ଭୁବନେଶ୍ବର: ଓଡ଼ିଶାରେ କୋଭିଡ-୧୯ ବ୍ୟତୀତ ଅନ୍ୟ ରୋଗରେ ପୀଡ଼ିତ ୧,୪୧,୮୭୪ ରୋଗୀଙ୍କର ଏପ୍ରିଲରୁ ଅକ୍ଟୋବର ମଧ୍ୟରେ ମୃତ୍ୟୁ ଘଟିଛି ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସ ଆଜି ବିଧାନସଭାରେ ସୂଚନା ଦେଇଛନ୍ତି।
ରାଜ୍ୟ ବିଧାନସଭାରେ ଖଣ୍ଡପଡା ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ ପଚାରିଥିବା ଏକ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ଏହା ମଧ୍ୟ କହିଛନ୍ତି ଯେ ଅଣ-କୋଭିଡ ରୋଗୀଙ୍କ ପାଇଁ ଭଲ ସ୍ୱାସ୍ଥ୍ୟସେବା ଉପଲବ୍ଧ ହୋଇ ନ ଥିବା ରିପୋର୍ଟ ସତ୍ୟ ନୁହେଁ। ଅଣ-କୋଭିଡ ରୋଗୀ ମୃତ୍ୟୁ ସଂଖ୍ୟା ସମ୍ପର୍କରେ ଶ୍ରୀ ପଟ୍ଟନାୟକ ମନ୍ତ୍ରୀଙ୍କଠାରୁ ଏକ ବିବୃତ୍ତି ମାଗିଥିଲେ। ମହାମାରୀ ସମୟରେ ଅଣ-କୋଭିଡ ରୋଗୀଙ୍କ ପାଇଁ ଖରାପ ସ୍ୱାସ୍ଥ୍ୟ ସେବାର ରିପୋର୍ଟ ସତ କି ନାହିଁ ତାହା ବିଧାୟକ ଜାଣିବାକୁ ଚାହିଁଥିଲେ।
ରାଜ୍ୟ ବିଧାନସଭାରେ ଖଣ୍ଡପଡା ବିଧାୟକ ପଚାରିଥିବା ଅନ୍ୟ ଏକ ପ୍ରଶ୍ନର ଉତ୍ତର ଦେବାବେଳେ ସ୍ୱାସ୍ଥ୍ୟମନ୍ତ୍ରୀ ଆହୁରି ସୂଚନା ଦେଇଛନ୍ତି ଯେ ଲୋକଙ୍କର କୋଭିଡ ପରୀକ୍ଷା ତଥା ରାଜ୍ୟର ଡାକ୍ତରଖାନାଗୁଡ଼ିକରେ ଚିକିତ୍ସା ସେବା ଉପଲବ୍ଧ କରାଇବା ପାଇଁ ୨୨୩.୮୭ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି। ସେ ଆହୁରି ମଧ୍ୟ କହିଛନ୍ତି ଯେ ୨୩ଟି ଜିଲ୍ଲା ପ୍ରଶାସନ ଦ୍ବାରା ପ୍ରଦାନ କରାଯାଇଥିବା ସୂଚନା ଉପରେ ଆଧାର କରି ଏହି ହିସାବ ପ୍ରସ୍ତୁତ ହୋଇଛି।
ବେସରକାରୀ ଡାକ୍ତରଖାନାଗୁଡ଼ିକରେ କରାଯାଇଥିବା କୋଭିଡ ପରୀକ୍ଷା ଏବଂ ସଂକ୍ରମଣ ମାମଲାଗୁଡ଼ିକର ମାଗଣା ଚିକିତ୍ସା ପାଇଁ ସେମାନଙ୍କୁ ବିଲ୍ ପ୍ରଦାନ କରିବାକୁ କୁହାଯାଇଛି ବୋଲି ମନ୍ତ୍ରୀ କହିଛନ୍ତି।