଡ଼ା ବୃଦ୍ଧି ପାଇବା ପରିବର୍ତ୍ତେ ହ୍ରାସ ପାଇଛି। ଯୋଡ଼ା ଟ୍ରକ୍ ମାଲିକ ସଂଘ ସମ୍ପାଦକ ସୁଶାନ୍ତ କୁମାର ବାରିକ କହିଛନ୍ତି, ଖଣି କମ୍ପାନିମାନେ ପରିବହନ ବାବଦ ଖର୍ଚ୍ଚ କମାଇବା ପାଇଁ ଟ୍ରେନ୍ ଓ ସ୍ଲରି ପାଇପ୍ ଯୋଗେ ଖଣିଜ ପରିବହନକୁ ଗୁରୁତ୍ୱ ଦେଉଛନ୍ତି। ଏଥିରେ ସରକାରଙ୍କ ପକ୍ଷରୁ କୌଣସି ଅଙ୍କୁଶ ରହୁନାହିଁ। ଟ୍ରକ୍ ମାଲିକଙ୍କ ସମସ୍ୟା ପ୍ରତି ସରକାର ଦୃଷ୍ଟି ନ ଦେଲେ ଖଣି ଅଞ୍ଚଳବାସୀଙ୍କ ଆର୍ଥିକ ସ୍ଥିତି ଆହୁରି ଜଟିଳ ହେବ ବୋଲି ସେ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/08/31/untitled-4-2025-08-31-07-02-30.jpg)