ସୁସ୍ଥରେ ରେକର୍ଡ: ଦିନକରେ ୧୪୦୯, ଖୋର୍ଧା ଜିଲ୍ଲାରେ ସୁସ୍ଥ ହାର ସବୁଠୁ କମ୍

ଦିନକରେ ୧୩୮୪ ପଜିଟିଭ୍ ଚିହ୍ନଟ, ଆଉ ୯ ମୃତ୍ୟୁ, ସଂଖ୍ୟା ୨୧୬ ଛୁଇଁଲା

ଭୁବନେଶ୍ବର: ଲଗାତାର ଦ୍ବିତୀୟ ଦିନ ଲାଗି ଆଜି ରାଜ୍ୟରେ ରେକର୍ଡ ସଂଖ୍ୟକ କରୋନା ରୋଗୀ ସୁସ୍ଥ ହୋଇଛନ୍ତି। ଗତକାଲି ୧୧୧୯ଜଣ ସୁସ୍ଥ ହୋଇଥିବା ବେଳେ ଆଜି ୧୪୦୯ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ରାଜ୍ୟରେ ଏ ପର୍ଯ୍ୟନ୍ତ ୨୪୪୮୨ଜଣ ରୋଗୀ ସୁସ୍ଥ ହୋଇ ସାରିଲେଣି। ଫଳରେ ରାଜ୍ୟରେ ସୁସ୍ଥ ହାର ୬୪ ପ୍ରତିଶତ ରହିଛି। ଏବେ ୧୨୯୪୦ ରୋଗୀ ଚିକିତ୍ସିତ ହେଉଛନ୍ତି।

ଅପରପକ୍ଷରେ ରାଜ୍ୟର ୮ଟି ସର୍ବାଧିକ ଆକ୍ରାନ୍ତ ଜିଲ୍ଲା ମଧ୍ୟରେ ଖୋର୍ଧା ଜିଲ୍ଲାରେ ସୁସ୍ଥ ହାର ଅନ୍ୟ ଜିଲ୍ଲା ତୁଳନାରେ କମ୍ ରହିଛି। ଜିଲ୍ଲାରେ ସୁସ୍ଥ ହାର ମାତ୍ର ୪୪ ପ୍ରତିଶତ ରହିଛି। କିନ୍ତୁ ଗଞ୍ଜାମ ୬୯ ପ୍ରତିଶତ, କଟକ ୬୭ ପ୍ରତିଶତ, ଗଜପତି ୬୬ ପ୍ରତିଶତ, ସୁନ୍ଦରଗଡ଼ ୬୪.୫ ପ୍ରତିଶତ, ଯାଜପୁର ୮୧.୩ ପ୍ରତିଶତ, ରାୟଗଡ଼ା ୫୯ ପ୍ରତିଶତ, ବାଲେଶ୍ବର ୭୩ ପ୍ରତିଶତ ରେକର୍ଡ କରାଯାଇଛି। ଗଞ୍ଜାମ ଜିଲ୍ଲାକୁ ବାଦ୍ ଦେଲେ ଖୋର୍ଧାରେ ଦ୍ବିତୀୟ ସର୍ବାଧିକ ସଂକ୍ରମିତ ଚିହ୍ନଟ ହେଉଛନ୍ତି। ଗଞ୍ଜାମ ଜିଲ୍ଲାରେ ସୁସ୍ଥ ହାର୍ ବେଶ୍ ଭଲ ରହିଛି। ଏପିରିକି ରାଜ୍ୟର ସୁସ୍ଥ ହାରଠାରୁ ମଧ୍ୟ ଏହା ଅଧିକ।

