ଯୋଗଦେଲେ ୧୪୩ ଆୟୁର୍ବେଦିକ ଡାକ୍ତର

ଭୁବନେଶ୍ବର : ରାଜ୍ୟ ସ୍ବାସ୍ଥ୍ୟ ବିଭାଗରେ ଶୁକ୍ରବାର ଦିନ ୧୪୩ ଆୟୁର୍ବେଦିକ ଡାକ୍ତର ଆଜି ଯୋଗ ଦେଇଛନ୍ତି। ଲୋକସେବା ଭବନର କନଭେନ୍‌ସନ୍‌ ସେଣ୍ଟରରେ ଏଥିପାଇଁ ଏକ ଦିଗ୍‌ଦର୍ଶନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଜୀବ ବିଜ୍ଞାନର ଏକ ପୁରାତନ ଜ୍ଞାନ ହେଉଛି ଆୟୁର୍ବେଦ। ପାରମ୍ପରିକଭାବେ ଦେଶର ଲକ୍ଷ ଲକ୍ଷ ଲୋକଙ୍କ ଉତ୍ତମ ସ୍ବାସ୍ଥ୍ୟ ବଜାୟ ରଖିବା ଓ ରୋଗ ନିୟନ୍ତ୍ରଣ କରିବାରେ ଏହା ସାହାଯ୍ୟ କରିଆସୁଛି। ଏହି ଜ୍ଞାନ ସହ ବର୍ତମାନର ଆଧୁନିକ ସ୍ବାସ୍ଥ୍ୟସେବା ବ୍ୟବସ୍ଥା ସମାଜକୁ ଅଧିକ ପ୍ରଭାବଶାଳୀ କରିବାରେ ସହାୟକ ହୋଇପାରିଛି। ‘ପ୍ରତ୍ୟେକ ଜୀବନ ମୂଲ୍ୟବାନ’ ଓ ‘ସୁସ୍ଥ ଓଡ଼ିଶା, ସୁଖୀ ଓଡ଼ିଶା’ ହେଉଛି ରାଜ୍ୟ ସ୍ବାସ୍ଥ୍ୟସେବାର ମାଗଦର୍ଶିକା। ସାବର୍ଜନୀନ ଗୁଣାତ୍ମକ ସ୍ବାସ୍ଥ୍ୟସେବା ଜରିଆରେ ଲୋକଙ୍କ ପକେଟ୍ ଖର୍ଚ୍ଚକୁ କମାଇବା ପାଇଁ ରାଜ୍ୟ ସରକାର ପ୍ରତିଶ୍ରୁତିବଦ୍ଧ। ପ୍ରତିବର୍ଷ ରାଜ୍ୟ ସ୍ବାସ୍ଥ୍ୟ ବଜେଟ୍‌ର ଆକାର ବଢ଼ିବାରେ ଲାଗିଛି। ଚଳିତ ଆର୍ଥିକ ବର୍ଷରେ ସ୍ବାସ୍ଥ୍ୟ ବଜେଟ୍‌ ୧୨ହଜାର କୋଟି ଛୁଇଁଛି, ଯାହାକି ଗତ ୩ବର୍ଷ ତୁଳନାରେ ଦୁଇ ଗୁଣ। ଏପରିକି ରାଜ୍ୟ ଯୋଜନାର ଏହା ହେଉଛି ୬ ପ୍ରତିଶତ। ଅଧିକ ସଂଖ୍ୟାରେ ଆୟୁର୍ବେଦିକ ଡାକ୍ତର ରାଜ୍ୟ ସ୍ବାସ୍ଥ୍ୟସେବାରେ ଉନ୍ନତି ଆଣିବାରେ ସହାୟକ ହେବେ ବୋଲି ମୁଖ୍ୟମନ୍ତ୍ରୀ ଆଶାବ୍ୟକ୍ତ କରିଥିଲେ।

ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ କହିଲେ, ରାଜ୍ୟ ସ୍ବାସ୍ଥ୍ୟ ଭିତ୍ତିଭୂମିର ସୁଦୃଢ଼ୀକରଣ ପାଇଁ ମୁଖ୍ୟମନ୍ତ୍ରୀ ଏକ ମିସନ୍ ଜରିଆରେ କାର୍ଯ୍ୟ କରୁଛନ୍ତି। ଗତ କୋଭିଡ୍‌ ପରିଚାଳନା ସହିତ ଅକ୍ସିଜେନ ଯୋଗାଣ, ନୂଆ ମେଡିକାଲ କଲେଜ, ଡାକ୍ତର ଓ ପାରାମେଡିକାଲ ନିଯୁକ୍ତି କ୍ଷେତ୍ରରେ ଏହା ପ୍ରତିଫଳିତ ହୋଇଥିବା ଶ୍ରୀ ଦାସ କହିଥିଲେ। ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର କହିଥିଲେ, ଯୁଦ୍ଧକାଳୀନ ଭିତ୍ତିରେ ରାଜ୍ୟ ସରକାର ଖାଲି ପଡ଼ିଥିବା ପଦବି ପୂରଣ କରୁଛନ୍ତି। ରାଜ୍ୟର ପ୍ରତ୍ୟେକ ପରିବାର ନିକଟରେ ସ୍ବାସ୍ଥ୍ୟସେବା ପହଞ୍ଚାଇବା ଲାଗି ମୁଖ୍ୟମନ୍ତ୍ରୀ ନିର୍ଦେଶ ଦେଇଥିବା ସେ କହିଥିଲେ।

୫-ଟି ସଚିବ ଭି.କେ ପାଣ୍ଡିଆନ୍ କାର୍ଯ୍ୟକ୍ରମ ସଂଚାଳନ କରିଥିଲେ। ପ୍ରାରମ୍ଭରେ ସ୍ବାସ୍ଥ୍ୟ ସଚିବ ଶାଳିନୀ ପଣ୍ଡିତ ସ୍ବାଗତ ଭାଷଣ ଦେଇଥିବା ବେଳେ ଆୟୁଷ ନିର୍ଦେଶକ ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର