କଡ଼ାସୁରକ୍ଷା ମଧ୍ୟରେ ଭଦ୍ରକରେ ଶ୍ରୀରାମ ନବମୀ ମହାଯଜ୍ଞ ଉତ୍ସବ ଆରମ୍ଭ

ସହରରେ ୧୪୪ ଧାରା ଜାରି

ଭଦ୍ରକ: ପୁଲିସର କଡ଼ାସୁରକ୍ଷା ମଧ୍ୟରେ ଶ୍ରୀରାମ ନବମୀ ମହାଯଜ୍ଞ ରବିବାର ଆରମ୍ଭ ହୋଇ ଯାଇଛି। ଶ୍ରୀରାମ ମହାଯଜ୍ଞ ସମିତି ପକ୍ଷରୁ ସ୍ଥାନୀୟ ଗାନ୍ଧି ପଡ଼ିଆରେ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଭବିଷ୍ୟତ ପରିସ୍ଥିତିକୁ ଦୃଷ୍ଟିରେ ରଖି ୨୫ ପ୍ଲାଟୁନ ପୁଲିସ ମୁତୟନ କରାଯାଇଛି। ଏଥିରେ ସାମିଲ ଅଛନ୍ତି ୨ ପ୍ଲାଟୁନ ସିଆରପିଏଫ୍‌, ୨ ପ୍ଲାଟୁନ ଓଏସ୍‌ଏଫ୍‌, ୩ ପ୍ଲାଟୁନ୍‌ ରାପିଡ଼ ଆକ୍ସନ ଫୋର୍ସ ଓ ୧୦୦ ଜଣ ପୁଲିସ ଅଫିସର। ସେହିଭଳି ସନ୍ଧ୍ୟାରେ ପୁଲିସ ପକ୍ଷରୁ ଫ୍ଲାଗ ମାର୍ଚ୍ଚ କରାଯାଇଛି। ଆଗାମୀ ମାର୍ଚ୍ଚ ୨୫ ପର୍ଯ୍ୟନ୍ତ ପୁଲିସ ପକ୍ଷରୁ ଫ୍ଲାଗ ମାର୍ଚ୍ଚ କରାଯିବ ବୋଲି ଜଣେ ବରିଷ୍ଠ ପୁଲିସ ଅଧିକାରୀ ସୂଚନା ଦେଇଛନ୍ତି।

ଶ୍ରୀରାମ ନବମୀ ଖୁବ୍‌ କମ୍‌ ଦିନ ଥିବାରୁ ଭଦ୍ରକବାସୀ ଏବେଠାରୁ ସତର୍କ ହୋଇ ସାରିଛନ୍ତି। ଗତବର୍ଷର ଘଟଣା ଯେମିତି ଏଥର ପୁନରାବୃତ୍ତି ନହୁଏ ସେଥିପାଇଁ ଜିଲ୍ଲା ପ୍ରଶାସନ ପ୍ରସ୍ତୁତ ରହିଛି। ଚଳିତ ମାସ ୨୫ ତାରିଖରେ ଶ୍ରୀରାମ ନବମୀକୁ ଦୃଷ୍ଟିରେ ରଖି ଭଦ୍ରକ ସହରରେ ପୁଲିସ ପକ୍ଷରୁ ୧୪୪ ଧାରା ଜାରି କରାଯାଇଛି। ଆଇନ ଶୃଙ୍ଖଳାକୁ ଦୃଷ୍ଟିରେ ରଖି ଶନିବାର ସନ୍ଧ୍ୟା ୬ଟାରୁ ଅନିଦ୍ଦିଷ୍ଟ କାଳ ପାଇଁ ୧୪୪ ଧାରା ଜାରି କରାଯାଇଛି। ଏଥିପାଇଁ ପ୍ରଶାସନ ପକ୍ଷରୁ ରାମନବମୀ ଶୋଭାଯାତ୍ରା ଉପରେ କଟକଣା ଲଗାଯାଇଛି। ସେହିଭଳି ସୋସିଆଲ ମିଡିଆରେ ଧର୍ମିୟ ଭାବନା ପୋଷ୍ଟ ନକରିବା ପାଇଁ ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି।

ସୂଚନାଯୋଗ୍ୟ ଗତବର୍ଷ ଏପ୍ରିଲରେ ସୋସିଆଲ ମିଡିଆରେ ହିନ୍ଦୁ ଦେବାଦେବୀଙ୍କ ସଂପର୍କରେ ଆଶାଳୀନ ମନ୍ତବ୍ୟ ପୋଷ୍ଟକୁ ନେଇ ଉତ୍ତେଜନା ଦେଖାଦେବା ପରେ ଭଦ୍ରକରେ ପ୍ରଶାସନ ତରଫରୁ କଫ୍ୟୁ ଜାରି କରାଯାଇଥିଲା। ଏହା ପ୍ରାୟ ୪୫ ଦିନ ପର୍ଯ୍ୟନ୍ତ ରହିଥିଲା। ଏହି ସମୟରେ ସହରର ୪୫ ଜଣ ଲୋକ ଗିରଫ ହୋଇଥିଲେ। ଏହା ପରେ ପରିସ୍ଥିତି ଅଣାୟତ୍ତ ହେବାରୁ ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ ଶାନ୍ତି ପାଇଁ ଆହ୍ଵାନ ଡକାଯାଇଥିଲା। ଶାନ୍ତି ପାଇଁ ବିଭିନ୍ନ ରାଜନୈତିକ ଦଳର ନେତାମାନେ ମଧ୍ୟ ପ୍ରଶାସନକୁ ଅନୁରୋଧ କରିଥିଲେ।

ସମ୍ବନ୍ଧିତ ଖବର