ମା ଶାରଳାଙ୍କ ପୀଠରେ ଲାଗୁହେଲା ୧୪୪ ଧାରା

ଜଗତସିଂହପୁର: ମା ଶାରଳାଙ୍କ ପୀଠରେ ଲାଗୁ ହେଲା ୧୪୪ ଧାରା | ଜଗତସିଂହପୁର ଜିଲ୍ଲାପାଳ ଏହି କଟକଣା ଲାଗୁ କରିଛନ୍ତି | କରୋନା ଭାଇରସର ସଂକ୍ରମଣ ଯେଭଳି ନ ବ୍ୟାପେ ତାହାକୁ ନଜରରେ ରଖି ଜିଲ୍ଲାପାଳ ଏଭଳି ନିଷ୍ପତ୍ତି ନେଇଛନ୍ତି | ମା ଶାରଳାଙ୍କ ପୀଠ ସହ ବାଲିକୁଦା ତହସିଲ ଅଧୀନରେ ଥିବା ଭଗବତୀ ମନ୍ଦିରରେ ମଧ୍ୟ ୧୪୪ ଧାରା ଲାଗୁ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି |

ଜଗତସିଂହପୁର ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ରଙ୍କ ନିର୍ଦ୍ଦେଶ ମୁତାବକ ଏହି ଦୁଇ ପୀଠରେ ହେବାକୁ ଥିବା ଝାମୁଯାତ୍ରାରେ ଲୋକଙ୍କ ସମାଗମକୁ ନଜରରେ ରଖି ଏହି କଟକଣା ଜାରି କରାଯାଇଛି | ଆସନ୍ତା ୧୨ ତାରିଖରୁ ୧୪ ତାରିଖ ଯାଏଁ ଦୁଇ ପୀଠରେ ଝାମୁଯାତ୍ରା ହେବାକୁ ଥିବାବେଳେ ଅନେକ ଶ୍ରଦ୍ଧାଳୁଙ୍କ ଭିଡ ହେବାର ଆଶଙ୍କା କରି ୧୪୪ ଧାରା ଲାଗୁ କରାଯାଇଛି |

ଏହି କଟକଣା ଆସନ୍ତା ୧୨ ତାରିଖରୁ ୧୪ ତାରିଖ ଯାଏଁ ବଳବତ୍ତର ରହିବ ବୋଲି ନିର୍ଦ୍ଦେଶ ଦିଆଯାଇଛି | ବିଶେଷ କରି ୪ରୁ ଅଧିକ ଲୋକଙ୍କ ମଧ୍ୟରେ ଯେଭଳି ଭିଡ ନ ହେବ ସେଥିପ୍ରତି ଦୃଷ୍ଟି ଦିଆଯାଇଛି | କେହି ଏହି ନିର୍ଦ୍ଦେଶନାମାକୁ ଉଲ୍ଲଂଘନ କଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚିଠିରେ ଉଲ୍ଲେଖ ରହିଛି |

ସମ୍ବନ୍ଧିତ ଖବର