ଆଜି ରାଜ୍ୟ ସରକାରଙ୍କ ପକ୍ଷରୁ ୯ଜଣ କ‌ରୋନାରେ ପ୍ରାଣ ହରାଇଥିବା ଘୋଷଣା କରାଯାଇଛି। ଏଥିରେ ସର୍ବାଧିକ ବ୍ୟକ୍ତି ଗଞ୍ଜାମ ଜିଲ୍ଲାର ରହିଛନ୍ତି। ଗଞ୍ଜାମ ଜିଲ୍ଲାର ୫୦ବର୍ଷର ପୁରୁଷଙ୍କୁ ବାଦ୍ ଦେଲେ ୪୦ବର୍ଷର ପୁରୁଷ, ୪୬ବର୍ଷର ପୁରୁଷ, ୬୦ବର୍ଷର ପୁରୁଷ, ୭୫ବର୍ଷର ମହିଳା, ୬୦ବର୍ଷର ମହିଳା ମଧୁମେହ, ଉଚ୍ଚ ରକ୍ତଚାପ ଓ କିଡ୍‌ନି ରୋଗରେ ଆକ୍ରାନ୍ତ ଥିଲେ। ସେହିପରି ଖୋର୍ଧା ଜିଲ୍ଲାର ୫୫ବର୍ଷର ପୁରୁଷ, ଯାଜପୁରର ୪୦ବର୍ଷର ପୁରୁଷଙ୍କ କୌଣସି ଜଟିଳ ରୋଗ ନ ଥିଲା। ପୁରୀର ୫୭ବର୍ଷର ପୁରୁଷ ମସ୍ତିଷ୍କାଘାତର ଶିକାର ଥିଲେ ହେଁ କରୋନାରେ ପ୍ରାଣ ହରାଇଛନ୍ତି। ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨୧୬ରେ ପହଞ୍ଚିଛି। ଅପରପକ୍ଷରେ ମାଲକାନାଗିରିର ୬୬ବର୍ଷର ପୁରୁଷ କରୋନା ପଜିଟିଭ୍ ଥିଲେ ମାତ୍ର ଅନ୍ୟ ରୋଗରେ ପ୍ରାଣ ହରାଇଥିବା ସରକାରୀ ଭାବେ କୁହାଯାଇଛି। ରାଜ୍ୟ ଅଣ କରୋନା ମୃତ୍ୟୁ ସଂଖ୍ୟା ୪୨ରେ ପହଞ୍ଚିଛି। କରୋନାରେ ସର୍ବାଧିକ ମୃତ୍ୟୁ ଗଞ୍ଜାମ ଜିଲ୍ଲାରେ ହିଁ ହୋଇଛି। ଜିଲ୍ଲାରେ ଏ ପର୍ଯ୍ୟନ୍ତ ୧୧୨ଜଣ କରୋନାରେ ପ୍ରାଣ ହରାଇଥିବା ବେଳେ ୭ଜଣ ଅଣ-କରୋନା ମୃତ୍ୟୁର ଶିକାର ହୋଇଛନ୍ତି। ଖୋର୍ଧାରେ ୩୦ଜଣ, ଗଜପତି ୧୩, କଟକ ୧୧, ସୁନ୍ଦରଗଡ଼ ଓ ରାୟଗଡ଼ାରେ ୧୦ଜଣ ଲେଖାଏଁ ପ୍ରାଣ ହରାଇଛନ୍ତି। ରାଜ୍ୟର ୨୦ଟି ଜିଲ୍ଲାରେ ଏ ପର୍ଯ୍ୟନ୍ତ କରୋନା ମୃତ୍ୟୁ ହୋଇଛି।

ଗତ ୨୪ଘଣ୍ଟାରେ ରାଜ୍ୟ‌ରେ ୧୩୮୪ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏଥିରେ ଗଞ୍ଜାମରେ ୨୮୮, ଖୋର୍ଧା ୨୦୧, କଟକ ୧୨୧, ସମ୍ବଲପୁର ୮୨, କେନ୍ଦୁଝର ୬୬, ସୁନ୍ଦରଗଡ଼ ୬୪, କନ୍ଧମାଳ ୬୨, ଢେଙ୍କାନାଳ ୫୧, କୋରାପୁଟ ୪୯, କଳାହାଣ୍ଡି ୪୭. ଭଦ୍ରକ ୪୦, ଯାଜପୁର ୩୯, ଗଜପତି ୩୮, ବାଲେଶ୍ବର ୩୭, ପୁରୀ ଓ ମାଲକାନଗିରିରୁ ୩୪ଜଣ ଲେଖାଏଁ, ନୟାଗଡ଼ ୩୧, ଜଗତସିଂହପୁର ୨୦, ଅନୁଗୁଳ ୧୪, କେନ୍ଦ୍ରାପଡ଼ା ୧୨, ବରଗଡ଼ ୧୦, ବଲାଙ୍ଗୀର ୫, ଝାରସୁଗୁଡ଼ା ଓ ନୂଆପଡ଼ାରୁ ୩ଜଣ ଲେଖାଏଁ, ବୌଦ୍ଧ ୨ ଓ ସୋନପୁରରୁ ଜଣେ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ୮୮୯ଜଣ ସଙ୍ଗରୋଧରୁ ଓ ୪୯୫ଜଣ ସ୍ଥାନୀୟ ସଂକ୍ରମିତ ରହିଥିବା କୁହାଯାଇଛି। ସ୍ଥାନୀୟ ସଂକ୍ରମିତଙ୍କ ହାର ପ୍ରାୟ ୩୬ ପ୍ରତିଶତ ରହିଛି। ରାଜ୍ୟରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୩୭୬୮୧ରେ ପହଞ୍ଚିଛି। ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୧୬୧୧ରେ ପହଞ୍ଚିଛି। ଖୋର୍ଧା ଜିଲ୍ଲାରେ ୫୧୧୫, କଟକ ୧୪୫୮, ଗଜପତି ୧୭୦୦, ସୁନ୍ଦରଗଡ଼ ୧୬୨୧, ଯାଜପୁର ୧୪୦୨, ରାୟଗଡ଼ା ୧୧୩୨, ବାଲେଶ୍ବରରେ ୧୧୨୮ ସଂକ୍ରମିତ ରହିଛନ୍ତି।

ଆଜି ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୨୧୮ଜଣ ସୁସ୍ଥ ହୋଇଛନ୍ତି। ଏହାବାଦ୍ ଖୋର୍ଧାରୁ ୨୧୮, ରାୟଗଡ଼ା ୧୨୮, ସୁନ୍ଦରଗଡ଼ ୧୨୨, ପୁରୀ ୧୨୧, ଗଜପତି ୧୨୦, କୋରାପୁଟ ୮୪, କଟକ ୬୮, ବାଲେଶ୍ବର ୫୮, ନବରଙ୍ଗପୁର ୩୪, କନ୍ଧମାଳ ୩୦, ଯାଜପୁର ୨୫, ମାଲକାନଗିରି ୨୪, କେନ୍ଦୁଝର ୧୯, ବଲାଙ୍ଗୀର ୧୬, ବରଗଡ଼ ଓ କେନ୍ଦ୍ରାପଡ଼ାରୁ ୧୨ଜଣ ଲେଖାଏଁ, ଝାରସୁଗୁଡ଼ା ୧୧, ନୟାଗଡ଼ ୧୦, ବୌଦ୍ଧ ୯, ନୂଆପଡ଼ା ୮, ମୟୂରଭଞ୍ଜ ୭, ଢେଙ୍କାନାଳ ୫, ଭଦ୍ରକ ୪, ଅନୁଗୁଳ ଓ ଜଗତସିଂହପୁରରୁ ୨ଜଣ ଲେଖାଏଁ, ଦେବଗଡ଼ ଓ କଳାହାଣ୍ଡିରୁ ଜଣେ ଲେଖାଏଁ ସୁସ୍ଥ ହୋଇଛନ୍ତି।

ସମ୍ବନ୍ଧିତ ଖବର